ଓଡ଼ିଶାଲାଇଭ୍ ବ୍ୟୁରୋ
ଜାମ୍ମୁ-କାଶ୍ମୀରରେ ବଜେପି-ପିଡିପି ମେଣ୍ଟ ସରକାର ଭାଙ୍ଗିବା ପରେ ସେଠାରେ ରାଜ୍ୟପାଳ ଶାସନ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଗୋଟିଏପଟେ ରାଷ୍ଟ୍ରପତି ଶାସନ ପାଇଁ ଘମାଘୋଟ ଆଲୋଚନା ଚାଲିଥିବା ବେଳେ ତେଣେ ଜାମ୍ମୁ କାଶ୍ମୀରର ଭାଗ୍ୟକୁ ନେଇ ମୋଦି ସରକାର କିଛି ବଡ଼ ଫଇସଲା ନେଇପାରନ୍ତି। ଏନେଇ ଉଚ୍ଚ ସ୍ତରରେ ନିଷ୍ପତ୍ତି ନିଆଯାଇସାରିଛି।
କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ମାତ୍ରେ ଆତଙ୍କବାଦୀଙ୍କ ବିରୋଧରେ ଜୋରଦାର ଅପରେସନ ହେବ। ଏଥି ସହିତ ଯେଉଁମାନେ ଟେକା ପଥର ମାଡ଼ କରୁଛନ୍ତି ସେମାନଙ୍କୁ ମଧ୍ୟ କାବୁ କରାଯିବ।
କାଶ୍ମୀରରେ ଅମରନାଥ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ରୋକିବା ପାଇଁ ଠୋସ ପଦକ୍ଷେପ ଗ୍ରହଣ କରାଯିବ। ଏଥିପାଇଁ ରାଷ୍ଟ୍ରୀୟ ରାଇଫଲସ ଓ ଜାମ୍ମୁ-କାଶ୍ମୀର ପୋଲିସର ଦକ୍ଷିଣ କାଶ୍ମୀର ଇଲାକାରେ ବିଧିବଦ୍ଧ ପ୍ରସ୍ତୁତି ଆରମ୍ଭ ହୋଇଛି।
କୁହାଯାଉଛି ସେନାର ଯବାନ ଔରଙ୍ଗଜେବ ଓ ସାମ୍ବାଦିକ ସୁଜାତ ବୁଖାରୀଙ୍କ ହତ୍ୟା ପରେ ସେନା ଦକ୍ଷିଣ କାଶ୍ମୀରରେ ବିରାଟ ଆକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଆହୁରି ଖବର ମିଳିଛି ଯେ ଆଗାମୀ ଦିନରେ ସ୍ୱତନ୍ତ ଫୋର୍ସ ପକ୍ଷରୁ ‘ଅପରେସନ କିଲ ଟପ କମାଣ୍ଡର’ ଓ ‘ଅପେରସନ ଅଲ ଆଉଟ’ ଭଳି କିଛି ନୂଆ ପଦକ୍ଷେପ ନିଆଯିବ।


















