ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକ ରାଜନୀତି ପୁଣି ଥରେ ଗୋଳିଆ। କଂଗ୍ରେସ ସହାୟତାରେ ରାଜ୍ୟରେ ଜେଡିଏସ ନେତା ଏଚଡି କୁମାରସ୍ଵାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପଦ ସମ୍ଭାଳିବାର ଦୁଇମାସ ନପୂରୁଣୁ ଦୁଇ କଂଗ୍ରେସ-ଜେଡିଏସ ମଧ୍ୟରେ ବାଦବିବାଦ ଦେଖାଯାଇଛି।

କଂଗ୍ରେସ ସହ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ଦାୟିତ୍ଵ ସମ୍ଭାଳିବାବେଳେ କୁମାରସ୍ଵାମୀ କହିଥିଲେ, “ଜନତାଙ୍କ ଭୋଟ୍‌ନୁହେଁ, କଂଗ୍ରେସ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଦୟାରେ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।” କିନ୍ତୁ ଏବେ ମତ ବଦଳାଇ କୁମାରସ୍ୱାମୀ କହିଛନ୍ତି, “ମୁଁ କାହାରି ଦୟାରେ ମୁଖ୍ୟମନ୍ତ୍ରୀ ହୋଇନାହିଁ, କି କିଏ ମୋତେ ଏହି ପଦ ଦାନ ଦେଇ ନାହିଁ। କେତେଦିନ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ରହିବି ସେଥିପାଇଁ ମୁଁ ଆଦୌ ଚିନ୍ତିତ ନୁହେଁ।”

କୁମାରସ୍ୱାମୀଙ୍କ ଏହି ମନ୍ତବ୍ୟରୁ ବୁଝାପଡ଼ୁଛି ଯେ ଦୁଇ ଦଳଙ୍କ ମଧ୍ୟରେ ସବୁକିଛି ଠିକ୍ ନାହିଁ।

ଗତକିଛିଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏକ ବୈଠକ କରୁଛନ୍ତି। ଭିଡିଓରେ ସିଦ୍ଧରମୈୟା କହୁଛନ୍ତି, ଗତଥର ଯେଉଁ ବଜେଟ ସେ ପ୍ରସ୍ତୁତ କରିଥିଲେ। ସେହି ଆଧାରରେ ଏଥର ବଜେଟ ପ୍ରସ୍ତୁତ କରାଯିବ।

ଯଦି ଏଥର ନୂଆ ବଜେଟ ପ୍ରସ୍ତୁତ କରାଯିବ ତେବେ ଲୋକଙ୍କ ଫୋକସ ଜେଡିଏସ ଉପରେ ରହିବ। କଂଗ୍ରେସ ଉପରୁ ଲୋକଙ୍କ ଫୋକସ ହଟିଯିବ। କଂଗ୍ରେସ ନେତାମାନେ ଏହା ଭାବୁଛନ୍ତି।

କୁମାରସ୍ଵାମୀ ଚାହୁଁଛନ୍ତି ନୂଆ ବିଧାୟକମାନେ ନିର୍ବାଚିତ ହୋଇ ଆସିଥିବାରୁ ଏଥର ବଜେଟ୍ ମଧ୍ୟ ନୂଆ ଭାବେ ପ୍ରସ୍ତୁତ ହେବ। ଏହି କଥାକୁ ନେଇ କଂଗ୍ରେସ ଓ ଜେଡିଏସ ମଧ୍ୟରେ ଦୂରତା ଆସିଛି।

କଂଗ୍ରେସର ଅସୁନ୍ତଷ୍ଟ ଗୋଷ୍ଠୀର କିଛି ବିଧାୟକ ଭାରତୀୟ ଜନତା ପାର୍ଟି ସହିତ ହାତ ମିଳାଇ କୁମାରସ୍ୱାମୀଙ୍କ ସରକାରକୁ ଭାଙ୍ଗି ପୁଣି ଥରେ ରାଜ୍ୟରେ ୟେଦୁରପ୍ପାଙ୍କ ସରକାର ଗଠନ ପାଇଁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here