ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରତିଶ୍ରୁତି ମନେପକାଇ ଦେବା ପାଇଁ ରାଉରକେଲାରୁ ନୂଆଦିଲ୍ଲୀ ପଦଯାତ୍ରା କରିଥିବା ମୁକ୍ତିକାନ୍ତ ବିଶ୍ୱାଳ ନିରାଶ ହୋଇଛନ୍ତି।
- ଜୁଏଲ ଓରାମଙ୍କୁ ଭେଟିଲେ ମୁକ୍ତିକାନ୍ତ
- ମୁକ୍ତିକାନ୍ତଙ୍କୁ ନିରାଶ କଲେ ଜୁଏଲ
- ପଦଯାତ୍ରା ପଛରେ କଂଗ୍ରେସର ହାତ: ଜୁଏଲ
- ପ୍ରଧାନମନ୍ତ୍ରୀଙ୍କୁ ନଭେଟିଲେ ଅନଶନ କରିବି: ମୁକ୍ତିକାନ୍ତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ କେତେ ଆଶାନେଇ ରାଉରକେଲାରୁ ନୂଆଦିଲ୍ଲୀ ଯାଇଥିଲେ ମୁକ୍ତିକାନ୍ତ ବିଶ୍ୱାଳ। ୧୩୫୦ କିମି ବାଟ ଚାଲିଚାଲି ମୁକ୍ତିକାନ୍ତ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଆଶା କରିଥିଲେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସେ ତାଙ୍କ ପ୍ରତିଶ୍ରୁତିକୁ ମନେପକାଇଦେବେ। ହେଲେ ସେମିତି କିଛି ଘଟିବା ଆଗରୁ ମୁକ୍ତିକାନ୍ତଙ୍କୁ ନିରାଶ ହେବାକୁ ପଡ଼ିଛି।
ପ୍ରଧାନମନ୍ତ୍ରୀଙ୍କ ଦପ୍ତର ତ ଦୂରର କଥା ମୁକ୍ତିକାନ୍ତଙ୍କୁ ତାଙ୍କ ସାଂସଦ ଜୁଏଲ ଓରାମଙ୍କ ପାଖରୁ ହିଁ ନିରାଶ ହେବାକୁ ପଡ଼ିଛି।
ଏପ୍ରିଲ ୧୬ ତାରିଖରୁ ମୁକ୍ତିକାନ୍ତ ରାଉରକେଲାରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ହାତରେ ତ୍ରିରଙ୍ଗା ଧରି ୧୩୫୦ କିମି ରାସ୍ତା ଚାଲିବାକୁ ମନରେ ସାହସ ବାନ୍ଧିଥିଲେ ମୁକ୍ତିକାନ୍ତ। ବାଟରେ ବହୁ ବାଧାବିଘ୍ନକୁ ସାମ୍ନା କରି ଜୁନ୍ ୨୬ରେ ମୁକ୍ତିକାନ୍ତ ଦିଲ୍ଲୀରେ ପହଞ୍ଚିଥିଲେ।
ଆଜି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କୁ ଭେଟିଥିଲେ ମୁକ୍ତିକାନ୍ତ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବାରେ ଜୁଏଲ ତାଙ୍କୁ ସହାୟତା କରିବେ ବୋଲି ଆଶା ରହିଥିଲା। କିନ୍ତୁ ଗଣମାଧ୍ୟମ ଆଗରେ ଜୁଏଲ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ମୁକ୍ତିକାନ୍ତଙ୍କୁ ନିରାଶ କରିଛି।
“ମୁକ୍ତିକାନ୍ତ ଯେଉଁ କାମ ପାଇଁ ରାଉରକେଲାରୁ ନୂଆଦିଲ୍ଲୀ ପଦଯାତ୍ରା କରିଛନ୍ତି ସେ କାମ ଆରମ୍ଭ ହୋଇସାରିଛି। ଏଣୁ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ନୂଆଦିଲ୍ଲୀ ଆସିବାର କିଛି କାରଣ ନଥିଲା। ମୁକ୍ତିକାନ୍ତଙ୍କର ଏହି ପଦଯାତ୍ରା ପଛରେ କିଛି ରାଜନୀତିକ ଉଦ୍ଦେଶ୍ୟ ରହିଛି। କଂଗ୍ରେସ ସମର୍ଥନରେ ସେ ପଦଯାତ୍ରାରେ ଦିଲ୍ଲୀ ଆସିଥିବା ଭଳି ମନେହେଉଛି”, କହିଛନ୍ତି ଜୁଏଲ ଓରାମ।
ଜୁଏଲଙ୍କ ଏହି ମନ୍ତବ୍ୟ ଶୁଣିବା ପରେ ମୁକ୍ତିକାନ୍ତଙ୍କ ଜିଦ୍ ଆହୁରି ବଢ଼ିଯାଇଛି।
ମୁକ୍ତିକାନ୍ତ କହିଛନ୍ତି, “ଆମ ଜନପ୍ରତିନିଧିଙ୍କୁ ଭେଟି ଆମ ଗାଁର ସମସ୍ୟା କଥା କହିଲି। ହେଲେ ତାଙ୍କ ମନ୍ତବ୍ୟ ମୋତେ ନିରାଶ କରିଛି। ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଦିଲ୍ଲୀ ଆସିଛି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଚେଷ୍ଟା କରିବି। ନହେଲେ ଦିଲ୍ଲୀରେ ଅନଶନରେ ବସିବି।
୨୦୧୫ ଏପ୍ରିଲ ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଗସ୍ତରେ ଆସିଥିଲେ। ସମାବେଶରେ ଉଦବୋଧନ ଦେଇଥିଲେ ଯେ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ)କୁ ଆଧୁନିକୀକରଣ କରାଯିବ। ଦୁଇ ବର୍ଷ ପୂରିଥିଲେ ବି ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ନାହାନ୍ତି। ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରତିଶ୍ରୁତି ମନେପକାଇଦେବା ପାଇଁ ମୁକ୍ତିକାନ୍ତ ଚାଲି ଚାଲି ଦିଲ୍ଲୀ ଆସିଛନ୍ତି।
ମୁକ୍ତିକାନ୍ତ ଆଗ୍ରାରେ ପହଞ୍ଚିବା ପରେ ଅସୁସ୍ଥ ହୋଇଯାଇଥିଲେ। ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୁକ୍ତିକାନ୍ତ ପଦଯାତ୍ରାକୁ ନେଇ ଟୁଇଟରରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ। ରାଉରକେଲାରେ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣର ଭିଡିଓ ଅପ୍ଲୋଡ କରି ମୋଦିଙ୍କୁ ଟାର୍ଗେଟ କରିଥିଲେ।
On 1st April, 2015 the PM played an April Fools’ day joke on the people of Orissa, as seen in this video. The Congress party has begun a fund raise to shame the PM into keeping the promise he made. Please contribute generously using this link: https://t.co/zQDHuIMFJn pic.twitter.com/CGM8we9AJ6
— Rahul Gandhi (@RahulGandhi) June 23, 2018








ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରତିଶ୍ରୁତି ମନେପକାଇ ଦେବା ପାଇଁ ରାଉରକେଲାରୁ ନୂଆଦିଲ୍ଲୀ ପଦଯାତ୍ରା କରିଥିବା ମୁକ୍ତିକାନ୍ତ ବିଶ୍ୱାଳ ନିରାଶ ହୋଇଛନ୍ତି।









