ଓଡ଼ିଶାଲାଇଭ୍‌ ବ୍ୟୁରୋ

ରତ୍ନଭଣ୍ଡାର ଚାବି ହଜିବା ବିବାଦ ଭିନ୍ନମୋଡ଼ ନେଇଛି। ସିବିଆଇ ତଦନ୍ତ ଦାବିରେ ବିଜେପି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

କିଛି ଦିନର ନୀରବତା ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ପୁଣି ତାଜା ହୋଇଛି। ବିଜେପି ଉପ-ସଭାପତି ସମୀର ମହାନ୍ତି ଏବଂ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ କରିବା ପରେ ଏହି ପ୍ରସଙ୍ଗକୁ ନେଇ ପୁଣି ଚର୍ଚ୍ଚା ଜୋର୍ ଧରିଛି।

ବିଜେପି ପକ୍ଷରୁ ହାଇକୋର୍ଟରେ ଯେଉଁ ମାମଲା ରୁଜୁ କରାଯାଇଛି ସେଥିରେ ପୋଲିସ ଡିଜି, ଗୃହ ସଚିବ, ପୁରୀ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ପକ୍ଷଭୁକ୍ତ କରାଯାଇଛି। ପୋଲିସ ରତ୍ନଭଣ୍ଡାର ଚାବି ହଜିବା ସଂକ୍ରାନ୍ତରେ ଏତଲା ନରଖିବାରୁ ବିଜେପି ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି।

“ରତ୍ନଭଣ୍ଡାର ଚାବି ହଜିବା ନେଇ ଆମେ ଥାନାରେ ଏତଲା ଦେଇଥିଲୁ। କିନ୍ତୁ ପୋଲିସ ମାମଲା ରୁଜୁ ନକରିବାରୁ ଆମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛୁ। ଘଟଣାର ସିବିଆଇ ତଦନ୍ତ ପାଇଁ ଆବେଦନ କରିଛୁ”, କହିଛନ୍ତି ପୀତାମ୍ବର ଆଚାର୍ଯ୍ୟ।

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ବିବାଦ ଦେଖାଦେଇଛି। ଏଥିପାଇଁ ବିଜେପି ରାଜ୍ୟ ସରକାରଙ୍କୁ ଘେରି ଆସୁଛି। ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ କମିଶନର ଅଧ୍ୟକ୍ଷ ଥିବା ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରଘୁବୀର ଦାସ ତଦନ୍ତ ଆରମ୍ଭ କରିଛନ୍ତି।

ଏପଟେ ଜିଲ୍ଲା ରେକର୍ଡ ରୁମ୍‌ରୁ ଡୁପ୍ଲିକେଟ୍ ଚାବି ମିଳିବା ନେଇ ପୁରୀ ଜିଲ୍ଲାପାଳ ମଧ୍ୟ ବିବାଦରେ ଅଛନ୍ତି। ଡୁପ୍ଲିକେଟ୍ ଚାବି କୁଆଡୁ ଆସିଲା ଏବଂ ଅରିଜିନାଲ କୁଆଡ଼େ ଗଲା ବୋଲି ବିଜେପି ପ୍ରଶ୍ନ ଉଠାଇଥିଲା।

ଜୁନ୍ ୧୨ ତାରିଖରୁ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ରାଜ୍ୟରେ ଜନଜାଗରଣ ଯାତ୍ରା ଆରମ୍ଭ କରିଥିଲା ବିଜେପି। ବିଭିନ୍ନ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା। ହେଲେ ଅଧିକାଂଶ ସ୍ଥାନରେ ପୋଲିସ ଏତଲା ରଖିନଥିବା ବିଜେପି ଅଭିଯୋଗ କରିଥିଲା।

LEAVE A REPLY

Please enter your comment!
Please enter your name here