ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି-ଜେଡିୟୁ ମେଣ୍ଟରେ ଫାଟ!

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମରସଜ୍ଜା ଆରମ୍ଭ ହୋଇଛି। ବିଜେପିକୁ ଟକ୍କର ଦେବା କଂଗ୍ରେସ ମହାମେଣ୍ଟ କରିବା ପାଇଁ ଯୋଗାଡ ଚଳାଇଥିବାବେଳେ ବିଜେପି ମେଣ୍ଟ ସଜାଡିବା ପାଇଁ ଉଦ୍ୟମ ଚଳାଇଛି। ଏସବୁ ଭିତରେ ବିହାର ରାଜନୀତି ସବୁଠୁ ରୋଚକ ସ୍ଥିତିରେ ରହିଛି।

୨୦୧୯ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି-ଜେଡିୟୁ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ଗତ କିଛିଦିନ ହେବ ସିଟକୁ ନେଇ ଦୁଇଦଳ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଯାଇଛି।

ଆରଜେଡିକୁ ପର କରିଦେଇ ନୀତିଶ ବିଜେପି ହାତ ଧରିଥିଲେ। କିନ୍ତୁ ରାଜ୍ୟର ସ୍ଵାର୍ଥ ଦୃଷ୍ଟିରୁ ୨୦୧୯ ନିର୍ବାଚନ ପାଇଁ ବିଜେପି ସହ ମେଣ୍ଟ ରଖିବା ପାଇଁ ଜେଡିୟୁ ଅନେକ କିଛି ସର୍ତ୍ତ ରଖିଛନ୍ତି। ଯାହାକୁ ନେଇ ଦୁଇ ଦଳ ମଧ୍ୟରେ ଆରମ୍ଭ ହୋଇଛି ବାକଯୁଦ୍ଧ। ବିହାରରେ ୪୦ଟି ଲୋକସଭା ଆସନ ମଧ୍ୟରୁ ଅତିକମରେ ୨୫ଟି ଲୋକସଭା ଆସନରେ ଜେଡିୟୁ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି। ଏହାଦ୍ୱାରା ବିହାର ପରି ରାଜ୍ୟରେ ଜେଡିୟୁ ସବୁଠାରୁ ବଡ଼ ଦଳ ଭାବରେ ପ୍ରମାଣିତ କରିବାକୁ ମନ ବଳାଇଛି। ଯାହାକୁ ନେଇ ବିଜେପି ଚିନ୍ତାରେ ପଡ଼ିଯାଇଛି।

ଅପରପକ୍ଷରେ ବିହାର ପରି ରାଜ୍ୟରେ ଯେତେ ସମ୍ଭବ ଅଧିକ ଲୋକସଭା ଆସନ ଜିତିବାକୁ ବିଜେପି ଲକ୍ଷ ରଖିଛି। ବିଧାନସଭା ନିର୍ବାଚନ ଅପେକ୍ଷା ଲୋକସଭା ନିର୍ବାଚନରେ ନିଜ ସ୍ଥିତିକୁ ସୁଦୃଢ ରଖିବା ବିଜେପି ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜରେ ପରିଣତ ହେବାରେ ଲାଗିଛି।

ବିହାରରେ ୨୦୧୪ ପରିସ୍ଥିତି ଏବେ ନାହିଁ ବୋଲି ଜେଡିୟୁ ନେତାମାନେ ମନ୍ତବ୍ୟ ଦେଇଛନ୍ତି। ପୂର୍ବ ଫର୍ମୁଲା ଅନୁଯାୟୀ ୨୫ଟି ଲୋକସଭା ଆସନରେ ଜେଡିୟୁ ପ୍ରାର୍ଥୀ ଦେବ। ଯଦି ବିଜେପିର ସାହସ ଅଛି ତେବେ ନୀତିଶ କୁମାରଙ୍କ ବିନା ୪୦ଟି ଲୋକସଭା ଆସନରେ ପ୍ରାର୍ଥୀ ଛିଡ଼ା କରି ଦେଖାଉ ବୋଲି ଜେଡିୟୁ କହିଛି।

ଜେଡିୟୁର ଏହି ମନ୍ତବ୍ୟ ଉପରେ ପାଲଟା ଜବାବ ଦେଇଛି ବିଜେପି। ଗତ ନିର୍ବାଚନରେ  ବିଜେପି ଯେଉଁ ୨୨ଟି ଆସନରେ ପ୍ରାର୍ଥୀ ଦେଇଥିଲା ଏଥର ମଧ୍ୟ ତାହା ବଳବତ୍ତର ରହିବ ବୋଲି କହିଛି ବିଜେପି।

ସିଟ ଛଡ଼ା ଆଉ ୫ଟି ମୁଦ୍ଦା ରହିଛି ଯାହାକୁ ନେଇ ନୀତିଶ କୁମାର ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଲାଗିଛି।

ନୋଟବନ୍ଦୀ
ନୋଟବନ୍ଦୀକୁ ଅନ୍ୟ ବିରୋଧୀ ଦଳମାନେ ସମାଲୋଚନା କରିଥିଲେ ମଧ୍ୟ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହାକୁ ବେଶ୍‍ ପ୍ରଶଂସା କରିଥିଲେ। ଏବେ ନୀତିଶ ତାଙ୍କ ସ୍ୱର ବଦଳାଇ ନୋଟବନ୍ଦୀ ଦ୍ୱାରା ଦେଶବାସୀ ଉପକୃତ ହୋଇ ପାରିନାହାନ୍ତି କହିଛନ୍ତି।

ରାସ୍ତା ନିର୍ମାଣ

ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ବିହାର ସରକାରଙ୍କୁ ସର୍ବାଧିକ ଟଙ୍କା ଦେଇଥିବାବେଳେ ଏହାକୁ ନୀତିଶ ସରକାର ବିରୋଧ କରି ପାଲଟା ପ୍ରେସ ବିଜ୍ଞପ୍ତି ଜାରି କରିଦେଇଛି। ଏଥିରେ କେନ୍ଦ୍ର ରାଜ୍ୟକୁ ଦେଇଥିବା ଅନୁଦାନ ପର୍ଯ୍ୟାପ୍ତ ନୁହେଁ ବୋଲି ନୀତିଶ ସରକାର ଦାବି କରିଛି।

ଗଙ୍ଗା ସଫେଇ

ସଫେଇ ନାମରେ କେନ୍ଦ୍ରର ପ୍ରୟାସକୁ ନୀତିଶ ସମାଲୋଚନା କରିବା ସହ ଏହାକୁ ଏକ ବିଫଳ ଯୋଜନା ବୋଲି କହିଛନ୍ତି।

ଫସଲ ବୀମା

ଫସଲ ବୀମାକୁ ନେଇ ପ୍ରଧାନମନ୍ତ୍ରୀ କୃଷକଙ୍କ ବଡ଼ ସଫଳତା ବୋଲି ପ୍ରଚାର କରୁଥିବାବେଳେ ନୀତିଶ ସରକାର ଏହାକୁ ଏକ ପଥଭ୍ରଷ୍ଟ ଯୋଜନା ବୋଲି ମନ୍ତବ୍ୟ ଦେଇଛନ୍ତି।

ସ୍ଵତନ୍ତ୍ର ରାଜ୍ୟ ପାହ୍ୟା

ବିହାରକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ହେବା ପାଇଁ ନୀତିଶ କେବେଠାରୁ ସ୍ଵର ଉତ୍ତୋଳନ କରିଆସୁଛନ୍ତି।ଏନେଇ କେନ୍ଦ୍ର ସରକାରର ଉଦାସୀନତାକୁ ଦେଖି ବିଜେପି ବିରୋଧରେ ମନ୍ତବ୍ୟ ଦେଉଛନ୍ତି ଜେଡିୟୁ ନେତା।

Comment