ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

  • ୯ ଘଣ୍ଟାର ମାରାଥନ ବୈଠକ
  • ତିନୋଟି ପର୍ଯ୍ୟାୟରେ ଆଲୋଚନା କଲେ ଶାହ
  • କର୍ମକର୍ତ୍ତା ଓ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଶାହ
  • କେନ୍ଦ୍ର ଯୋଜନାକୁ ଘରେ ଘରେ ପହଞ୍ଚାଅ
  • ରାଜ୍ୟ ସରକାରଙ୍କ ବିଫଳତାକୁ ଅସ୍ତ୍ର କର
  • ବୁଥ୍‌ରେ ଲୋକଙ୍କ କଥା ବୁଝ

୨୦୧୯ ପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଦେଇଛନ୍ତି ହେବି ଟାସ୍କ। ମିଶନ-୧୨୦ ହାସଲ କରିବା ପାଇଁ ପ୍ରସ୍ତୁତ କରିଛନ୍ତି ନୂଆ ରୋଡମ୍ୟାପ୍। ପ୍ରତି ବୁଥ୍‌ରେ ସଙ୍ଗଠନକୁ ସୁଦୃଢ଼ କରିବା ସହ ଲୋକଙ୍କ କଥା ବୁଝିବା ପାଇଁ ମନ୍ତ୍ର ଫୁଙ୍କିଛନ୍ତି ଶାହ।

ରବିବାର ଦିନ ୧୧ଟାରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଥିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ।

ରୋଡ ସୋ’ରେ ସେ ପାର୍ଟି ଅଫିସକୁ ଆସିଥିଲେ। ପହଞ୍ଚୁ ପହଞ୍ଚୁ ଆରମ୍ଭ କରିଥିଲେ ମାରାଥନ ବୈଠକ। ୩ଟା ପର୍ଯ୍ୟନ୍ତ ସାଙ୍ଗଠନିକ କଥା ବୁଝୁଥିବା କର୍ମକର୍ତ୍ତା, ବିସ୍ତାରକ ଏବଂ ପାର୍ଟିର ପ୍ରମୁଖ ନେତାଙ୍କୁ ସଙ୍ଗଠନିକ ପାଠ ପଢ଼ାଇଥିଲେ। ୨୦୧୯ରେ କେମିତି ୧୨୦ ଆସନ ବିଜେପି ହାସଲ କରିବ ସେନେଇ ଗୁରୁମନ୍ତ୍ର ଦେଇଥିଲେ।

ଅପରାହ୍ଣରେ ପ୍ରଦର୍ଶନୀ ପଡ଼ିଆରେ ହୋଇଥିବା ପଞ୍ଚାୟତ ପ୍ରତିନିଧିଙ୍କ ସମ୍ମିଳନୀ ଥିଲା ଗୁରୁତ୍ୱପୂର୍ଣ୍ଣ। ପୁରୀ, କଟକ ଏବଂ ଭୁବନେଶ୍ୱର ଲୋକସଭା ଆସନର ବିଭିନ୍ନ ପଞ୍ଚାୟତରୁ ଆସିଥିବା ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ୨୦୧୯ ପାଇଁ ଏବେଠାରୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ।

ପ୍ରତି ବୁଥ୍‌ରେ ସଙ୍ଗଠନକୁ ମଜଭୁତ କରିବା ଲାଗି ଶାହ କର୍ମୀଙ୍କୁ ଦେଇଥିଲେ ପରାମର୍ଶ। କେଉଁ ପଞ୍ଚାୟତରେ କେତେ କର୍ମକର୍ତ୍ତାଙ୍କ ବାଇକ ଏବଂ ସ୍ମାର୍ଟଫୋନ ଅଛି ତାର ହିସାବ ମାଗିଥିଲେ ଶାହ। ବୁଥ୍‌ ସ୍ତରରେ ଲୋକଙ୍କ ସହ ଯୋଡ଼ି ହୋଇ ରହିବାକୁ ଶାହ ମନ୍ତ୍ର ଫୁଙ୍କିଥିଲେ।

ଯୁବପିଢ଼ି, ମହିଳା, ଚାଷୀଙ୍କୁ ଦଳ ସହିତ ଅଧିକରୁ ଅଧିକ ଯୋଡ଼ିବାକୁ ଶାହ ଆହ୍ୱାନ ଦେଇଥିଲେ।

୨୦୧୭ ଜୁନ୍‌ ମାସରେ ଶାହ ଓଡ଼ିଶା ଆସିଥିବା ବେଳେ ମୋ ବୁଥ୍ ସବୁଠୁ ମଜଭୁତ’ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ବୁଥ୍‌ ସ୍ତରରୁ ସଙ୍ଗଠନ ସୁଦୃଢ଼ କରିବା ପାଇଁ ଶାହ ଆହ୍ୱାନ ଦେଇଥିଲେ। ଏନେଇ ୨୧ ହଜାର ବୁଥ୍‌ରେ ବିଜେପି ପହଞ୍ଚି ସାରିଛି। ଆହୁରି ୫ ହଜାର ବୁଥ୍‌ରେ ସଙ୍ଗଠନ ହୋଇପାରି ନଥିବାରୁ ଶାହ ଅସନ୍ତୋଷ ଜାହିର କରିଥିଲେ। ଶୀଘ୍ର ବାକିଆ ବୁଥ୍‌ରେ ପହଞ୍ଚିବାକୁ ସେ ତାଗିଦ କରିଥିଲେ।

ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ଶାହ ବିଜେପି କର୍ମକର୍ତ୍ତାଙ୍କୁ ଟାସ୍କ ଦେଇ ଦିଲ୍ଲୀ ଫେରିଯାଇଛନ୍ତି। ଦୁଇ ମାସ ଭିତରେ ବୁଥ୍‌ ସ୍ତରର କାମ ଶେଷ କରିବା ପରେ ଆହୁରି ନୂଆ ଟାସ୍କ ଦେବେ ଶାହ।

ସୋସିଆଲ ମିଡିଆରେ ମଧ୍ୟ ଯୁବ ଓ ଛାତ୍ରଙ୍କ ସହ ଯୋଡ଼ି ହେବାକୁ ଶାହ କର୍ମକର୍ତ୍ତାଙ୍କୁ କହିଛନ୍ତି। ହ୍ୱାଟସ୍‌ଆପ୍‌ ଏବଂ ଫେସ୍‌ବୁକ୍‌ ଗ୍ରୁପ ଖୋଲି କେନ୍ଦ୍ର ଯୋଜନାର ପ୍ରଚାର ପ୍ରସାର କରିବାକୁ ଶାହ ପରାମର୍ଶ ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ଯୋଜନାକୁ ଘରେ ଘରେ ପହଞ୍ଚାଇବାକୁ କହିଛନ୍ତି ଶାହ। ରାଜ୍ୟ ସରକାରଙ୍କ ଦୁର୍ନୀତି ଏବଂ ବିଫଳତାକୁ ଅସ୍ତ୍ର କରି ପ୍ରତି ପଞ୍ଚାୟତରେ ଆନ୍ଦୋଳନ କରିବାକୁ ମନ୍ତ୍ର ଫୁଙ୍କିଛନ୍ତି ଶାହ।

Comment