ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବନ୍ଦେ ଉତ୍କଳ ଜନନୀକୁ ନେଇ ବିବାଦ ତେଜିଛି। ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ମନ୍ତବ୍ୟ ଏବେ ବିଜେଡି ଶିବିରରେ ହଇଚଇ ସୃଷ୍ଟି କରିଛି।

ନିଜ ଘର ସଜାଡ଼ିବା ପାଇଁ ଓ କୌଣସି ଅଯଥା ବିବାଦ ଭିତରକୁ ନ ପଶିବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯେତେ ଉଦ୍ୟମ କରୁଛନ୍ତି ସେ ସେତିକି ସେତିକି ଘାଟାରେ ପଡୁଛନ୍ତି।

ଦୀର୍ଘ ଦିନ ଧରି ଦଳର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଅଡ଼ୁଆରେ ପକାଇଥିବା ବେଳେ ଏବେ ଅପ୍ରତ୍ୟାଶିତ ଭାବେ ଶକ୍ତି ରାଷ୍ଟ୍ରମନ୍ତ୍ରୀ ସୁଶାନ୍ତ ସିଂହଙ୍କ ମନ୍ତବ୍ୟକୁ ନେଇ ସରକାର ହରଡ଼ଘଣାରେ ପଡିଛନ୍ତି।

ଓଡ଼ିଶାର ପ୍ରାନ୍ତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀରୁ ‘ଉତ୍କଳ’ ବାଦ ଦେଇ ‘ଓଡ଼ିଶା’ କରାଯିବା ଯୁକ୍ତିକୁ ନୂଆନୂଆ ମନ୍ତ୍ରୀ ହୋଇଥିବା ସୁଶାନ୍ତ ସିଂହ ସର୍ବସାଧାରଣରେ ରଖିବା ପରେ ଏହା ଏକ ଜବରଦସ୍ତ ବିବାଦର ରୂପ ନେଉଛି।

ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ଓ କୋଶଳ ରାଜ୍ୟ ସମନ୍ୱୟ ସମିତି ସୁଶାନ୍ତଙ୍କୁ ଏଥିରେ ଖୋଲାଖୋଲି ସମର୍ଥନ କରୁଥିବା ବେଳେ ଏନେଇ ଶାସକ ବିଜେଡିରେ ଦୁଇଟି ଗୋଷ୍ଠୀ ସୃଷ୍ଟି ହୋଇଛି। ସେଇ ପଶ୍ଚିମ ଓଡ଼ିଶାର ଦୁଇ ଜଣ ବଡ଼ ନେତା ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ଓ ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ମହାନ୍ତି ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି।ସୁଶାନ୍ତଙ୍କ ଠାରୁ ଏମିତି ଏକ ବିବାଦୀୟ ମନ୍ତବ୍ୟ ଆଶା କରାଯାଉନଥିଲା ବୋଲି ଅପାତତଃ ସେମାନେ କହିଛନ୍ତି।

ସୁଶାନ୍ତ ସିଂହ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ପୁରସ୍କାରପ୍ରାପ୍ତ ମନ୍ତ୍ରୀ। ବିଜେପୁରରେ ବିଜେଡି ବିପୁଳ ଭୋଟରେ ଜିତିବା ପରେ ସୁଶାନ୍ତଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ତେବେ ଏଭଳି ଏକ ମନ୍ତବ୍ୟ ସେ ଜାଣିଶୁଣି ଦେଇଛନ୍ତି ନା ଅଜ୍ଞତାବଶତଃ ଦେଇଛନ୍ତି ତାହା ବୁଝିବା କଷ୍ଟ।

ଯେଉଁ ଉଦ୍ଦେଶ୍ୟ ରଖି ସେ ଦେଇଥାନ୍ତୁ ପଛକେ ବନ୍ଦେ ଉତ୍କଳ ଜନନୀକୁ ନେଇ ଏକ ନିଆଁ ସେ ଲଗେଇଛନ୍ତି ବୋଲି ଧରିନେବାକୁ ହେବ। ସତ କଥା ହେଉଛି ଏଭଳି ଏକ ପ୍ରସ୍ତାବ ଦେବା ପାଇଁ ସୁଶାନ୍ତ ହକ୍‌ଦାର ନୁହନ୍ତି କାରଣ ଏହା ତାଙ୍କ ବିଭାଗର ବିଷୟ ନୁହେଁ। ତାଛଡ଼ା ବିଜେଡିରେ ମଧ୍ୟ ଏ ନେଇ କେବେ ଚର୍ଚ୍ଚା ହୋଇଛି ସେ କଥା ବି ନୁହେଁ। ଓଡ଼ିଆ ଶାସ୍ତ୍ରୀୟ ଭାଷା ହେବାରେ ଓଡ଼ିଶା ସରକାରଙ୍କ ନଗଣ୍ୟ ଭୂମିକା ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓଡ଼ିଆ ନକହିବାକୁ ପ୍ରସଙ୍ଗ କରି ବିରୋଧୀ ସରକାରଙ୍କୁ ଧୁଲେଇ କରୁଛନ୍ତି। ଏବେ ସୁଶାନ୍ତ ଏକ ଅନାବଶ୍ୟକ ପ୍ରସଙ୍ଗକୁ ନେଇ ବିବାଦର ମଞ୍ଜି ବୁଣିବା ମନ୍ତ୍ରୀଙ୍କ ଅପରିପକ୍ୱତାର ପରିଚୟ ଦେଉଛି।

ଏହି ପ୍ରସଙ୍ଗରେ ନଗେନ୍ଦ୍ର ପ୍ରଧାନଙ୍କ ଯୁକ୍ତି ଅନେକତଃ ଠିକ୍ ମନେହୁଏ। ତାଙ୍କ ମତ ହେଉଛି ଯିଏ ଏହି ଗୀତକୁ ଲେଖିଥିଲେ ସେ ହିଁ ବଦଳାଇପାରିବେ। ଗୀତର ଗୋଟିଏ ବି ଶବ୍ଦକୁ ପରିବର୍ତ୍ତନ କରିବାର ଅଧିକାର ଆଉ କାହାର ନାହିଁ। କିଶୋର ମହାନ୍ତି ତ ସିଧାସଳଖ କହିଛନ୍ତି ପଶ୍ଚିମ ଓଡ଼ିଶାରେ ଏଭଳି ଏକ ଦାବି କେବେ କେହି କରିନାହାନ୍ତି। ଯଦି ସୁଶାନ୍ତ ଉତ୍କଳ ଜାଗାରେ ଓଡ଼ିଶା ଯୋଡ଼ାଯିବା କଥା କହୁଛନ୍ତି ତାହା ତାଙ୍କ ବ୍ୟକ୍ତିଗତ ମତ ବୋଲି ସେ ରୋକଠୋକ କହିଛନ୍ତି।

କଥାଟାକୁ ଚଳେଇ ରଖିବା ପାଇଁ ଅବଶ୍ୟ ସୁଶାନ୍ତ କହିଛନ୍ତି ଯେ ଯାହା ନିଷ୍ପତ୍ତି ନେବେ ସରକାର ନେବେ। ତେବେ ଶାସକ ଦଳରେ ଏନେଇ ଏକ ଗୁଞ୍ଜରଣ ସୃଷ୍ଟି ହୋଇଛି ଏଥିରେ ଦ୍ୱିମତ ନାହିଁ। ପଶ୍ଚିମ ଓଡ଼ିଶା ଯୁବ ମଞ୍ଚର ସଦସ୍ୟ ଅଜିତ ପତିଙ୍କ କହିବା କଥା ଯେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମର୍ଯ୍ୟାଦା ଦେବା ପଛରେ କୌଣସି ଯୁକ୍ତି ନାହିଁ। କାରଣ ଏହି ଗୀତରେ ପଶ୍ଚିମ ଓଡ଼ିଶାର କଳା ଓ ସଂସ୍କୃତିର ଉଲ୍ଲେଖ କରାଯାଇନାହିଁ।

ମନ୍ତ୍ରୀଙ୍କ ପ୍ରସ୍ତାବ ଅନୁସାରେ ଯଦି ସରକାର ଉତ୍କଳ ସ୍ଥାନରେ ଓଡ଼ିଶା କରନ୍ତି ସେମାନେ ତାହାକୁ ସମର୍ଥନ କରିବେ ବୋଲି ସେ ସ୍ପଷ୍ଟ ସଂକେତ ଦେଇଛନ୍ତି। ମୋଟାମୋଟି କଥା ହେଲା, ବନ୍ଦେ ଉତ୍କଳ ଜନନୀରୁ ‘ଉତ୍କଳ’କୁ ବାଦ ଦେଇ ଓଡ଼ିଶା କରାଯିବା ଏତେ ସହଜ ନୁହେଁ ଓ ଏଥିରେ ଆଇନ, ଆବେଗ ବ୍ୟତୀତ ଆହୁରି ଅନେକ କଥା ରହିଛି। ଗୋଟିଏ କଥା କିନ୍ତୁ ସ୍ପଷ୍ଟ ଯେ ଓଡ଼ିଶା ସରକାର ଏହି ବିବାଦରେ କଦାପି ମୁଣ୍ଡ ଭର୍ତ୍ତି କରିବେ ନାହିଁ।

ଯେହେତୁ ଆଗକୁ ନିର୍ବାଚନ ସରକାର କେବେ ବି ମାଙ୍କଡ଼ ଲାଙ୍ଗୁଡ଼ରେ ହାତ ମାରିବେ ନାହିଁ। ଏବେ ଖାଲି ଅପେକ୍ଷା ମୁଖ୍ୟମନ୍ତ୍ରୀ କେବେ ସୁଶାନ୍ତଙ୍କୁ ଡାକି ଦୁଇ ପଦ ଶୁଣାଉଛନ୍ତି।

Comment