ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଜୁଲାଇ ପହିଲାରେ ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଦଳର ନେତାମାନଙ୍କ ମତରେ ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ଗସ୍ତ କାର୍ଯ୍ୟକ୍ରମ ହେବ। ଗତଥର ଶାହ ଓଡ଼ିଶା ଆସିବା ପରଠାରୁ ପରିସ୍ଥିତି ବିଶେଷ କିଛି ବଦଳି ନ ଥିଲେ ହେଁ ୨୦୧୯ରେ ‘ମିଶନ ୧୨୦’ କେତେଦୂର ସମ୍ଭବ ହେବ ତାହାର ଏକ ତାଜା ସମୀକ୍ଷା ଶାହ କରିବେ।

ଶାହଙ୍କ ଟାର୍ଗେଟକୁ ସାକାର କରିବା ପାଇଁ ରାଜ୍ୟ ନେତାମାନେ ପ୍ରାଣପଣେ ଲାଗିଛନ୍ତି। ଶୁଣାଯାଉଛି ଗ୍ରାମାଞ୍ଚଳ ଭୋଟ ଉପରେ ଏବେ ଅଧିକ ଗୁରୁତ୍ୱ ଦିଆଯିବ।

“ଆମର ମହାସମ୍ପର୍କ ଯାତ୍ରା ଖୁବ ଭଲ ଚାଲିଛି ଓ ଯୁବକମାନେ ବିପୁଳ ସଂଖ୍ୟାରେ ସମର୍ଥନ କରିଛନ୍ତି”, ଏହା କହିଛନ୍ତି ବିଜେପିର ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ।

ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ଏହି ମାହୋଲ ବଜାୟ ରହିପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ବିଜେପି ଆଦିବାସୀ ମୋର୍ଚ୍ଚା ସଭାପତି ଓ କୁଚିଣ୍ଡା ବିଧାୟକ ରବି ନାରାୟଣ ନାଏକ କହନ୍ତି,”ଗ୍ରାମସଭା ଜରିଆରେ ଆମେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଚାହୁଁଛୁ। ଗାଁକୁ ଚାଲ କାର୍ଯ୍ୟକ୍ରମ ଜରିଆରେ ଆମେ ଭଲ ସମର୍ଥନ ପାଉଛୁ। ବିଶେଷକରି ଯୁବକମାନେ ଆମ କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହେଉଛନ୍ତି।”

ବିଜେପିର ଓଡ଼ିଶା ନେତାମାନେ ମାନୁଛନ୍ତି ଯେ ଉପକୂଳ ଓଡ଼ିଶାରେ ସେମାନଙ୍କର ପ୍ରଭାବ ନାହିଁ। କିନ୍ତୁ ନିର୍ବାଚନ ପାଖେଇ ଆସିବା ବେଳକୁ ବିଜେପି ପ୍ରତି ଲୋକଙ୍କ ସମର୍ଥନ ବୃଦ୍ଧି ପାଇବ ବୋଲି କହିଛନ୍ତି ଜଣେ ବିଧାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟକ ଗସ୍ତ ପରଠାରୁ ବିଜେପିର ନେତାମାନେ ଅଧିକ ଉତ୍ସାହିତ ହୋଇ ପଡ଼ିଛନ୍ତି। ଏହା ପରଠାରୁ ଉପକୂଳ ଓଡ଼ିଶାରେ ବିଜେପି ପ୍ରବେଶ କରିବା ସମ୍ଭବ ହୋଇଛି ବୋଲି କହିଛନ୍ତି ପୁରୋହିତ।

ବିଧାନସଭାରେ ବିଜେପିର ଯେଉଁ ୧୦ ଜଣ ସଦସ୍ୟ ଅଛନ୍ତି ସେମାନଙ୍କ ମଧ୍ୟରୁ ଉପକୂଳ ଓଡ଼ିଶାର ବିଧାୟକ ହେଉଛନ୍ତି ମାତ୍ର ଦୁଇ ଜଣ। ପଶ୍ଚିମ ଓଡ଼ିଶାରେ ହିଁ ବିଜେପିର ପ୍ରଭାବ ଦେଖିବାକୁ ମିଳୁଛି। କିନ୍ତୁ ଉପକୂଳ ମଧ୍ୟ ତାଙ୍କ କବ୍‌ଜାକୁ ଆସିବ ବୋଲି ନେତାମାନେ ଆଶା ରଖୁଛନ୍ତି।

LEAVE A REPLY

Please enter your comment!
Please enter your name here