ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଜାମ୍ମୁ-କାଶ୍ମୀରରେ ବିଜେପି ଓ ପିଡିପିର ମେଣ୍ଟ ସରକାର ଭାଙ୍ଗିବା ପରେ ସେଠାରେ ରାଜ୍ୟପାଳ ଶାସନ ଜାରି କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ଲାଭ କରିବା ପରେ ଏହି ବ୍ୟବସ୍ଥା ଛଅ ମାସ ପାଇଁ ବଳବତ୍ତର ରହିବ।

ଜାମ୍ମୁ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହେବା ଏହା ପ୍ରଥମ ଘଟଣା ନୁହେଁ। ଗତ ଚାଳିଶି ବର୍ଷ ଭିତରେ କିଛି ନହେଲେବି ଆଠ ଥର ଏହି ବିଶୃଙ୍ଖଳିତ ରାଜ୍ୟ ଆସିଛି ରାଜ୍ୟପାଳଙ୍କ ଅଧିନକୁ।

ଅନିଶ୍ଚିତତା ଓ ଅଳ୍ପାୟୁ ସରକାର ଯୋଗୁଁ ସେଠାରେ ବାରମ୍ବାର ରାଜ୍ୟପାଳ ଶାସନ ଜାରି ହୋଇ ଆସିଛି। ୧୯୭୭ରେ ଶେଖ ଅବଦୁଲ୍ଲାଙ୍କ ନ୍ୟାସନାଲ କନଫେରେନ୍ସଠାରୁ କଂଗ୍ରେସ ସମର୍ଥନ ପ୍ରତ୍ୟାହାର କରିନେବା ପରେ ପ୍ରଥମ ଥର ପାଇଁ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା।

ପୂର୍ବରୁ ୧୯୭୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସହ ବୁଝାମଣା ପରେ ମେଣ୍ଟ ସରକାର ଗଠନ ହୋଇଥିଲା। କିନ୍ତୁ ଏହା ବେଶି ଦିନ ତିଷ୍ଠି ପାରିନଥିଲା। ମୋଟ ୧୦୫ ଦିନ ପାଇଁ ରାଜ୍ୟପାଳ ଶାସନ ଚାଲିବା ପରେ ପୁଣି ନିର୍ବାଚନ ହୋଇଥିଲା ଓ ଅବଦୁଲ୍ଲା ସରକାର ପୂରା ପାଞ୍ଚ ବର୍ଷ ଶାସନ କରିଥିଲେ।

୧୯୮୬ରେ ସେହି ବର୍ଷ ମାର୍ଚ୍ଚ ୬ ତାରିଖରେ ପୁଣି କଂଗ୍ରେସ ପକ୍ଷରୁ ସମର୍ଥନ ପ୍ରତ୍ୟାହାର କରି ନିଆଯାଇଥିଲା। ଫଳରେ ଗୁଲାମ ମହମ୍ମଦ ସରକାରର ପତ୍ତନ ଘଟିଥିଲା। ସେଥର ୨୪୬ ଦିନ ଧରି ରାଷ୍ଟ୍ରପତି ଶାସନ ଜାରି ରହିଥିଲା। ଗୁଲାମ ମହମ୍ମଦ ନିଜେ କିଛି ବିଧାୟକଙ୍କ ସହ ନ୍ୟାସନାଲ କନଫେରେନ୍ସରୁ ବାହାରି ଆସି ନୂଆ ସରକାର ଗଠନ କରିଥିଲେ।

ରାଷ୍ଟ୍ରପତି ଶାସନ ଉଠିଯିବା ପରେ କଂଗ୍ରେସ ସହିତ ବୁଝାମଣା ପରେ ଫରୁକ ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୯୦ରେ ଜାମ୍ମୁ କାଶ୍ମୀର ସର୍ବାଧିକ ସମୟ ପାଇଁ ରାଜ୍ୟପାଳ ଶାସନ ଅଧୀନରେ ରହିଥିଲା। ଜଗମୋହନ ମାଲହୋତ୍ରାଙ୍କୁ ରାଜ୍ୟପାଳ ନିଯୁକ୍ତି ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ପଦରୁ ଫାରୁକ ଇସ୍ତଫା ଦେବା ପରେ ତୃତୀୟ ଥର ପାଇଁ ରାଜ୍ୟପାଳ ଶାସନ ଲାଗୁ କରାଯାଇଥିଲା ଓ ଦୀର୍ଘ ଦିନ ପର୍ଯ୍ୟନ୍ତ ନିର୍ବାଚିତ ସରକାରର ନାଁ ଗନ୍ଧ ନଥିଲା।

୨୦୦୨ରେ ଏହି ବର୍ଷ ତ୍ରିଶଙ୍କୁ ବିଧାନସଭା ଫଳ ଆସିବା କାରଣରୁ ସେତେବେଳର ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ କାର୍ଯ୍ୟବାହୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ପାଇଁ କୁହାଯାଇଥିଲା। କିନ୍ତୁ ସେ ମନା କରିଦେଇଥିଲେ। ଏହି କାରଣରୁ ରାଜ୍ୟପାଳ ଶାସନ ଲାଗୁ କରାଯାଇଥିଲା।

ପନ୍ଦର ଦିନ ପରେ ମହମ୍ମଦ ସୟଦ କଂଗ୍ରେସ ଓ ସ୍ୱାଧୀନ ବିଧାୟକଙ୍କ ସହାୟତାରେ ସରକାର ଗଠନ କରିଥିଲେ। ୨୦୦୮ରେ ସେହିବର୍ଷ ଅମର ନାଥ ଯାତ୍ରାକୁ ନେଇ ବିବାଦ ସୃଷ୍ଟି ହେବା ଯୋଗୁଁ ଜାମ୍ମୁ କାଶ୍ମୀରରେ ରାଜ୍ୟପାଳ ଶାସନ ଜାରି କରାଯାଇଥିଲା।

ଅମରନାଥ ମନ୍ଦିର ଜମିକୁ ନେଇ ବିବାଦ ଦେଖାଦେବା ପରେ କଂଗ୍ରେସ ନେତୃତ୍ୱରେ ଚାଲିଥିବା ଗୁଲାମ ନବି ଆଜାଦ ସରକାର ଠାରୁ ପିଡ଼ିପି ସମର୍ଥନ ଫେରାଇନେବା ସହ ସରକାର ଭାଙ୍ଗିଯାଇଥିଲା ଓ ରାଜ୍ୟପାଳ ଶାସନ ଜାରି ହୋଇଥିଲା।

ଏହାପରେ ୨୦୦୯ ଜାନୁଆରୀ ୫ ତାରିଖରେ ସବୁଠାରୁ କମ ବର୍ଷ ବୟସରେ ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

୨୦୧୪ ବିଧାନସଭା ନିର୍ବାଚନରେ ଝୁଲା ବିଧାନସଭା ସୃଷ୍ଟି ହେବା ହେତୁ ଓମାର ଅବଦୁଲ୍ଲାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ଏହାପରେ ପିଡ଼ିପି ସହିତ ମିଶି ବିଜେପି ମେଣ୍ଟ କରିଥିଲା ଓ ମୁଫତି ମହମ୍ମଦ ସୟଦ ମୁଖ୍ୟମନ୍ତ୍ରୀ ହୋଇଥିଲେ।

୨୦୧୫ ମାର୍ଚ୍ଚ ୧ରେ ମୁଫତି ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୬ରେ ପିଡ଼ିପି ସୁପ୍ରିମୋ ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମହମ୍ମଦ ସୟଦଙ୍କ ମୃତ୍ୟୁ ପରେ ସପ୍ତମ ଥର ପାଇଁ କାଶ୍ମୀରରେ ରାଜ୍ୟପାଳ ଶାସନ ଚାଲିଲା।

ଏହି ସମୟରେ ବିଜେପି ଓ ପିଡ଼ିପି ସରକାର ଗଠନ ଠାରୁ କିଛି ଦିନ ପାଇଁ ବିରତି ନେବାକୁ ଚାହିଁଲେ। କିଛି ଦିନର ବ୍ୟବଧାନ ପରେ ଉଭୟ ଦଳ ପୁନର୍ବାର ସରକାର ଗଠନ ପାଇଁ ମନ ବଳାଇଲେ ଓ ୪ ଏପ୍ରିଲରେ ମେହବୁବା ମୁଫତି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Comment