ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ସି-ପ୍ଲେନ ଚଳାଚଳ କରିବା ପାଇଁ ସ୍ପାଇସ୍ ଜେଟ୍ କମ୍ପାନି ଓଡ଼ିଶା ସରକାରଙ୍କୁ ପ୍ରସ୍ତାବ ଦେଇଛି।

ଓଡ଼ିଶାର ୩ଟି ରୁଟ୍‌ରେ ସି-ପ୍ଲେନ ସେବା ଆରମ୍ଭ କରିବ ସ୍ପାଇସ୍ ଜେଟ୍। ଏନେଇ ସ୍ପାଇସ୍ ଜେଟ୍ କର୍ତ୍ତୃପକ୍ଷ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି।

ସି-ପ୍ଲେନ ଭୁବନେଶ୍ୱରରୁ ଭାୟା ଚିଲିକା ଦେଇ ପୁରୀ ଚଳାଚଳ ପାଇଁ ପ୍ରସ୍ତାବ ରହିଛି। ଦ୍ୱିତୀୟ ରୁଟ୍ ଭୁବନେଶ୍ୱରରୁ ଭାୟା ଭିତରକନିକା ଦେଇ ଚାନ୍ଦିପୁର ଏବଂ ତୃତୀୟ ରୁଟ୍ ଭୁବନେଶ୍ୱରରୁ ହୀରାକୁଦ ଡ୍ୟାମକୁ ସି-ପ୍ଲେନ ଚଳାଚଳ କରିବା ପାଇଁ ପ୍ରସ୍ତାବ ରହିଛି।

ଚିଲିକାରେ ୱାଟର ଏରୋଡ୍ରମ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଏଥିପାଇଁ ପ୍ରାଥମିକ ସର୍ଭେ ଶେଷ ହୋଇଛି। ସ୍ପାଇସ୍ ଜେଟ୍ କମ୍ପାନି ସି-ପ୍ଲେନ ଚଳାଚଳ କରିବାକୁ ଆଗ୍ରହ ପ୍ରକାଶ କରିଛି।

ୱାଟର ଏରୋଡ୍ରମ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟ ଶେଷ ହୋଇଛି। ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ବରିଷ୍ଠ ଅଧିକାରୀ, ସ୍ପାଇସ୍ ଜେଟ୍, ଭୁବନେଶ୍ୱର ପାଣିପାଗ କେନ୍ଦ୍ର, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଜଳସମ୍ପଦ ବିଭାଗ ଅଧିକାରୀଙ୍କୁ ନେଇ ଗଠନ ହୋଇଥିବା ସ୍ୱତନ୍ତ୍ର ଟିମ୍ ଏନେଇ ସର୍ଭେ କରିଛନ୍ତି।

ଜୁନ୍ ୧୪ ଓ ୧୫ ତାରିଖରେ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ମହାପ୍ରବନ୍ଧକ ସଙ୍ଗୀତା ମହାୟଙ୍କ ନେତୃତ୍ୱରେ ଏକ ଟିମ୍ ଚିଲିକାରେ ବିମାନବନ୍ଦର ପାଇଁ ଫିଜିବିଲିଟି ଷ୍ଟଡି କରିଛନ୍ତି। ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ବିମାନବନ୍ଦର ନିର୍ମାଣ ହେବ ବୋଲି ଜଣାପଡ଼ିଛି।

ଏହି ବିମାନବନ୍ଦର ନିର୍ମାଣ ହେଲେ ପର୍ଯ୍ୟଟକମାନେ ଚିଲିକା ମଝିରେ ସିଧାସଳଖ ବିମାନରୁ ଓହ୍ଲାଇବେ। ବିମାନରୁ ଓହ୍ଲାଇ ଡଙ୍ଗାରେ କୂଳକୁ ଆସିବେ ଏବଂ କୂଳରୁ ଡଙ୍ଗାରେ ଯାଇ ବିମାନରେ ଚଢ଼ିବେ।

ଭାରତୀୟ ବିମାନବନ୍ଦରର ବୈଷୟିକ ଟିମ୍ ସାତପଡ଼ା ଏବଂ ବାଲୁଗାଁ ପାର୍ଶ୍ୱରୁ ଚିଲିକାକୁ ସର୍ଭେ କରିଛନ୍ତି। ଚିଲିକା ମଝିରେ କିପରି ବିମାନ ଅବତରଣ କରିବ ଏବଂ କେଉଁ ଦିଗରେ ବିମାନ ବନ୍ଦର କଲେ ସମସ୍ୟା ହେବନି ସେନେଇ ସର୍ଭେ ହୋଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସାତପଡ଼ା ପାର୍ଶ୍ବରେ ବହୁତ ଚିଙ୍ଗୁଡ଼ିଘେରି ରହିଛି। ଏହି ପାର୍ଶ୍ୱରେ ଦଳ ଅଧିକା ରହିବା ସହ ପାଣି ବି କମ୍ ରହୁଛି। ସାତପଡ଼ାରୁ ବିମାନ ଉଡ଼ାଣ କଲେ ଯାତ୍ରୀ ହେବାର ସମ୍ଭାବନା କମ୍ ଥିବାରୁ ବାଲୁଗାଁ ପାର୍ଶ୍ୱରେ ଏହି ବିମାନବନ୍ଦର କରିବା ପାଇଁ ଯୋଜନା ହେଉଥିବା ଜଣାପଡ଼ିଛି।

ଚିଲିକା ମଝିରେ ବିମାନବନ୍ଦର ନିର୍ମାଣ ହେଲେ ଯୁଦ୍ଧ ବିମାନ ଅବତରଣ କରିବା ସହ ଗୋଟିଏ ଇଞ୍ଜିନ ବିଶିଷ୍ଟ ବିମାନ ଅବତରଣ କରିବ। ଏଠାରେ ପ୍ରାୟ ୫୦୦ ଫୁଟର

ରନୱେ ନିର୍ମାଣ କରିବା ପାଇଁ ପ୍ରସ୍ତାବ ରହିଛି। ସ୍ପାଇସ୍ ଜେଟ୍ ବିମାନ କମ୍ପାନି ଉଡ଼ାଣ ଆରମ୍ଭ କରିବା ପାଇଁ ରାଜି ହୋଇଛି। ପରବର୍ତ୍ତୀ ସମୟରେ ଏହାକୁ ଉଡ଼ାଣ ଯୋଜନାରେ ସାମିଲ କରାଯିବାର ପ୍ରସ୍ତାବ ରହିଛି।

Comment