ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀରେ ଶେଷ ହୋଇଛି ହାଇଭୋଲଟେଜ ପଲିଟିକାଲ ଡ୍ରାମା। ୯ ଦିନ ପରେ ଧାରଣାରୁ ଉଠିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ବରିଷ୍ଠ ଆଇଏଏସ୍ ଅଫିସର ଏବଂ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସହ ଆଲୋଚନା କରିବା ପରେ କେଜରିୱାଲ ତାଙ୍କ ଧାରଣା ପ୍ରତ୍ୟାହାର କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଅଫିସ ସମ୍ମୁଖରେ ବିଜେପି ବିଧାୟକ ଏବଂ ଆପ୍‌ର ବିଦ୍ରୋହୀ ନେତା କପିଲ ମିଶ୍ରା ଦେଇଥିବା ଧାରଣା ମଧ୍ୟ ପ୍ରତ୍ୟାହୃତ ହୋଇଛି। କେଜରିୱାଲ ଧାରଣାରୁ ଉଠି ଅଫିସକୁ ଆସନ୍ତୁ ବୋଲି ବିଜେପି ଏବଂ କପିଲ ମିଶ୍ର ଦାବି କରୁଥିଲେ।

“ଆମେ ଆଇଏଏସ୍ ଅଫିସରଙ୍କ ବିରୋଧରେ ଯାଉନାହୁଁ। ଦିଲ୍ଲୀରେ ୯୯% ଅଫିସର ଭଲ ଅଛନ୍ତି। ସେମାନଙ୍କ ସହ ମିଶି ଆମେ ଆଗାମୀ ଦିନରେ ଦିଲ୍ଲୀର ବିକାଶ ପାଇଁ କାମ କରିବୁ”, କହିଛନ୍ତି କେଜରିୱାଲ।

ସରକାରଙ୍କୁ ଅସହଯୋଗ କରୁଥିବା ଆଇଏଏସ୍ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଲୋକଙ୍କ ଘର ପାଖରେ ରାସନ ସାମଗ୍ରୀ ପହଞ୍ଚାଇବା ଦାବିରେ କେଜରିୱାଲ ଧାରଣା ଦେଇଥିଲେ। ତିନି ଜଣ ମନ୍ତ୍ରୀ ମଧ୍ୟ କେଜରିୱାଲ ସାଙ୍ଗରେ ଧାରଣା ଦେଇଥିଲେ।

ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ଆପ୍‌ର କିଛି ନେତା ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଆଇଏଏସ୍ ଅଫିସରମାନେ ପ୍ରତୀକ ଧାରଣା ଦେଇଥିଲେ। ଦିଲ୍ଲୀ ସରକାରଙ୍କୁ କୌଣସି କାମରେ ସହଯୋଗ କରୁ ନଥିଲେ। ଏହାର ପ୍ରତିବାଦରେ କେଜରିୱାଲ ଦିଲ୍ଲୀ ଉପ-ରାଜ୍ୟପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ।

LEAVE A REPLY

Please enter your comment!
Please enter your name here