ଓଡ଼ିଶାଲାଇଭ୍ ବ୍ୟୁରୋ
ସାମ୍ବାଦିକମାନଙ୍କ ପାଇଁ ଅଲ୍ଟାଇମ୍ ଅଫର୍ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତା’ ଭିତରେ ରହିଛି ସ୍ୱାସ୍ଥ୍ୟ ବୀମା, ଦୁର୍ଘଟଣା ବୀମା, ମୃତ୍ୟୁକାଳୀନ ସହାୟତା, ଗୃହ ଓ ବାହନ ଋଣ ଉପରେ ସୁଧ ଛାଡ ଏବଂ ପିଲାଙ୍କ ପାଠପଢ଼ା ପାଇଁ ସହାୟତା।
- ୪ ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା ରାଶି
- ଗୁରୁତର ଦୁର୍ଘଟଣା କ୍ଷେତ୍ରରେ ସାମ୍ବାଦିକଙ୍କୁ ୨ଲକ୍ଷ ଟଙ୍କାର ସହାୟତା
- ଜଟିଳ ରୋଗର ଚିକିତ୍ସା ପାଇଁ ୨ଲକ୍ଷ ଟଙ୍କାର ବୀମା ବାଦ୍ ଅତିରିକ୍ତ ଖର୍ଚ୍ଚ ବହନ
- ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ ବାର୍ଷିକ ୩% ସୁଧ ବହନ କରିବେ ସରକାର
- କାର୍ କିଣା ପାଇଁ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୩% ସୁଧର ଫାଇଦା
- ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ପିଲାଙ୍କ ପଢ଼ା ଖର୍ଚ୍ଚ ପାଇଁ ମାସିକ ସହାୟତା
- ସାମ୍ବାଦିକଙ୍କ ଶିକ୍ଷା ଓ ତାଲିମ୍ ପାଇଁ ବିଶେଷ ସହାୟତା
ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ନବୀନ ସରକାର କରିଛନ୍ତି ଏକ ବଡ଼ ଘୋଷଣା। କିଛି ଦିନ ତଳେ ସାମ୍ବାଦିକମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା ଦେବା ପରେ ଆଜିର ଏହି ଘୋଷଣା ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟାର ମୁକାବିଲା କ୍ଷେତ୍ରରେ ଏକ ବଡ ଯୋଗଦାନ ହେବ ବୋଲି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
ଗୁରୁବାର ଦିନ ପୂର୍ବାହ୍ନରେ ସଚିବାଳୟଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ଏଣିକି ଓଡ଼ିଶାର କାର୍ଯ୍ୟରତ କୌଣସି ସାମ୍ବାଦିକ ମୃତ୍ୟୁବରଣ କଲେ ତାଙ୍କ ପରିବାରକୁ ସରକାର ଚାରି ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବେ।
ସେହିପରି କୌଣସି କାର୍ଯ୍ୟରତ ସାମ୍ବାଦିକ ଯଦି ଦୁର୍ଘଟଣା ଯୋଗୁଁ ଗୁରୁତର ଭାବେ କ୍ଷତିଗ୍ରସ୍ତ ହେବା ସହ ଅକର୍ମଣ୍ୟ ହୋଇ ପଡ଼ନ୍ତି ତାଙ୍କୁ ସରକାରଙ୍କ ପକ୍ଷରୁ ୨ଲକ୍ଷ ଟଙ୍କାର ସହାୟତା ମିଳିବ।
କିଛି ଦିନ ତଳେ ପ୍ରଥମ ଦଫାରେ ରାଜ୍ୟର ୩୨୩୩ଜଣ ସାମ୍ବାଦିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟବୀମା ଘୋଷଣା କରିଥିଲେ। ଏହି ସୁବିଧା ଅନୁଯାୟୀ ପ୍ରତ୍ୟେକ ସାମ୍ବାଦିକଙ୍କୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବ। ୧ ଜୁନ୍ ୨୦୧୮ରୁ ଏହି ଯୋଜନା ଲାଗୁ କରାଯାଇଛି। ସାମ୍ବାଦିକମାନଙ୍କ ପାଇଁ ଏହି ସ୍ୱାସ୍ଥ୍ୟ ସୁବିଧାକୁ ଆଉ ଗୋଟିଏ ପାଦ ଆଗକୁ ନେଇଛନ୍ତି ସରକାର। ଏଣିକି କୌଣସି କାର୍ଯ୍ୟରତ ସାମ୍ବାଦିକ ଯଦି ହୃଦ୍ରୋଗ, କିଡନୀ ସମସ୍ୟା, କ୍ୟାନସର ବା ସେଭଳି କୌଣସି ଜଟିଳ ରୋଗର ଶିକାର ହୋଇଥାନ୍ତି ତେବେ ସେ କ୍ଷେତ୍ରରେ ଚିକିତ୍ସା ପାଇଁ ଅଧିକ ସହାୟତା ଦେବାକୁ ସରକାର ଘୋଷଣା କରିଛନ୍ତି। ସାମ୍ବାଦିକଙ୍କୁ ମିଳୁଥିବା ୨ଲକ୍ଷ ବୀମା ବାହାରେ ଅତିରିକ୍ତ ଅନୁଦାନକୁ ଡିଏମ୍ଇଟିଙ୍କ ଅନୁମୋଦନକ୍ରମେ ପ୍ରଦାନ କରାଯିବ ବୋଲି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ଆଜି ଘୋଷଣା କରିଛନ୍ତି।
ସାମ୍ବାଦିକମାନଙ୍କୁ ଗୃହ ଋଣ କ୍ଷେତ୍ରରେ ଏକ ବଡ ପଦକ୍ଷେପ ନେଇଛନ୍ତି ସରକାର। କାର୍ଯ୍ୟରତ ସାମ୍ବାଦିକଙ୍କୁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ ୩% ସୁଧ ସରକାର ବହନ କରିବେ। ଏହି ଅର୍ଥ ବର୍ଷକୁ ଥରେ ପ୍ରଦାନ କରାଯିବ। ସମ୍ପୃକ୍ତ ସାମ୍ବାଦିକ ନିୟମିତ ଭାବେ ତାଙ୍କର ଗୃହଋଣ ପରିଶୋଧ କଲାପରେ ତାଙ୍କୁ ଏହି ୩% ସୁଧ ପରିମାଣ ପ୍ରଦାନ କରାଯିବ।
ଗୃହ ପରି ବାହନ କିଣିବା କ୍ଷେତ୍ରରେ ମଧ୍ୟ ଏବେ ସାମ୍ବାଦିକଙ୍କୁ ସରକାର ବିଶେଷ ସହାୟତା ଯୋଗାଇ ଦେବେ। ଉଭୟ ଦୁଇଚକିଆ ଏବଂ ଚାରିଚକିଆ ଯାନ କିଣୁଥିବା ବୃତ୍ତିଗତ ସାମ୍ବାଦିକମାନେ ସରକାରଙ୍କ ଏହି ଯୋଜନାରୁ ଫାଇଦା ପାଇବେ। ଜଣେ ସାମ୍ବାଦିକ ମୋଟର ସାଇକେଲ୍ କିଣୁଥିଲେ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ବାର୍ଷିକ ୩% ପର୍ଯ୍ୟନ୍ତ ସୁଧ ବହନ କରିବେ ସରକାର। ସେହିପରି କାର୍ ଋଣ କ୍ଷେତ୍ରରେ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ବାର୍ଷିକ ୩% ସୁଧ ସରକାର ଯୋଗାଇଦେବେ ବୋଲି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି।
ରାଜ୍ୟର ବୃତ୍ତିଗତ ସାମ୍ବାଦିକମାନଙ୍କ ପିଲାଙ୍କ ପଢ଼ାଖର୍ଚ୍ଚ ବାବଦରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ସରକାର। ଜଣେ ପେସାଦାର ସାମ୍ବାଦିକଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପିଲାଙ୍କ ପଢ଼ା ଖର୍ଚ୍ଚ ବାବଦରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାସିକ ୧୫୦୦ଟଙ୍କା ଲେଖାଁଏ ଆର୍ଥିକ ସହାୟତା ଯୋଗାଇ ଦେବେ ସରକାର। ସେହିପରି
ଉଚ୍ଚ ଶିକ୍ଷା କ୍ଷେତ୍ରରେ ସମ୍ପୃକ୍ତ ସାମ୍ବାଦିକଙ୍କ ପିଲାଙ୍କ ପାଇଁ ମାସିକ ୨୫୦୦ ଟଙ୍କା ଦେବାକୁ ସରକାର ଘୋଷଣା କରିଛନ୍ତି।
ନୂଆପିଢ଼ିର ସାମ୍ବାଦିକମାନଙ୍କ ତାଲିମ୍ କ୍ଷେତ୍ରରେ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଆଗେଇ ଆସିଛନ୍ତି ସରକାର। ଏଥିପାଇଁ ଢେଙ୍କାନାଳସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍ (ଆଇଆଇଏମ୍ସି) ଭଳି ପ୍ରତିଷ୍ଠିତ ଅନୁଷ୍ଠାନରେ ସ୍ୱଳ୍ପ ଅବଧି (୧ରୁ ୩ ସପ୍ତାହ) ପାଠ୍ୟକ୍ରମ ଓ ତାଲିମ୍ ପାଇଁ ସାମ୍ବାଦିକଙ୍କ ପିଛା ୧୦ହଜାର ଟଙ୍କା ସରକାର ବହନ କରିବେ। ପ୍ରତିବର୍ଷ୨୫ରୁ ୩୫ଜଣ ସାମ୍ବାଦିକ ଏହି ଯୋଜନାର ସୁଯୋଗ ପାଇବେ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ମିଡ଼ିଆକୁ କହିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକମାନଙ୍କ ପାଇଁ କରିଥିବା ଏହି ଯୋଜନା ଏକ ସର୍ବକାଳୀନ ବଡ଼ ଯୋଜନା ଭାବେ ବିଚାର କରାଯାଉଛି। ରାଜ୍ୟରେ ବୃତ୍ତିଗତ ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ସମ୍ବେଦନଶୀଳ ଅଛନ୍ତି, ଆଜି ସରକାର ନୂଆ ଯୋଜନା ମାଧ୍ୟମରେ ଏହି ବାର୍ତ୍ତା ଦେବାକୁ ଚାହିଁଛନ୍ତି। ଏହି ବ୍ୟାପକ ସାମ୍ବାଦିକ କଲ୍ୟାଣ ଯୋଜନା ପାଇଁ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଏହା ପେସାଦାର ସାମ୍ବାଦିକମାନଙ୍କ ବୃତ୍ତିଗତ ଜୀବନ ପାଇଁ ବେଶ୍ ସହାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି।
ଆଜି ସରକାରଙ୍କ ଏହି ଘୋଷଣା ପରେ ରାଜ୍ୟର ବରିଷ୍ଠ ତଥା ନୂଆପିଢ଼ିର ସାମ୍ବାଦିକମାନଙ୍କ ମଧ୍ୟରେ ଏକପ୍ରକାର ଖୁସିର ବାତାବରଣ ସୃଷ୍ଟି ହୋଇଛି। ବିଭିନ୍ନ ସାମ୍ବାଦିକ ସଙ୍ଗଠନ ଏଥିପାଇଁ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।
ତେବେ ବିରୋଧୀ କଂଗ୍ରେସ ୨୦୧୯ ନିର୍ବାଚନ ପୂର୍ବରୁ ଏହା ସରକାରଙ୍କର ଏକ ସାମ୍ବାଦିକ ତୁଷ୍ଟୀକରଣ ଯୋଜନା ବୋଲି ବର୍ଣ୍ଣନା କରିଛି। ବିରୋଧୀ ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଏ ପ୍ରସଙ୍ଗରେ ହାଲୁକା ମନ୍ତବ୍ୟ ଦେଇଛନ୍ତି। ତେବେ ରାଜ୍ୟର କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କର ଅନେକ ସମସ୍ୟା ରହିଥିଲା ଏବଂ ତା’ର ସମାଧାନ ପାଇଁ ସରକାର ପଦକ୍ଷେପ ନେଇଥିବାରୁ ସେ ଏହାକୁ ସ୍ୱାଗତ କରିଛନ୍ତି।