ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମନଭରି ବର୍ଷିଛନ୍ତି।

“ଗରିବ ଓଡ଼ିଶା କଥା ବୁଝିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ସମୟ ନାହିଁ। ମୋଦି କେବେ ଓଡ଼ିଶାବାସୀଙ୍କ କଥା ଶୁଣନ୍ତି। ଏହାର ପ୍ରମାଣ ହେଉଛନ୍ତି ରାଉରକେଲାର ଯୁବକ ମୁକ୍ତିକନ୍ତ ବିଶ୍ୱାଳ। ମୁକ୍ତିକାନ୍ତ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାତ୍ରା କରିଥିଲେ ମଧ୍ୟ ତାଙ୍କୁ ସମୟ ନଦେବା ଦୁର୍ଭାଗ୍ୟଜନକ”, କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର।

୧୬୦୦ କିମି ପଦଯାତ୍ରା କରି ମୁକ୍ତିକାନ୍ତ ଦିଲ୍ଲୀରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରତିଶ୍ରୁତି ମନେପକାଇଦେବା ପାଇଁ ମୁକ୍ତିକାନ୍ତ ଦିଲ୍ଲୀ ଯାଇଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ତାଙ୍କୁ ଭେଟିବା ପାଇଁ ସମୟ ନଦେବାରୁ ମୁକ୍ତିକାନ୍ତ ଦିଲ୍ଲୀରେ ଅନଶନ କରିଛନ୍ତି। ଏନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଜି କଂଗ୍ରେସଭବନରେ ସାମ୍ବାଦିକ ସମ୍ମିଳନୀ କରି ମୋଦିଙ୍କୁ ସମାଲୋଚନା କରିଛନ୍ତି।

ନରସିଂହ ଆହୁରି କହିଛନ୍ତି ଯେ ମୋଦି ଓଡ଼ିଶାକୁ ଅଣଦେଖା କରୁଛନ୍ତି। ଚାଷୀ ସମସ୍ୟା ନେଇ ବିଧାନସଭାର ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହିଁଥିଲା। ହେଲେ ସେ ସମୟ ଦେଲେନି। ଚାଷୀମାନଙ୍କ ପ୍ରତି ମୋଦି ସରକାରଙ୍କର ଆନ୍ତରିକତା ନାହିଁ।

ସେହିପରି ପ୍ରତିଶ୍ରୁତି ମନେପକାଇଦେବା ପାଇଁ ରାଉରକେଲାରୁ ଦିଲ୍ଲୀ ଚାଲି ଚାଲି ଯାଇଥିବା ମୁକ୍ତିକାନ୍ତଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ନିରାଶ କରିଛନ୍ତି। ସେ ଦିଲ୍ଲୀରେ ଅନଶନ କରିଥିଲେ ବି ପୋଲିସ ତାଙ୍କୁ ଉଠାଇ ଦେଇଛି। ମୋଦି ଗରିବ ଓଡ଼ିଶା କଥା ଶୁଣୁ ନଥିବା ନରସିଂହ ଅଭିଯୋଗ କରିଛନ୍ତି।

“ଗଣତନ୍ତ୍ର ଏବେ ଧ୍ୱଂସ ହେବାକୁ ଯାଉଛି। ଗଣତନ୍ତ୍ର ପଦଳରେ ମୋଦି ଦେଶରେ ଫାଶୀବାଦ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଗଣତନ୍ତ୍ର ଦେଶରେ ଏହା ଶୁଭଙ୍କର ନୁହେଁ”, କହିଛନ୍ତି ନରସିଂହ।

Comment