ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜାତୀୟ ଗଣମାଧ୍ୟମରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନେଇ ଚର୍ଚ୍ଚା
  • ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହେବା ପାଇଁ ବିଜେଡିକୁ କଂଗ୍ରେସ ଦେଇପାରେ ପ୍ରସ୍ତାବ
  • ବିଜେପିକୁ ମାତ୍‌ ଦେବା ପାଇଁ ରଣନୀତି
  • ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ନଜର

କିଏ ହେବେ ରାଜ୍ୟସଭା ଉପାଧ୍ୟକ୍ଷ? ଏହି ପ୍ରସଙ୍ଗକୁ ନେଇ ଆଜି ଦିନ ତମାମ୍ ରାଜ୍ୟ ରାଜନୀତି ସରଗରମ୍ ରହିଛି। ରାଜ୍ୟସଭାର ଏହି ଗୁରୁତ୍ୱପୂର୍ଣ୍ଣ ପଦବୀଟି ବିଜେଡି କିମ୍ବା ତୃଣମୂଳ କଂଗ୍ରେସ ହାତକୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ ଏବଂ ତୃଣମୂଳ କଂଗ୍ରେସର ସୁଖେନ୍ଦୁ ଶେଖର ରାୟଙ୍କ ନାଁ ଉଠୁଛି। ତେବେ ଏହି ଦୁଇ ଦଳ ଭିତରୁ ବିଜେଡି ହାତକୁ ଏହି ଆସନ ଯିବାର ଅଧିକ ସମ୍ଭାବନା ରହିଥିବା ଆଲୋଚନା ହେଉଛି।

ବର୍ତ୍ତମାନ ରାଜ୍ୟସଭା ଉପାଧ୍ୟକ୍ଷ ଥିବା ପିଜେ କୁରିଏନଙ୍କ କାର୍ଯ୍ୟକାଳ ଜୁଲାଇ ମାସରେ ଶେଷ ହେଉଛି। ଏଣୁ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ଏଥିପାଇଁ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ ଏବଂ ତୃଣମୂଳ କଂଗ୍ରେସର ସୁଖେନ୍ଦୁ ଶେଖର ରାୟଙ୍କ ନାଁ ଚର୍ଚ୍ଚାକୁ ଆସିଛି।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି କିମ୍ବା ତୃଣମୂଳ କଂଗ୍ରେସ ନେତା ପ୍ରାର୍ଥୀ ହେବେ ବୋଲି ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇନି। ହେଲେ ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ହେଉଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିକଟରେ କର୍ଣ୍ଣାଟକରେ ବିଜେପିକୁ ଚକ୍‌ମା ଦେଇଛି କଂଗ୍ରେସ। ଏଣୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ମଧ୍ୟ ବିଜେପିକୁ ଝଟକା ଦେବା ଲାଗି କଂଗ୍ରେସ ବ୍ଲୁ ପ୍ରିଣ୍ଟ କରୁଛି। ଏନେଇ କଂଗ୍ରେସ ବିଜେଡି କିମ୍ବା ତୃଣମୂଳ କଂଗ୍ରେସର ନେତାଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛି। ରାଜ୍ୟସଭାରେ ବିଜେଡିର ୯ ଜଣ ସାଂସଦ ଥିବାରୁ ବିଜେଡି ଉପାଧ୍ୟକ୍ଷ ନିର୍ବାଚନ ବେଳେ କିଙ୍ଗମେକର ଭୂମିକା ନିର୍ବାହ କରିପାରେ।

କର୍ଣ୍ଣାଟକରେ ବିଜେପି ବିରୋଧୀମାନେ ଏକାଠି ହୋଇଥିଲେ। ଏହି ଏକତାକୁ ଅଧିକ ସୁଦୃଢ଼ କରିବା ପାଇଁ କଂଗ୍ରେସ ଜୋର୍ ଦେଉଛି। ବିଜେପି ବିରୋଧୀଙ୍କୁ ଏକାଠି କରି ବିଜେପିକୁ ମାତ୍ ଦେବା ପାଇଁ କଂଗ୍ରେସ ଯୋଜନା କରୁଛି। ଏଣୁ ପ୍ରାର୍ଥୀ ଦେବା ପାଇଁ ବିଜେଡିକୁ ପ୍ରସ୍ତାବ ଦେଇପାରେ କଂଗ୍ରେସ।

ଯଦି କଂଗ୍ରେସ ଏଭଳି ପ୍ରସ୍ତାବ ଦିଏ ତାହାଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କି ପଦକ୍ଷେପ ନେବେ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।

“ରାଜ୍ୟସଭା ଉପାଧ୍ୟକ୍ଷ ପଦକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଶିରୋ ନାସ୍ତି ଶିରୋ ପୀଡ଼ା। ଆମେ ଉଭୟ କଂଗ୍ରେସ ଏବଂ ବିଜେପିଠାରୁ ସମଦୂରତ୍ୱ ରଖି ଆସୁଛୁ। ଏ ସମ୍ପର୍କରେ ଆମ ଦଳର ସଭାପତି ମଧ୍ୟ ସ୍ପଷ୍ଟ କରି ସାରିଛନ୍ତି। ତେବେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଆମ ଦଳର ଆଭିମୁଖ୍ୟ କ’ଣ ରହିବ ତାହା ସଭାପତି ହିଁ ନିଷ୍ପତ୍ତି ନେବେ”, କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ।

ବିଜେଡି ସମଦୁରତ୍ୱ କଥା କହୁଥିଲେ ହେଁ ସଂସଦରେ ସରକାର ଆଣିଥିବା କୌଣସି ବିଲକୁ ବିଜେଡି ସାଂସଦମାନେ ବିରୋଧ କରି ନାହାନ୍ତି। ଏହାଛଡ଼ା ରାଷ୍ଟ୍ରପତି ନିର୍ବାଚନ ବେଳେ ବିଜେପି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ବିଜେଡି ସମର୍ଥନ ଜଣାଇଥିଲା। ହେଲେ ଉପ-ରାଷ୍ଟ୍ରପତି ନିର୍ବାଚନ ବେଳେ ବିଜେପି ପ୍ରାର୍ଥ ଭେଙ୍କିୟା ନାଇଡୁଙ୍କୁ ବିଜେଡି ସମର୍ଥନ ନକରି ଗୋପାଳ ଗାନ୍ଧିଙ୍କୁ ସମର୍ଥନ ଦେଇଥିଲା। ହେଲେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର ଆଭିମୁଖ୍ୟ କ’ଣ ରହିବ ତାକୁ ନେଇ ଚର୍ଚ୍ଚା ବଢ଼ିଛି।

ସବୁଠୁ ବଡ଼ କଥା ହେଉଛି ବିରୋଧୀ ମେଣ୍ଟରେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଥିଲେ। ସୋନିଆ ଗାନ୍ଧିଙ୍କ ଡିନର ପାର୍ଟିରେ ବି ମମତା ସାମିଲ ହୋଇଥିଲେ। କିନ୍ତୁ ବିଜେଡି ଏଥିରୁ ନିଜକୁ ଦୂରେଇ ରଖିଥିଲା। ମମତାଙ୍କୁ ବିରୋଧୀ ମେଣ୍ଟରେ ସାମିଲ କରିବା ପରେ ଏବେ କଂଗ୍ରେସ ବିଜେଡି ଉପରେ ନଜର ରଖିଛି।

ରାଜ୍ୟସଭା ଉପାଧ୍ୟକ୍ଷ ହେବା ପାଇଁ ୧୨୨ ଜଣ ସାଂସଦଙ୍କ ସମର୍ଥନ ଦରକାର। ରାଜ୍ୟସଭାରେ ଏନଡିଏ ସଦସ୍ୟ ସଂଖ୍ୟା ହେଉଛି ୧୦୫। ଏନଡିଏ ସପକ୍ଷରେ ୬ ଜଣ ସ୍ୱାଧୀନ ଓ ଅନ୍ୟ ଦଳର ସଭ୍ୟ ବି ସମର୍ଥନ ଦେଇ ପାରନ୍ତି। ଏପଟେ କଂଗ୍ରେସର ସଭ୍ୟ ହେଉଛନ୍ତି ୫୮। ବିରୋଧୀ ଦଳ ଯଦି ମିଳିତ ଭାବେ ଜଣକୁ ପ୍ରାର୍ଥୀ କରନ୍ତି ତାହାଲେ ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେବ। ଏଣୁ ବିଜେଡି ସଭ୍ୟଙ୍କୁ ନିଜ ଫୋଲ୍ଡକୁ ନେବା ପାଇଁ କଂଗ୍ରେସ ଗେମ୍ ପ୍ଲାନ ପ୍ରସ୍ତୁତ କରୁଥିବା ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here