ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଆର୍‌ଏସ୍‌ଏସ୍‌ ଏବଂ ବିଜେପିର ପ୍ରମୁଖ ନେତାଙ୍କୁ ଡିନର ଦେଇଛନ୍ତି।

୨୦୧୯ ନିର୍ବାଚନ ପାଇଁ କମର କସୁଛି ବିଜେପି। କେମିତି ୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବ ତାକୁ ନେଇ ଅଙ୍କ କଷାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଆର୍‌ଏସ୍‌ଏସ୍‌ ଏବଂ ବିଜେପିର କିଛି ବରିଷ୍ଠ ନେତାଙ୍କର ବୈଠକ ବସିଥିଲା। ବୈଠକରେ ସାଂପ୍ରତିକ ରାଜନୀତି ଉପରେ ଆଲୋଚନା ହୋଇଥିଲା।

ଆଲୋଚନା ପରେ ବୈଠକରେ ଯୋଗ ଦେଇଥିବା ନେତାଙ୍କୁ ମୋଦି ତାଙ୍କ ବାସଭବନରେ ଡିନର୍ ଦେଇଥିଲେ। ମୋଦିଙ୍କ ଡିନର ପାର୍ଟିରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା, କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ, ବିଜେପିର ସଙ୍ଗଠନ ମନ୍ତ୍ରୀ ରାମଲାଲ୍ ପ୍ରମୁଖ ସାମିଲ ହୋଇଥିଲେ। ଏହାସହ କିଛି ପ୍ରଚାରକ ମଧ୍ୟ ଉପସ୍ଥିତ ଥିଲେ।

ହରିୟାଣାର ସୁରଜକୁଣ୍ଡଠାରେ ବିଜେପି ଏବଂ ଆର୍‌ଏସ୍‌ଏସ୍‌ କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ରୁଦ୍ଧଦ୍ୱାର ବୈଠକ ଚାଲିଛି। ଏହି ବୈଠକରେ ଆର୍‌ଏସ୍‌ଏସ୍‌ର ଭୈୟାଜୀ ଯୋଶୀ, କୃଷ୍ଣ ଗୋପାଳ ଉପସ୍ଥିତ ଥିଲେ। ଶନିବାର ଏହି ବୈଠକ ଶେଷ ହେବ। ବିଜେପି ରାଷ୍ଟ୍ରୀୟ ସଭାପତି ଏହି ସଭାରେ ଯୋଗ ଦେଇ ପାରନ୍ତି।

ଏହି ବୈଠକରେ ‘ଫିର୍‌ ଏକ ବାର୍‌ ଭାଜପା ସରକାର’ ସ୍ଲୋଗାନ ଉପରେ ଆଲୋଚନା ହୋଇଥିଲା। ଏହାସହ ଆଗାମୀ ଦିନରେ ବିଜେପି ଦଳିତମାନଙ୍କ ପାଇଁ କ’ଣ କରିବାକୁ ଯାଉଛି ସେ ବିଷୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

୨୦୧୯ରେ ବିଜେପିକୁ ମାତ୍ ଦେବା ପାଇଁ ବିରୋଧୀ ଦଳ ଏକାଠି ହେଉଛନ୍ତି। ଯଦି ବିରୋଧୀ ଏକାଠି ହୁଅନ୍ତି ତାହାଲେ ସେମାନଙ୍କୁ କିପରି ମୁକାବିଲା କରାଯିବ ସେ ବିଷୟରେ ବୈଠକରେ ଆଲୋଚନା ହୋଇଛି।

Comment