ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରାୟ ୯ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ନସୁଝି ବିଦେଶ ପଳାଇଯାଇଥିବା ବିଜୟ ମାଲ୍ୟା ଏବେ ମୁହଁ ଖୋଲିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅରୁଣ ଜେଟଲୀଙ୍କୁ ଚିଠି ଲେଖିଥିଲେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା। ୧୫ ଏପ୍ରିଲ ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ଏବଂ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଚିଠି ଲେଖିଥିଲେ ମାଲ୍ୟା। ସେ ସମୟରେ ଲେଖିଥିବା ଚିଠିକୁ ସାର୍ବଜନୀନ କରିଛନ୍ତି ଖୋଦ୍ ମାଲ୍ୟା। ବିଭିନ୍ନ ସମୟରେ ତାଙ୍କୁ ଫେରାର ଅଭିଯୁକ୍ତ କହୁଥିବା କଥାକୁ ନାପସନ୍ଦ କରିଛନ୍ତି।

ଟ୍ଵିଟ୍‌ କରି ସେ ଲେଖିଛନ୍ତି ଯେ ତାଙ୍କୁ ଭାରତରେ ବ୍ୟାଙ୍କ ଠକେଇର ପୋଷ୍ଟରବୟ ବନେଇ ଦିଆଯାଇଛି। ବ୍ୟାଙ୍କମାନେ ତାଙ୍କୁ ଇଚ୍ଛାକୃତ ବ୍ୟାଙ୍କ ଖିଲାପୀ ବୋଲି କହୁଛନ୍ତି। ରାଜନୈତିକ ଦଳ ଓ ମିଡିଆ ତାଙ୍କୁ ଏକ ଅପରାଧୀ ପରି ଟାର୍ଗେଟ କରୁଛନ୍ତି ବୋଲି ସେ କହିଛନ୍ତି।

୯ ହଜାର କୋଟି ଟଙ୍କାର ଋଣ କିଙ୍ଗଫିସର ଏୟାରଲାଇନ୍ସକୁ ଦିଆଯାଇଥିଲା, କିନ୍ତୁ ସେ ଏହି ଅର୍ଥ ଚୋରୀ କରି ନେଇଛନ୍ତି ବୋଲି ପ୍ରଚାର କରାଯାଉଛି। କିନ୍ତୁ ସେ ଇଚ୍ଛାକରି ଋଣ ଖିଲାଫ କରିନାହାନ୍ତି ବୋଲି କହିଛନ୍ତି। ଯଦି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହସ୍ତକ୍ଷେପ ଜାରି ରହେ ସେ ନିଜର ଦେୟ ପରିଶୋଧ କରିପାରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।

ତାଙ୍କ ପକ୍ଷ କେହି ନ ଶୁଣି ତାଙ୍କୁ ଅପରାଧୀ ବିବେଚନା କରାଯାଉଛି। ନିଜର ପକ୍ଷ ରଖି ସେ ୨୦୧୬ରେ ଏପ୍ରିଲ ୧୫ରେ ଉଭୟ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। କିନ୍ତୁ ଏହାର କୌଣସି ଜବାବ ଆସିନଥିଲା।

ବ୍ୟାଙ୍କକୁ ସମସ୍ତ ଋଣ ପଇଠ କରିବା ପାଇଁ ସେ ସବୁବେଳେ ଚେଷ୍ଟା କରିଛନ୍ତି। ତେବେ ବ୍ୟାଙ୍କ ପକ୍ଷରୁ ଋଣ ଏବଂ ଏହାସହ ସୁଧର ଟଙ୍କାକୁ ଅଧିକ ଆକାରରେ ଦର୍ଶାଯାଇଥିବା ସେ କହିଛନ୍ତି। ତେବେ ଚିଠିରେ ସେ ଟଙ୍କା ଫେରାଇବା ନେଇ ସହମତି ପ୍ରକାଶ କରିଛନ୍ତି। ଭାରତୀୟ ବ୍ୟାଙ୍କକୁ ଟଙ୍କା ଫେରାଇବା ପାଇଁ ଗତ ସପ୍ତାହରେ ୟୁକେ କୋର୍ଟ ମାଲ୍ୟାଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଦୁଇ ସପ୍ତାହ ପରେ ଲଣ୍ଡନର ଏକ କୋର୍ଟରେ ଏହି ମାମଲାର ଶୁଣାଣି ହେବ।

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ନେତୃତ୍ୱରେ ଗଠିତ ବ୍ୟାଙ୍କ କନ୍‌ସୋର୍ଟିୟମ୍‌ଠାରୁ ୯,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଋଣ ଖିଲାପ କରି ଅଚଳ ଘୋଷିତ କିଙ୍ଗ୍‌ଫିଶର ଏୟାର୍‌ଲାଇନ୍ସର ମାଲିକ ମାଲ୍ୟା ବିଦେଶକୁ ଫେରାର୍‌ ହୋଇଯାଇଛନ୍ତି। 

Comment