ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦିଲ୍ଲୀରେ ଯେମିତି ଉପ-ରାଜ୍ୟପାଳ ଓ ଅରବିନ୍ଦ କେଜରିୱାଲ ସରକାରଙ୍କ ଭିତରେ ଟଣା ଓଟରା ଚାଲିଥିଲା ଓଡ଼ିଶାରେ ସେମିତି ଚାଲିବ ନାହିଁ ତ?
ନବୀନ ପଟ୍ଟନାୟକ ସରକାର ଓ ରାଜଭବନ ଭିତରେ ସବୁ କିଛି ଠିକ୍ ଚାଲିନାହିଁ ତାର ସଦ୍ୟତମ ଉଦାହରଣ ରାଜ୍ୟପାଳଙ୍କ ବିମାନ ଭଡ଼ା ଖର୍ଚ୍ଚକୁ ନେଇ ଉଠିଥିବା ପ୍ରଶ୍ନ। ଓଡ଼ିଶା ଇତିହାସରେ ବୋଧହୁଏ ପ୍ରଥମ ଥର ପାଇଁ ଏହିଭଳି ଏକ ବିବାଦ ଛିଡ଼ା ହୋଇଛି।
ରାଜ୍ୟପାଳ ଗଣେଶୀ ଲାଲ ଏବେ ଏବେ ଦାୟୀତ୍ୱ ନେଇଛନ୍ତି ଏବଂ ତାଙ୍କୁ ଆହୁରି ୫ ବର୍ଷ ଓଡ଼ିଶାରେ କାଟିବାର ଅଛି। ନବୀନ ପଟ୍ଟନାୟକ ମଧ୍ୟ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ପ୍ରୟାସ ଜାରି ରଖିଛନ୍ତି। ଏହି ଦୃଷ୍ଟିରୁ ଆଗକୁ ସଚିବାଳୟ ଓ ରାଜଭବନ ଭିତରେ ସମ୍ପର୍କ କେମିତି ରହିବ ତାହା ଅନୁମାନର ବିଷୟ। ଦିଲ୍ଲୀରେ ଯେମିତି ଉପ-ରାଜ୍ୟପାଳ ଓ ଅରବିନ୍ଦ କେଜରିୱାଲ ସରକାରଙ୍କ ଭିତରେ ଟଣା ଓଟରା ଚାଲିଥିଲା ଏଠି ଆଉ ସେମିତି ଚାଲିବନାହିଁ ତ?
କିଛି ଅସମ୍ଭବ ନୁହେଁ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ହଠାତ ଏଭଳି ଏକ ଚିଠି ଲେଖାଯିବା ଆଶ୍ଚର୍ଯ୍ୟଜନକ କେବଳ ନୁହେଁ ଏହା ପଛରେ ଏକ ନିର୍ଦ୍ଦିଷ୍ଟ ମାନସିକତା କାମ କରୁଥାଇପାରେ ବୋଲି ଜଣେ ବରିଷ୍ଠ ସାମ୍ବାଦିକ କହିଛନ୍ତି। ରାଜ୍ୟପାଳ ରାଜଭବନର ମାଲିକ। ସମ୍ବିଧାନ କହୁଛି ତାଙ୍କ ନାମରେ ରାଜ୍ୟ ଶାସନ ଚାଲିବ। ତା’ ଛଡ଼ା ସମ୍ବିଧାନ ଦ୍ୱାରା ଗୁଡ଼ାଏ ଅଧିକାର ତାଙ୍କୁ ଦିଆଯାଇଛି।
କେନ୍ଦ୍ରରେ ରାଷ୍ଟ୍ରପତି ଯାହା, ରାଜ୍ୟରେ ରାଜ୍ୟପାଳ ସେୟା। ଆହୁରି ମଧ୍ୟ ସେ ରାଷ୍ଟ୍ରପତିଙ୍କ ଦ୍ଵାରା ନିଯୁକ୍ତ ହୋଇଥାନ୍ତି। ରାଜଭବନର ଖର୍ଚ୍ଚ ଉପରେ ଅତୀତରେ କେହି କେବେ ପ୍ରଶ୍ନ ଉଠାଇବା ଦୃଷ୍ଟାନ୍ତ ନାହିଁ, ଯଦିଓ କୁହାଯାଏ ରାଜ୍ୟପାଳ ଏକ ଅନାବଶ୍ୟକ ପଦବୀ। ରାଜ୍ୟପାଳମାନେ ରାଜଭବନରେ ଅନେକ ପ୍ରକାର କାରନାମା କରିଥିବାର ଅନେକ ପ୍ରମାଣ ମଧ୍ୟ ରହିଛି। ତେବେ ଓଡ଼ିଶାର ରାଜ୍ୟପାଳ ମୋଦି ସରକାରଙ୍କ ଦ୍ୱାରା ଚୟନ ହୋଇଥିବାରୁ ଓ ସେ ବିଜେପିର ସମର୍ଥକ ଏହିଭଳି ଏକ ଧାରଣାର ବଶବର୍ତ୍ତୀ ହୋଇ ତାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ଏକ ସୁସ୍ଥ ପରମ୍ପରାକୁ ଆଦୌ ସୁଚାଉନାହିଁ।
ଯିଏ ରାଜ୍ୟପାଳଙ୍କ ସଚିବ ଅଛନ୍ତି ସିଏ ବି ଜଣେ ବରିଷ୍ଠ ଆଇଏଏସ ଅଧିକାରୀ ଓ ସେ ନିଶ୍ଚିତରେ ଜାଣିଥିବା ଉଚିତ ରାଜ୍ୟପାଳ କେଉଁ କେଉଁ ସୁବିଧା ନେଇପାରିବେ।
ସାଧାରଣତଃ ଏହି ଧାରଣା ରହି ଆସିଛି ଯେ ରାଜ୍ୟପାଳ ଜଣେ ଅତି ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସେ ସବୁବେଳେ ଉନ୍ନତ ପରମ୍ପରା ସୃଷ୍ଟି କରିବା ଉଚିତ। ବର୍ତ୍ତମାନର ରାଜ୍ୟପାଳ ଗଣେଶୀ ଲାଲ ରାଜଭବନରେ ଆଗକୁ କିଭଳି ପରମ୍ପରା ସୃଷ୍ଟି କରୁଛନ୍ତି ତାହା ତାଙ୍କ ଉପରେ ନିର୍ଭର କରେ। ତେବେ ରାଜ୍ୟପାଳ ଗଣେଶୀ ଲାଲଙ୍କ ହେଲିକପ୍ଟର ଓ ଅନ୍ୟାନ୍ୟ ଖର୍ଚ୍ଚକୁ ନେଇ ଯେଉଁ ପ୍ରଶ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଉଠାଯାଇଛି ତା ପଛରେ ରାଜନୀତି ଥିବା ସ୍ପଷ୍ଟ ଜଣାପଡ଼ୁଛି। ବିଜେଡି-ବିଜେପି କଳିର ଏହା ଆଉ ଏକ ନମୁନା ନୁହେଁ ତ?








ଦିଲ୍ଲୀରେ ଯେମିତି ଉପ-ରାଜ୍ୟପାଳ ଓ ଅରବିନ୍ଦ କେଜରିୱାଲ ସରକାରଙ୍କ ଭିତରେ ଟଣା ଓଟରା ଚାଲିଥିଲା ଓଡ଼ିଶାରେ ସେମିତି ଚାଲିବ ନାହିଁ ତ?





