ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇ ଦିନିଆ ଚୀନ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗସ୍ତ କାଳରେ ସେ ସାଙ୍ଘାଇ ସହଯୋଗ ସଂଗଠନ(ଏସ୍ସିଓ)ର ବାର୍ଷିକ ସମ୍ମିଳନୀରେ ଯୋଗ ଦେବା ସହ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଙ୍ଘାଇ ସହଯୋଗ ସଂଗଠନ(ଏସ୍ସିଓ)ର ବାର୍ଷିକ ସମ୍ମିଳନୀରେ ଯୋଗ ଦେବା ପାଇଁ ଶନିବାର ଚାଇନାର କ୍ୱିଙ୍ଗ୍ଦାଓ ସହରରେ ପହଞ୍ଚିଛନ୍ତି।
ସେଠାରେ ମୋଦି ଚୀନ ରାଷ୍ଟ୍ରପତି ଜିନପିଙ୍ଗକୁ ଭେଟିଛନ୍ତି। ଉଭୟ ଦୁଇ ଦେଶ ମଧ୍ୟରେ ଦୁଇଟି ଚୁକ୍ତି ଉପରେ ହସ୍ତାକ୍ଷର କରିଛନ୍ତି। ଗତ ୪୨ଦିନ ମଧ୍ୟରେ ମୋଦି-ଜିନପିଙ୍ଗଙ୍କ ସହ ଏହା ଦ୍ୱିତୀୟ କଥାବାର୍ତ୍ତା।
ଜିନପିଙ୍ଗଙ୍କୁ ଭେଟିବା ପରେ ମୋଦି ଏସ୍ସିଓ ମହାସଚିବ ରଶିଦ ଅଲିମୋଭ୍ଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିଛନ୍ତି। ସଂଗଠନରେ ପୂର୍ଣ୍ଣକାଳୀନ ସଦସ୍ୟ ହେବାପରେ ଏସ୍ସିଓକୁ ଭାରତର ଅବଦାନ ନେଇ ରଶିଦ ପ୍ରଶଂସା କରିଛନ୍ତି। ଏ ନେଇ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବିଶ୍ କୁମାର ଟୁଇଟ୍ କରିଛନ୍ତି।
ଏସ୍ସିଓ ଶିଖର ସମ୍ମିଳନୀରେ ମୁଖ୍ୟତଃ ଆତଙ୍କବାଦ, ସୁରକ୍ଷା ଓ ଆର୍ଥିକ ଓ ସାଂସ୍କୃତିକ ବିଷୟରେ ଆଲୋଚନା ହୋଇଥାଏ। ଭାରତ ୨୦୧୭ ମସିହାରେ ଏସ୍ସିଓରେ ପୂର୍ଣ୍ଣକାଳୀନ ସଦସ୍ୟତା ଲାଭ କରିଥିଲା। ଏସ୍ସିଓର ସ୍ଥାପନା ୨୦୦୧ ମସିହାରେ କରାଯାଇଥିଲା। ବର୍ତ୍ତମାନ ଏଥିରେ ୮ଦେଶ ଭାରତ, ଚୀନ, ପାକିସ୍ତାନ, ଋଷ, ଉଜବେକିସ୍ତାନ, ତାଜିକିସ୍ତାନ, କିର୍ଗିସ୍ଥାନ ଓ କାଜିକିସ୍ତାନ ଆଦି ପ୍ରମୁଖ ସଦସ୍ୟ ରହିଛନ୍ତି।