ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅଟଳ ବିହାରୀ ବାଜପେୟୀ ଦିଲ୍ଲୀ ଏମ୍ସରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି। ବାଜପେୟୀଙ୍କର ରୁଟିନ ଚେକ୍ ଚାଲିଥିବା ବିଜେପି ପକ୍ଷରୁ କୁହାଯାଉଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏମ୍ସରେ ଭେଟିଛନ୍ତି।
ରାହୁଲ ଗାନ୍ଧି ପ୍ରଥମେ ସୋମବାର ସନ୍ଧ୍ୟାରେ ଦିଲ୍ଲୀ ଏମ୍ସକୁ ଯାଇଥିଲେ। ବାଜପେୟୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଡାକ୍ତରଙ୍କୁ ପଚାରି ବୁଝିଥିଲେ। ରାହୁଲଙ୍କ ପରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଏବଂ କିଛି କେନ୍ଦ୍ରମନ୍ତ୍ରୀ ମଧ୍ୟ ଦିଲ୍ଲୀ ଏମ୍ସ ଯାଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦିଲ୍ଲୀ ଏମ୍ସ ଯାଇ ବାଜପେୟୀଙ୍କ ସ୍ୱାସ୍ଥ୍ୟ କଥା ପଚାରି ବୁଝିଛନ୍ତି। ଏମ୍ସ ଡାଇରେକ୍ଟର ରଣଦୀପ ଗୁଲରିୟା ବାଜପେୟୀଙ୍କୁ ଚିକିତ୍ସା କରୁଛନ୍ତି। ବାଜପେୟୀଙ୍କ ରୁଟିନ୍ ଚେକଅପ୍ ତାଙ୍କ ଘରେ ହେଉଥିଲା। କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ବାଜପେୟୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି।














