ଓଡ଼ିଶାଲାଇଭ୍ ବ୍ୟୁରୋ
“ଓଡିଶାର କୃଷି ଜାତ ଦ୍ରବ୍ୟକୁ ବଜାର ସହ ଯୋଡ଼ିବା ଦରକାର। ଫଳରେ ଚାଷୀଙ୍କର ଉନ୍ନତି ହେବା ସହ ଓଡ଼ିଶାର ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆସିପାରିବ”, କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଭୁବନେଶ୍ୱରରେ ଶନିବାରଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଏଗ୍ରି ବିକାଶ କନକ୍ଲେଭ। ଏହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଓଡିଶାରେ କୃଷିଜାତ ଦ୍ରବ୍ୟର ଉତ୍ପାଦନରେ ବୃଦ୍ଧି ଘଟିଥିବା ବେଳେ ଅନେକ ଦ୍ରବ୍ୟ ଉପରେ ବାହାର ରାଜ୍ୟ ଉପରେ ନିର୍ଭରଶୀଳ ହେବାକୁ ପଡ଼ୁଛି। ଓଡ଼ିଶାରେ ଉତ୍ପାଦିତ ହେଉଥିବା ବଳକା କୃଷିଜାତ ଦ୍ରବ୍ୟର ବଜାର ସଂଯୋଗୀକରଣ ଏକ ବଡ଼ ଆହ୍ୱାନ ଭାବେ ମୁଣ୍ଡ ଟେକିଛି।
ଏହି କର୍ମଶାଳାରେ ଓଡ଼ିଶା ଓ ଦେଶର ସଫଳ ଶହେ ଚାଷୀଙ୍କୁ ସେମାନଙ୍କର ଅନୁଭବ ବାଣ୍ଟିବା ପାଇଁ ଏକାଠି କରାଯାଇଛି। ଦେଢ ଶହ ଷ୍ଟଲ ମାଧ୍ୟମରେ ନୂଆ ନୂଆ ପ୍ରୟୋଗକୁ ବୁଝାଇବାର ଉଦ୍ୟମ କରାଯାଇଛି। ବିଭିନ୍ନ ପୁସ୍ତକ ପ୍ରକାଶିତ କରାଯାଇ ଓଡିଶାରେ କୃଷି ସମ୍ଭାବନା, ଛୋଟ ଉଦ୍ୟମରେ ବଡ଼ ପରିବର୍ତ୍ତନ, କୃଷି କ୍ଷେତ୍ରରେ ବିଭିନ୍ନ ମନ୍ତ୍ରଣାଳୟର ଯୋଜନା ଓ ନୀତି ସମ୍ପର୍କରେ ଅବଗତ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି। କୃଷି କ୍ଷେତ୍ରର ଅଧ୍ୟାପକ ଓ ଛାତ୍ରମାନଙ୍କୁ ଏହି କର୍ମଶାଳାରେ ସାମିଲ କରାଯାଇଛି।
ଦୁଇଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳାରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ଗିରିରାଜ ସିଂହ ପ୍ରମୁଖ ଯୋଗ ଦେଇଥିଲେ।
ଏହି ସମ୍ମିଳନୀରେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ସମେତ ଅନ୍ୟ ଛଅଟି ମନ୍ତ୍ରଣାଳୟ ସାମିଲ ହୋଇଥିବା ବେଳେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଏଗ୍ରିକଲଚର ମାର୍କେଟିଂ(ନିଆମ) ଏହାର ନେତୃତ୍ୱ ନେଉଛି।

















