ଓଡ଼ିଶାଲାଇଭ୍ ବ୍ୟୁରୋ

- ପ୍ରମୁଖ ଗଣମାଧ୍ୟମର ସମ୍ପାଦକ ଏବଂ ବରିଷ୍ଠ ସାମ୍ବାଦିକଙ୍କ ସହ ଆଲୋଚନା
- ମୋଦି ସରକାରଙ୍କ ପ୍ରଥମ ଚାରି ବର୍ଷର ହିସାବ ଦେଲେ
- ଉପା ସରକାର ଶେଷ ଚାରି ବର୍ଷର ହିସାବ ଦେଲେ
- ଓଡ଼ିଶାକୁ ସବୁ କ୍ଷେତ୍ରରେ ଗୁରୁତ୍ୱ ଦେଇଛି କେନ୍ଦ୍ର: ଧର୍ମେନ୍ଦ୍ର
ଏନଡିଏ ସରକାରର ଶେଷ ଚାରି ବର୍ଷ ଏବଂ ଉପା ସରକାରର ଶେଷ ଚାରି ବର୍ଷରେ ଓଡ଼ିଶାକୁ କେତେ ଅର୍ଥ ଆସିଛି ସେ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଛନ୍ତି। ଭାରତ ସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ସମ୍ପାଦକ ଓ ବରିଷ୍ଠ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର ଏହି ସୂଚନା ଦେଇଛନ୍ତି।
ଏହି ବୈଠକରେ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମର ସମ୍ପାଦକ ଏବଂ ବରିଷ୍ଠ ସାମ୍ବାଦିକମାନେ ଉସ୍ଥିତ ଥିଲେ। ସେମାନଙ୍କ ସହ ଧର୍ମେନ୍ଦ୍ର ଆଲୋଚନା କରିଥିଲେ।
ଏନଡିଏ ସରକାର ଗତ ୪ ବର୍ଷ ମଧ୍ୟରେ ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ମୋଟ ୨,୮୬,୮୩୬ କୋଟି ଟଙ୍କାର ପୁଞ୍ଜି ନିବେଶ ଲାଗି ପ୍ରତିବଦ୍ଧ ହୋଇଛନ୍ତି। ସେଥିମଧ୍ୟରୁ କେବଳ ପେଟ୍ରୋଲିୟମ ଉଦ୍ୟୋଗରେ ୧,୩୪,୭୮୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯାଉଛି।
ଜାତୀୟ ରାଜପଥ ଓ ରେଳପଥ ଭିତ୍ତିଭୂମି କ୍ଷେତ୍ରରେ ୬୦ ହଜାର କୋଟିରୁ ଅଧିକ ପୁଞ୍ଜି ବିନିଯୋଗ କରାଯାଉଛି। କେବଳ ଜାତୀୟ ରାଜପଥ ବିକାଶ ପାଇଁ ୪୦,୧୦୩ କୋଟି ଟଙ୍କା ଏବଂ ରେଳବାଇର ଭିତ୍ତିଭୂମି ବିକାଶ ଲାଗି ୨୦,୨୧୩ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗତ ୪ ବର୍ଷ ମଧ୍ୟରେ ଓଡିଶା ପାଇଁ ୮,୦୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ୧୮,୨୦୩ କିଲୋମିଟର ଗ୍ରାମ୍ୟ ସଡ଼କ ନିର୍ମାଣ କରାଯାଉଛି। ନରେନ୍ଦ୍ର ମୋଦିଙ୍କ ସରକାର କ୍ଷମତାକୁ ଆସିବା ପରେ ଗତ ୪ ବର୍ଷ ମଧ୍ୟରେ ୫,୪୯୯ କିଲୋମିଟର ରାସ୍ତା ନିର୍ମାଣ ହୋଇଛି । ପୂର୍ବରୁ ୟୁପିଏ ସରକାର ଅମଳରେ ୨୦୦୪ ରୁ ୨୦୧୪ ମଧ୍ୟରେ ୧,୩୫୮ କିଲୋମିଟର ରାସ୍ତା ନିର୍ମାଣ ହୋଇଥିଲା।
କେନ୍ଦ୍ର ସରକାର ଓଡିଶାର ଉପକୂଳବର୍ତ୍ତି ଜିଲ୍ଲାଗୁଡ଼ିକୁ ନେଇ ଏକ ରାଜପଥ ସର୍କିଟ ଓ ବାହ୍ୟ ରିଙ୍ଗରୋଡର ବିସ୍ତୃତ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେହିପରି ଏକ ଆଧୁନିକ ଶିଳ୍ପ ଓ ପର୍ଯ୍ୟଟନ ସର୍କିଟ ପ୍ରତିଷ୍ଠା ଲାଗି ମଧ୍ୟ ଯୋଜନା କରାଯାଇଛି। ଏହି ଯୋଜନାରେ ଗୋପାଳପୁର, ସାତପଡା, ପୁରୀ, କୋଣାର୍କ, ଅସ୍ତରଙ୍ଗ, ପାରାଦୀପ, ଧାମରା, ସାତଭାୟା, ଚାନ୍ଦିପୁର ଦେଇ ତଲସାରି ପର୍ଯ୍ୟନ୍ତ ବୃହତ ଉପକୂଳ ସଡ଼କ ସର୍କିଟ ନିର୍ମାଣ କରାଯିବ।
ପାରାଦୀପ ତୈଳ ବିଶୋଧନାଗାରରେ ଏବେ ଇଣ୍ଡମାକ୍ସ ଟେକ୍ନୋଲଜି ବ୍ୟବହାର କରାଯାଉଛି। ଏହା ଏଲପିଜି ଉତ୍ପାଦନକୁ ବହୁ ପରିମାଣରେ ବଢ଼ାଇବ। ବିଶୋଧନ କ୍ଷମତାକୁ ବାର୍ଷିକ ୨୧ ନିୟୁତ ଟନକୁ ବୃଦ୍ଧି କରିବା ଲାଗି ଆଉ ୨୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ସେହିପରି ପେଟକୋକ୍ ବାଷ୍ପିକରଣ ଏବଂ ଆନୁସଙ୍ଗିକ ସିନ୍ଥେଟିକ ଇଥାନଲ ପ୍ରସ୍ତୁତି ପାଇଁ ୧୧ ହଜାର କୋଟି ଟଙ୍କା ନିବେଶ କରାଯିବ।
ପୂର୍ବ ଭାରତରେ ବୟନ ଉଦ୍ୟୋଗର ବିକାଶ ଲାଗି ଭଦ୍ରକଠାରେ ବୟନ ପାର୍କ ପ୍ରତିଷ୍ଠା କରାଯାଉଛି। ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ୨ ଲକ୍ଷ ପରୋକ୍ଷ ଓ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ।
ଓଡିଶାରେ ଏଲଏନଜି ଟର୍ମିନାଲ ପ୍ରତିଷ୍ଠା ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା କାର୍ଯ୍ୟକ୍ରମ ଅଧିନରେ ଧାମରା ଏଲଏନଜି ଟର୍ମିନାଲ ଓଡ଼ିଶା ପାଇଁ ପ୍ରାକୃତିକ ବାଷ୍ପ ଯୋଗାଣାର ବୃହତ ଉତ୍ସ ହେବ। ଏହାର ପୁନଃ ବାଷ୍ପିକରଣ କ୍ଷମତା ବାର୍ଷିକ ୫ ନିୟୁତ ମେଟ୍ରିକ ଟନ ହେବ ଏବଂ ଏଥିରେ ୫,୫୦୦ କୋଟି ଟଙ୍କା ବିନିଯୋଗ କରାଯାଉଛି।
କେବଳ କଟକ ଓ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସିଟି ଗ୍ୟାସ ବିତରଣ ନେଟୱର୍କ ପ୍ରତିଷ୍ଠା ଲାଗି ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏବେ ୨ଟି ଜିଲ୍ଲା ସିଟି ଗ୍ୟାସ ବିତରଣ ନେଟୱାର୍କ ଅଧିନରେ ଆସୁଥିବା ବେଳେ ଆଉ ୧୭ଟି ଜିଲ୍ଲାକୁ ଏହା ସମ୍ପ୍ରସାରିତ କରାଯିବ।
ଉର୍ଜା ଗଙ୍ଗା ଯୋଜନା ଅଧିନରେ ଓଡ଼ିଶାର ୧୩ଟି ଜିଲ୍ଲା ଦେଇ ୭୬୯ କିଲୋମିଟର ଗ୍ୟାସ ପାଇପ ଲାଇନ ବିଛା ଯାଉଛି। ଏଥିଲାଗି ୩,୮୫୧ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ।
ତାଳଚେର ସାର ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ କୋଇଲା ବାଷ୍ପିକରଣ ଭିତିକ ସାର କାରଖାନା ଲାଗି ପେଟକୋକ ମିଶ୍ରଣ ଉପଯୋଗ କରାଯିବ। ଏହା ପରିବେଶ ଅନୁକୂଳ ମଧ୍ୟ । ଏଥିରେ ୧୧,୬୧୧ କୋଟି ଟଙ୍କା ବିନିଯୋଗ କରାଯାଇ ବାର୍ଷିକ ୧.୨୭ ନିୟୁତ ମେଟ୍ରିକ ଟନ ୟୁରିଆ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି।
ପାରାଦୀପକୁ ଏକ ବନ୍ଦର ଭିତିକ ସ୍ମାର୍ଟ ସିଟି କରିବା ଲାଗି କେନ୍ଦ୍ର ସରକାର ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରିଛନ୍ତି। ୨୦୨୦ ସୁଦ୍ଧା ବନ୍ଦର କ୍ଷମତା ୩୩୨ ନିୟୁତ ଟନକୁ ବୃଦ୍ଧି କରାଯିବ ଏବଂ ୯ଟି ବନ୍ଦର ସଂଯୋଗୀକରଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ।
ଧର୍ମେନ୍ଦ୍ର ପ୍ରଧାନ କହିଲେ, “ଏବେ ଓଡ଼ିଶାର ୧୦ଟି ଜିଲ୍ଲାକୁ ମହତ୍ୱାକାଂକ୍ଷୀ ଅଭିଳାଷୀ ଜିଲ୍ଲା ବିକାଶ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ଏହି ଜିଲ୍ଲାଗୁଡିକ ହେଲା – ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ରାୟଗଡା, ଗଜପତି, କନ୍ଧମାଳ ଏବଂ ଢେଙ୍କାନାଳ। ପ୍ରଧାନମନ୍ତ୍ରୀ ନିଜେ ଏହି ଜିଲ୍ଲାଗୁଡ଼ିକର ବିକାଶ କାର୍ଯ୍ୟର ଅଗ୍ରଗତିକୁ ସମୀକ୍ଷା କରୁଛନ୍ତି।”
ଓଡ଼ିଶାରେ ତଫସିଲଭୁକ୍ତ ଜାତିର ବିକାଶ ପାଇଁ କେନ୍ଦ୍ର ସରକାର ୧୧୭୮.୬୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଅପରପକ୍ଷରେ ୨୦୦୪ ରୁ ୨୦୧୪ ମଧ୍ୟରେ ଓଡ଼ିଶାକୁ ୧,୮୫୯.୫୮ କୋଟି ଟଙ୍କା ୟୁପିଏ ସରକାର ଅମଳରେ ମିଳିଥିଲା।
ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ଅଧିନରେ ଓଡିଶାରେ ୩.୭୧ କୋଟି ଜମା ଖାତା ଖୋଲାଯାଇ ମୋଟ ୩୧୧୯.୬୬ କୋଟି ଟଙ୍କା ଜମା ସଞ୍ଚୟ କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ୩୬,୧୨,୬୧୧ ହିତାଧିକାରୀ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୯,୨୭,୮୪୧ ହିତାଧିକାରୀ ଏବଂ ଅଟଳ ପେନସନ ଯୋଜନାରେ ୬, ୫୯, ୯୨୬ ହିତାଧିକାରୀ ସାମିଲ ହୋଇଛନ୍ତି।
ରାଜ୍ୟରେ ଉଜ୍ଜଳା ଯୋଜନାର ଅଗ୍ରଗତି ନେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ୨୦୧୪ରେ ଏନଡିଏ କ୍ଷମତାକୁ ଆସିବା ବେଳେ ଦେଶରେ ୬୦ ବର୍ଷ ମଧ୍ୟରେ ମାତ୍ର ୨୦ ଲକ୍ଷ ଏଲପିଜି ସଂଯୋଗ ରହିଥିଲା। ଏବେ ଗତ ୪ ବର୍ଷ ମଧ୍ୟରେ ଏନଡିଏ ସରକାର ୬୨ ଲକ୍ଷ ଏଲପିଜି ସଂଯୋଗ ପ୍ରଦାନ କରିଛନ୍ତି। ଏହାଫଳରେ ଏଲପିଜି ସଂଯୋଗ ହାତ ୫୮.୫ ପ୍ରତିଶତକୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ କେବଳ ଉଜ୍ଜଳା ଯୋଜନାରେ ଗତ ବର୍ଷକ ମଧ୍ୟରେ ୨୫.୫ ଏଲପିଜି ସଂଯୋଗ ପ୍ରଦାନ କରାଯାଇଛି।
ଉଡ଼ାଣ ଯୋଜନାରେ ୨୮୮ କୋଟି ଟଙ୍କା ବିନିଯୋଗ ହୋଇ ଝାରସୁଗୁଡା, ରାଉରକେଲା, ଉତ୍କେଲା ଓ ଜୟପୁରଠାରେ ଏୟାରଷ୍ଟ୍ରିପଗୁଡିକୁ ଉନ୍ନତି କରାଯିବ। ସେହିଭଳି ଝାରସୁଗୁଡ଼ାରେ ନୂଆ ବିମାନ ବନ୍ଦର ରନୱେ ନିର୍ମାଣ କରାଯିବ। ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଶସ୍ତାରେ ବିମାନ ସେବା ଯୋଗାଇଦେବା ଲାଗି ଉଡ଼ାଣ ଯୋଜନା ଅଧିନରେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଥିଲେ।


















