ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ରେ କେନ୍ଦ୍ରରେ ବିଜେପି ସରକାରର ଦବ୍‌ଦବାକୁ ବଜାୟ ରଖିବା ପାଇଁ ଅଙ୍କ କଷୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ।

୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ଅଙ୍କ କଷିବା ଆରମ୍ଭ କରିଛି। ଗୋଟିଏ ପରେ ଗୋଟିଏ ରାଜ୍ୟ ଗସ୍ତ କରି ବିଜେପି ନେତାଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ରାଷ୍ଟ୍ରୀୟ ସଭାପତି ଅମିତ ଶାହ।

ଶୁକ୍ରବାର ପଶ୍ଚିମବଙ୍ଗର ତୃଣମୂଳ ସ୍ତରର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ପରେ ଶନିବାର ମଣିପୁର ଗସ୍ତରେ  ଯାଇଛନ୍ତି ଶାହ। ମଣିପୁର ରାଜଧାନୀ ଇମ୍ପାଲସ୍ଥିତ ଏକ ଘରୋଇ ହୋଟେଲରେ ୭ଟି ରାଜ୍ୟର ବିଜେପି ନେତାଙ୍କୁ ଶାହ ସାଙ୍ଗଠନିକ ପାଠ ପଢ଼ାଇଛନ୍ତି। ପଶ୍ଚିମବଙ୍ଗ ପରେ ବିଜେପି ଉତ୍ତର-ପୂର୍ବ ରାଜ୍ୟ ଉପରେ ଫୋକସ୍ କରିଛି।

ବୈଠକରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂହ, ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରେମ ଖଣ୍ଡୁ, ବିଜେପି ନେତା ହେମନ୍ତ ବିଶ୍ବଶର୍ମା, ରାମ ମାଧବ ଉପସ୍ଥିତ ଅଛନ୍ତି। ଆଜି ରାତିରେ ଶାହ ଉତ୍ତର-ପୂର୍ବ ୭ଟି ରାଜ୍ୟର ବିଜେପି ସଭାପତିଙ୍କ ସହ ଆଲୋଚନା କରିବେ।

ଉତ୍ତର-ପୂର୍ବର ଅଧିକାଂଶ ରାଜ୍ୟରେ ଗତ ଦୁଇ ବର୍ଷରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ବାଜିମାତ କରିଛି। ଆଗାମୀ ଲୋକସଭା ନିର୍ବାଚନରେ ଦଳ କିପରି ସଫଳତା ପାଇବ ସେନେଇ ମନ୍ଥନ ଚାଲିଛି।

ବିଜେପି ପ୍ରଥମେ ଆସାମରେ ସରକାର ଗଢ଼ିବା ପରେ ଅରୁଣାଚଳ ପ୍ରଦେଶ, ମଣିପୁର, ନାଗାଲାଣ୍ଡ, ତ୍ରିପୁରା ଏବଂ ମେଘାଳୟରେ ସରକାର ଗଠନ କରିବାରେ ସଫଳ ହୋଇଛି। ମିଜୋରାମରେ ବିଜେପି ସରକାର ନଥିବାରୁ ଶାହ ଏହି ରାଜ୍ୟ ଉପରେ ଅଧିକ ଧ୍ୟାନ ଦେଉଛନ୍ତି।

LEAVE A REPLY

Please enter your comment!
Please enter your name here