ଓଡ଼ିଶାଲାଇଭ୍ ବ୍ୟୁରୋ
ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରିବା ପାଇଁ ପ୍ରସ୍ତୁତ ହେଉଛି ଯୁବ କଂଗ୍ରେସ।
ଜୁଲାଇ ପହିଲାରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ। ଏଥିପାଇଁ ବିଜେପି ଶିବିରରେ ଉତ୍ସାହ ଲାଗି ରହିଥିବା ବେଳେ କଂଗ୍ରେସ କିନ୍ତୁ ବିରୋଧ କରିବାକୁ ସଜବାଜ ହେଉଛି।
ଓଡ଼ିଶାବାସୀଙ୍କ ସ୍ୱାର୍ଥ ଏବଂ ଭାବାବେଗ ସହ ବିଜେପି ଖେଳିଥିବାରୁ ଅମିତ ଶାହ ଯୁଆଡ଼େ ଯିବେ ସିଆଡ଼େ ବିରୋଧ କରାଯିବ ବୋଲି ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ କହିଛନ୍ତି।
“ଓଡ଼ିଶାବାସୀଙ୍କ ଭାବାବେଗ ସହ ଖେଳିଛନ୍ତି ଅମିତ ଶାହ। ମହାନଦୀ ବିବାଦ ସମାଧାନ ନକରି ଓଡ଼ିଶାବାସୀଙ୍କ ସହ ଖେଳ ଖେଳିଛି ବିଜେପି। ସେହିପରି ଯୁବକମାନଙ୍କ ସହ ପ୍ରତାରଣା କରିଛି ବିଜେପି। ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାରେ ବିଜେପି ଅସମର୍ଥ। ଏଣୁ ଅମିତ ଶାହଙ୍କ ଗସ୍ତକୁ ବିରୋଧ କରାଯିବ”, କହିଛନ୍ତି ଲୋକନାଥ ମହାରଥୀ।
ଯୁବ କଂଗ୍ରେସର ଏହି ନିଷ୍ପତ୍ତିକୁ ବିରୋଧ କରିଛି ବିଜେପି। ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, “ଅମିତ ଶାହଙ୍କ ଗସ୍ତକୁ କଂଗ୍ରେସ ବିରୋଧ କରିବ ତାହାଲେ ଆମେ ଖୁସି ହେବୁ। କାରଣ କଂଗ୍ରେସ ଯାହା କହୁଛି ତାହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ।”