ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଗସ୍ତରେ ଆସୁଛନ୍ତି ବରିଷ୍ଠ ବିଜେପି ନେତା ଅମିତ ଶାହ। ବୁଧବାର ଅପରାହ୍ଣରେ ସେ କଟକରେ ଏକ ରୋଡ ସୋ’ କରିବେ। ଏହାପୂର୍ବରୁ ସେ ସୋରଡ଼ା ଓ ବୌଦ୍ଧରେ ଦଳୀୟ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଅମିତ ଶାହଙ୍କ ରୋଡ ସୋ’ ବୁଧବାର ଅପରାହ୍ଣ ୪ଟା ବେଳେ କଟକର ଗୋପବନ୍ଧୁବାଗଠାରୁ ଆରମ୍ଭ ହେବ। ଏହାପରେ ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ବାଲୁବଜାର, ଚାନ୍ଦିନୀ ଚୌକ, ଶେଖ ବଜାର ହୋଇ ଚଣ୍ଡୀ ମନ୍ଦିର ପାଖରେ ପହଁଞ୍ଚିବ ଏହି ରୋଡ ସୋ’। ଏଥିରେ ଅନେକ ଲୋକ ସାମିଲ ହେବାର ସମ୍ଭାବନା ରହିଛି।  

ଅମିତ ଶାହ ବୁଧବାର ଦିନ ୧୨ଟା ୩୦ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେ ଏଠାରୁ ହେଲିକେପ୍ଟରେ ଯାଇ ୧ଟା ୩୦ରେ ସୋରଡ଼ାରେ ପହଞ୍ଚି ଦଳୀୟ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ ସେ ବୌଦ୍ଧରେ ପହଞ୍ଚି ଆଉ ଏକ ସମାବେଶରେ ଯୋଗଦେବେ।

ଏହାପରେ ଅମିତ ଶାହ ବୌଦ୍ଧରୁ କଟକ ଆସି ରୋଡ ସୋ’ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ କଟକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।

Tags: #AmitShah #RoadShow #ElectionCampaign #Politics #Cuttack #Odisha

LEAVE A REPLY

Please enter your comment!
Please enter your name here