ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଢ଼େ ତିନି ବର୍ଷ ପରେ ବିଧାନ ପରିଷଦ ଗଠନକୁ ନେଇ ପୁଣି ଚର୍ଚ୍ଚା ଉଠିଛି। ୨୦୧୯ ନିର୍ବାଚନ ପୂର୍ବରୁ ବିଧାନ ପରିଷଦ ଗଠନ କରିବାକୁ ସରକାର ଜୋର୍ ଦେଉଛନ୍ତି।

୨୦୧୯ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ଗଠନ ହେବ ବିଧାନ ପରିଷଦ। ଦୁଇ ବର୍ଷ ପରେ ଆଜି ଏ ପ୍ରସଙ୍ଗରେ ପୁଣି ଚର୍ଚ୍ଚା ହୋଇଛି। ବିଧାନ ପରିଷଦ ଗଠନ ସମ୍ପର୍କିତ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୋହର ମାରିଛନ୍ତି। ଚଳିତ ବର୍ଷ ଓଡ଼ିଶାରେ ବିଧାନ ପରିଷଦ ଗଠନ କରି କିଛି ନେତାଙ୍କୁ ଥଇଥାନ କରିବାକୁ ଶାସକ ଦଳ ଚାହୁଁଛି।

ବିଧାନ ପରିଷଦର ଗଠନ ଓ କାର୍ଯ୍ୟଶୈଳୀ ସମ୍ପର୍କରେ ଜାଣିବା ପାଇଁ ଖୁବ୍‌ଶିଘ୍ର ଏକ ଟିମ୍ ଆନ୍ଧ୍ରପ୍ରଦେଶ ଏବଂ ବିହାର ଗସ୍ତରେ ଯିବ। ସେଠାରେ ବିଧାନ ପରିଷଦ କିପରି ପରିଚାଳିତ ହେଉଛି ସେନେଇ ଅନୁଧ୍ୟାନ କରିବ ଟିମ୍।

୨୦୧୫ରେ ଓଡ଼ିଶାରେ ବିଧାନ ପରିଷଦ ଗଠନ ହେବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ବିଧାୟକ ତଥା ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଗସ୍ତ କରିଥିଲେ। ଏହି ଟିମ୍‌ରେ ବିଜେଡି ବିଧାୟକ ମନୋହର ରାନ୍ଧାରି, ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଭୁଜବଳ ମାଝି, ବିଜେପି ବିଧାୟକ ନୀତେଶ ଗଙ୍ଗଦେବ ମଧ୍ୟ ସାମିଲ ହୋଇଥିଲେ।

ଏହି ଦୁଇ ରାଜ୍ୟରେ ବିଧାନ ପରିଷଦ କିପରି ଚାଲୁଛି ତାହା ତଦାରଖ କରିବା ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ। କିନ୍ତୁ ଏହାପରେ ଆଉ ବିଧାନ ପରିଷଦ ଗଠନ ସମ୍ପର୍କରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନଥିଲେ। କର୍ଣ୍ଣାଟକ, ମହାରାଷ୍ଟ୍ରରୁ ଟିମ୍ ଫେରିବା ପରେ ବିଧାନ ପରିଷଦ ଚର୍ଚ୍ଚାରେ ଡୋରି ବନ୍ଧା ହୋଇଥିଲା।

“କର୍ଣ୍ଣାଟକ-ମହାରାଷ୍ଟ୍ରରେ ବିଧାନସଭା ପୂର୍ବରୁ ବିଧାନ ପରିଷଦ ଗଠନ ହୋଇଥିଲା। ଆମେ ଏହି ଦୁଇ ରାଜ୍ୟରେ ବିଧାନ ପରିଷଦ କିପରି ଚାଲୁଛି ତାହା ଅନୁଧ୍ୟାନ କରି ଫେରିଛୁ। ଆଗାମୀ ଦିନରେ ଆମେ ଆନ୍ଧ୍ର ଏବଂ ବିହାର ଯିବୁ। ସେଠାରେ ସ୍ଥିତି ଅନୁଧ୍ୟାନ କରି ଫେରିବୁ”, କହିଛନ୍ତି ନୃସିଂହ ଚରଣ ସାହୁ

Comment