ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୧୧ ତାରିଖରେ ସବୁ ଜିଲ୍ଲା ଓ ସବଡିଭିଜନରେ ବିକ୍ଷୋଭ
  • ୧୨ ତାରିଖଠାରୁ ସପ୍ତାହ ବ୍ୟାପି ଥାନା ସମ୍ମୁଖରେ ବିକ୍ଷୋଭ
  • ରାଜ୍ୟ ସାରା ଜଗନ୍ନାଥ ମନ୍ଦିରରେ ହେବ ସମୂହ ଦୀପଦାନ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ଅସ୍ତ୍ର କରିଛି ବିଜେପି। ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିଜେପି ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ। ରାଜ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇବା ପାଇଁ ବିଜେପି ଜନଜାଗରଣ ଯାତ୍ରା ଆରମ୍ଭ କରିବାକୁ ଯାଉଥିବା ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି।

ଶୁକ୍ରବାର ଦିନ ପୁରୀଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଏହି ଘୋଷଣା କରିଛି।

ଜୁନ୍ ୧୧ ତାରିଖରେ ସବୁ ଜିଲ୍ଲା ଓ ସବଡିଭିଜନରେ ବିକ୍ଷୋଭ କରିବ ବିଜେପି। ଏହାସହ ୧୨ ତାରିଖ ଠାରୁ ସପ୍ତାହ ବ୍ୟାପି ରାଜ୍ୟ ତମାମ ସବୁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ରାଜ୍ୟ ସାରା ଥିବା ଜଗନ୍ନାଥ ମନ୍ଦିରମାନଙ୍କରେ ସମୂହ ଦୀପଦାନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଏପ୍ରିଲ ୪ ତାରିଖରୁ ଚାବି ହଜିଥିଲେ ବି ସରକାର ଚୁପ୍ ରହିଥିଲେ। ଜାଣିଶୁଣି କୌଣସି ପଦକ୍ଷେପ ନେଉ ନଥିଲେ। ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇବା ପରେ ସରକାର କମିଶନ ବସାଇଛନ୍ତି। ହେଲେ ଏହି କମିଶନ ଠିକ୍ ଭାବେ କାମ କରିବ କି ବୋଲି ବିଜେପି ପ୍ରଶ୍ନ ଉଠାଇଛି।

“ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବିକୁ ସରକାର ସୁରକ୍ଷା ଦେଇପାରୁ ନାହାନ୍ତି। ରତ୍ନଭଣ୍ଡାର ଭିତରେ ଥିବା ରତ୍ନ ସୁରକ୍ଷିତ ଥିବା ଭଳି ମନେହେଉନି। ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ଆମେ ଜନଜଗରାଣ ଯାତ୍ରା କରିବୁ। ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ବିଫଳତାକୁ ପହଞ୍ଚାଇବୁ”, କହିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା।

ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ଉପ-ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଭୃଗୁ ବକ୍ସିପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comment