ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ ସୁରକ୍ଷା ପାଇଁ ସମ୍ବଲପୁରର ଦଶମ ଶ୍ରେଣୀର ଛାତ୍ରୀ ଅମୃତା ପଟେଲ ପ୍ରଧାନମନ୍ତ୍ରୀଙ୍କୁ ଲେଖିଛନ୍ତି ଆବେଗଭରା ଚିଠି।
ସମ୍ବଲପୁର ସହରର ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ଅମୃତା ପଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏକ ଆବେଗଭରା ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ମହାନଦୀ ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ଅମୃତା ପଟେଲ ଲେଖିଛନ୍ତି,”ମୁଁ ଆପଣଙ୍କୁ ସବିନୟ ନିବେଦନ କରୁଛି କି ସବୁକିଛି ଚାଲିଯିବା ପୂର୍ବରୁ ମହାନଦୀ ପ୍ରସଙ୍ଗର ତୁରନ୍ତ ସମାଧାନ ଆପଣ କରନ୍ତୁ।”
ସେ ତାଙ୍କ ଚିଠିରେ ଆହୁରି ଲେଖିଛନ୍ତି ଯେ ମହାନଦୀ କେବଳ ଏକ ନଦୀ ନୁହେଁ ଓଡ଼ିଶାର କୋଟି କୋଟି ଲୋକଙ୍କ ପାଇଁ ଏହା ଜୀବନରେଖା। ଏଠି ଲୋକେ ମହାନଦୀକୁ ମା’ ବୋଲି ଭାବନ୍ତି। ମହାନଦୀର ଗୁରୁତ୍ୱ ବ୍ୟତୀତ ଦୈନନ୍ଦିନ ଜୀବନରେ ଏହି ନଦୀର ପାଣି ଉପରେ କିଭଳି ଲୋକେ ନିର୍ଭର କରିଥାନ୍ତି ତାହା ସେ ପତ୍ରରେ ଉଲ୍ଲେଖ କରିଛନ୍ତି। ଚିଠିରେ ଅମୃତା ନିଜ ପିଲାଦିନର କିଛି ଅନୁଭୂତି ଲେଖିଛନ୍ତି।
ପିଲାଦିନେ ଅମୃତା ତାଙ୍କ ମା’ଙ୍କ ସହ ମହାନଦୀକୁ ଯାଉଥିଲେ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଗର୍ବ ଅନୁଭବ କରୁଥିଲେ ବୋଲି ସେ ଚିଠିରେ ଲେଖିଛନ୍ତି।
ଅମୃତା କହିଛନ୍ତି ଯେ ମହାନଦୀ ଆଜି କାନ୍ଦୁଛି। ଅଳ୍ପ କିଛି ପାଣି ହିଁ ମହାନଦୀରେ ଦେଖିବାକୁ ମିଳୁଛି। ମହାନଦୀ ଆଜି ଏକ ମରୁଭୂମି ଭଳି ଦେଖାଯାଉଛି।
ସେ ଆହୁରି ଲେଖିଛନ୍ତି, “ମୋ ବୟସ ବର୍ତ୍ତମାନ ଯେତିକି ସେଥିରେ ମୁଁ ମହାନଦୀକୁ ନେଇ ଚାଲିଥିବା ରାଜନୀତିକୁ ବୁଝିବାରେ ଅକ୍ଷମ। କିନ୍ତୁ ଏହା ସତ କଥା ଯେ ଦିନକୁ ଦିନ ମହାନଦୀ ଶୁଖିବାରେ ଲାଗିଛି। ଆଜି ଯଦି ମହାନଦୀର ସୁରକ୍ଷା କରା ନ ଯାଏ ସବୁଦିନ ପାଇଁ ଏହା ମରିଯିବ ଓ ଲକ୍ଷ ଲକ୍ଷ ଲୋକ ଅସୁବିଧାରେ ପଡ଼ିବ।”
ପ୍ରଧାନମନ୍ତ୍ରୀଙ୍କୁ ସେ ନିବେଦନ କରିଛନ୍ତି ଯେ ଆପଣ ଚାହିଁଲେ ହିଁ ମହାନଦୀ ବଞ୍ଚିପାରିବ ଓ ମୋ କାନରେ ପୁଣି ଥରେ ଗୁଞ୍ଜରିତ ହୋଇପାରିବ ନଦୀର ସେଇ କୁଳୁକୁଳୁ ଶବ୍ଦ।