ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀ ପ୍ରସଙ୍ଗରେ ମତ ରଖିଲେ ବିଜେପି ବିଧାୟକ ଦିଲ୍ଲୀପ ରାୟ। ମୁହଁ ଖୋଲି ନଥିଲେ ମଧ୍ୟ ଫେସବୁକରେ ଛତିଶଗଡ଼କୁ ଦାୟୀ କରି ରାଜନୀତିକୁ ହଲ୍‌ଚଲ୍‌ କରିଛନ୍ତି।

ମହାନଦୀ ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଉଭୟ କେନ୍ଦ୍ର ଏବଂ ଛତିଶଗଡ଼କୁ ଟାର୍ଗେଟ କରି ଆସୁଥିଲେ। କିନ୍ତୁ ଆଜି ଆଉ ଜଣେ ବିଜେପି ବିଧାୟକ ଛତିଶଗଡ଼ ଉପରେ ବର୍ଷିଛନ୍ତି। ଓଡ଼ିଶାର ଜୀବନରେଖା ମହାନଦୀର ଦୁର୍ଦ୍ଦଶା ପାଇଁ ଛତିଶଗଡ଼ ଦାୟୀ ବୋଲି ଦିଲ୍ଲୀପ ତାଙ୍କ ଫେସବୁକ୍‌ ପୋଷ୍ଟରେ ଲେଖିଛନ୍ତି।

ବିଜୟଙ୍କ ପରେ ଦିଲ୍ଲୀପ ଛତିଶଗଡ଼କୁ ଦାୟୀ କରିବା ପରେ ରାଜ୍ୟ ରାଜନୀତି ପୁଣି ସରଗରମ୍ ହୋଇଯାଇଛି। ସବୁବେଳେ ନୀରବ ରହୁଥିବା ଦିଲ୍ଲୀପ ହଠାତ୍ ମହାନଦୀ ପ୍ରସଙ୍ଗରେ କାହିଁକି ସୋସିଆଲ ମିଡିଆରେ ଏଭଳି ମତ ଦେଲେ ତାକୁ ନେଇ ଆଲୋଚନା ଜୋର୍ ଧରିଛି।

କ’ଣ ଲେଖିଲେ ଦିଲ୍ଲୀପ?

ମହାନଦୀ ପାଣି ଉପରେ ଓଡ଼ିଶାର ୬୦ ଭାଗ ଲୋକ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି। ଜଳସେଚନ ଏବଂ ପାନୀୟ ଜଳ ପାଇଁ ମହାନଦୀକୁ ଲୋକେ ଭରସା କରି ଚଳି ଆସୁଛନ୍ତି। କିନ୍ତୁ ଛତିଶଗଡ଼ ସରକାର ମହାନଦୀରେ ପ୍ରକଳ୍ପ ନିର୍ମାଣ କରିଥିବାରୁ ହୀରାକୁଦ ଜଳଭଣ୍ଡାରକୁ ପାଣି ସ୍ରୋତ କମିଯାଇଛି।

ଛତିଶଗଡ଼ ସରକାର ୧୦୦୦ କ୍ଷୁଦ୍ର ପ୍ରକଳ୍ପ, ୮ଟି ମେଗା, ୨୯ଟି ମଧ୍ୟମ ପ୍ରକଳ୍ପ ନିର୍ମାଣ କରିବା ସହ ୩୭୧ଟି ଆନିକଟ ନିର୍ମାଣ କରୁଥିବା ଓଡ଼ିଶା ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଉତ୍ତର ଦେଇଥିଲେ।

ଛତିଶଗଡ଼ ସରକାର ମହାନଦୀରେ ଏସବୁ ବେଆଇନ ପ୍ରକଳ୍ପ ନିର୍ମାଣ କରୁଥିବାରୁ ହୀରାକୁଦ ଜଳଭଣ୍ଡାରକୁ ପାଣି ଆସିବା କମିଯାଇଛି। ଚାଷୀମାନେ ପାଣି ପାଉ ନଥିବାରୁ ଚିନ୍ତାରେ ପଡ଼ିଛନ୍ତି। ହେଲେ ଏହାର ସମାଧାନ କରିବା ବଦଳରେ ରାଜନୀତି କରାଯାଉଛି।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ମହାନଦୀ ଟ୍ରବ୍ୟୁନାଲ ଗଠନ ହୋଇଛି। ହେଲେ ମହାନଦୀକୁ ନେଇ ଅଯଥା ରାଜନୀତି କରାଯିବା ଠିକ୍ ନୁହେଁ। ଓଡ଼ିଶାର ସ୍ୱାର୍ଥ ପାଇଁ ସମସ୍ତେ ଏକାଠି ହେବାକୁ ଦିଲ୍ଲୀପ ତାଙ୍କ ଫେସବୁକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମହାନଦୀ ପ୍ରସଙ୍ଗରେ ଛତିଶଗଡ଼କୁ ଦାୟୀ କରିଥିଲେ। ଛତିଶଗଡ଼ ଭୁଲ୍ କରିଥିବା କହିଥିଲେ।

ନରେନ୍ଦ୍ର ମୋଦି ଓଡ଼ିଶା ଆସି ମହାନଦୀକୁ ନେଇ ଓଡ଼ିଶା ସରକାରଙ୍କୁ ଦାୟୀ କରି ଦିଲ୍ଲୀ ଫେରି ଯାଇଥିଲେ। ମୋଦି ଫେରିଯିବା ପରେ ବିଜେପି ନେତା ବିଜୟ ମହାପାତ୍ର, ଧର୍ମେନ୍ଦ୍ର ପ୍ରଧାନ ଏବଂ ଦିଲ୍ଲୀପ ରାୟ ଛତିଶଗଡ଼କୁ ବାଣ ମାରିବା ଘଟଣା ରାଜନୀତି ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

Comment