ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପିରେ ଯୋଗ ଦେଲେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି ଏବଂ କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନମଣ୍ଡଳୀର ଯୁବନେତା ରଶ୍ମୀରଞ୍ଜନ ବେଉରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପି ପାର୍ଟି ଅଫିସରେ ଆୟୋଜିତ ମିଶ୍ରଣ ପର୍ବରେ ଉଭୟ ଯୋଗ ଦେଇଛନ୍ତି।
ଜୟନାରାୟଣ ମହାନ୍ତିଙ୍କ ନେତୃତ୍ୱରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଧ୍ରୁବ ଚନ୍ଦ୍ର ପାଲ, ଜଳେଶ୍ୱର ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ମହାପାତ୍ର, ଜଳେଶ୍ୱର ଏନଏସିର ପୂର୍ବତନ ଅଧ୍ୟକ୍ଷା ସିପ୍ରାରାଣୀ ପରିଡ଼ା, ଜିଲ୍ଲା ଯୁବ କଂଗ୍ରେସର ଉପସଭାପତି ବିବେକାନନ୍ଦ ମହାନ୍ତି, ନଗର କଂଗ୍ରେସ ସଭାପତି ସତ୍ୟ କର ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି।
ସେହିପରି କେନ୍ଦ୍ରାପଡା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ସମାଜସେବୀ ରଶ୍ମିରଂଜନ ବେଉରାଙ୍କ ନେତୃତ୍ୱରେ ବାଟିପଡା ପଞ୍ଚାୟତ କଂଗ୍ରେସ ସଭାପତି ହୃଷିକେଶ ବେହୁରା, ପୂର୍ବତନ ସରପଞ୍ଚ ବଂଶୀଧର ନାୟକ, ପୂର୍ବତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପାତ୍ର, ପୂର୍ବତନ ସମିତି ସଭ୍ୟ କାଙ୍ଗାଳି ଚରଣ ମଲ୍ଲିକ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି।
ଜୟନାରାୟଣ ମହାନ୍ତି କହିଛନ୍ତି, “୪୦ ବର୍ଷ ପରେ କଂଗ୍ରେସ ଛାଡି ମୁଁ ଆଜି ବିଜେପିରେ ଯୋଗ ଦେଇଛି। ଜଳେଶ୍ୱର ନିର୍ବାଚନମଣ୍ଡଳୀବାସୀଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ବିଜେପିରେ ସାମିଲ ହୋଇଛି।”


















