ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲି ଯୌତୁକ ଜନିତ ନିର୍ଯାତନା ବୃଦ୍ଧି ପାଉଥିବାବେଳେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଳକ ବଳଭଦ୍ରପୁର ଗାଁର ଜଣେ ଯୁବକ ସମାଜ ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।

ନିଆରା ବାହାଘର। ନା ଅଛି ଡିଜେ ନା ଅଛି ଡ୍ୟାନ୍ସ। ହାତରେ ଗୋଟିଏ ଗୋଟିଏ ଚାରା ଧରି ହେଉଛି ବରଯାତ୍ରୀ ରୋଷଣୀ। ଶଙ୍ଖ ଓ ମହୁରୀ ବାଜିବାଜି ସମସ୍ତଙ୍କୁ ବଣ୍ଟାଯାଉଛି ଚାରା ଗଛ। ଏମିତି ଏକ ସ୍ଵତନ୍ତ୍ର ବାହାଘର ଦେଖିବାକୁ ମିଳିଥିଲା କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଳକ ବଳଭଦ୍ରପୁର ଗାଁରେ।

ଯୌତୁକରେ ୧୧୦୦ଟି ଚାରା ଗଛ ଆଣି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଗାଁର ସରୋଜକାନ୍ତ ବିଶ୍ୱାଳ। ପେସାରେ ସେ ଜଣେ ବିଜ୍ଞାନ ଶିକ୍ଷକ। ଛୋଟବେଳୁ ସରୋଜଙ୍କ ସ୍ୱପ୍ନ ଥିଲା ବିନା ଯୌତୁକରେ ବିବାହ କରିବା।

ନିର୍ବନ୍ଧ ସମୟରେ ସରୋଜ ଯୌତୁକ ନେବେନି ବୋଲି ମନା କରି ଦେଇଥିଲେ। କିନ୍ତୁ କନ୍ୟା ପକ୍ଷରୁ ବାଧ୍ୟ କରିବାରୁ ସେ ୧୧୦୦ଟି ଚାରା ଗଛ ମାଗିଥିଲେ।

ପରିବେଶ ସୁରକ୍ଷା ସଚେତନତା ସହ ଯୌତୁକ ବିରୋଧରେ ଏହା ହେଉଛି ସରୋଜଙ୍କ ପ୍ରୟାସ। ବିନା ସାଜସଜା, ବିନା ରୋଷଣୀରେ ବର ଜଣଙ୍କ ପ୍ରାୟ ଅଢେଇ କିଲୋମିଟର ପାଦରେ ଚାଲି ଚାଲି ଯାଇ କନ୍ୟା ଘରେ ପହଞ୍ଚି ଥିଲେ।

ସରୋଜ ଚାଲି ଚାଲି କନ୍ୟା ଘରକୁ ଯିବା ସମୟରେ ରାସ୍ତାରେ ଲୋକଙ୍କୁ ଚାରା ବଣ୍ଟନ କରିବା ସହ ଭୋଜିରେ ଆସିଥିବା ଅତିଥି ମାନଙ୍କୁ ମଧ୍ୟ ଚାରା ବଣ୍ଟନ କରିଥିଲେ।

ଏପରିକି ଏହି ବାହା ଘରରେ ପଲିଥିନ ମଧ୍ୟ ବ୍ୟବହାର କରାଯାଇନଥିଲା ଏଭଳି ବାହାଘରକୁ ବିଭିନ୍ନ ମହଲରୁ ପ୍ରଂଶସା କରାଯାଇଛି।

Comment