ଓଡ଼ିଶାଲାଇଭ୍ ବ୍ୟୁରୋ

- ମକ୍କା, ମଦିନାରେ ୪୫ ଦିନ ରହିବେ ହଜ୍ ଯାତ୍ରୀ
- ସେପ୍ଟେମ୍ବରରେ ଫେରିବେ ହଜ୍ ଯାତ୍ରୀ
- ଜୁଲାଇ ୧୨ରୁ କଲିକତାରୁ ଆରମ୍ଭ ହେବ ଯାତ୍ରା
- ହଜ୍ କିଟ୍ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଚଳିତ ବର୍ଷ ଓଡ଼ିଶାରୁ ୭୩୧ ଜଣ ଯାତ୍ରୀ ହଜ୍ କରିବା ପାଇଁ ମକ୍କା, ମଦିନା ଯିବେ। ଜୁଲାଇ ୧୨ରୁ ୨୯ ତାରିଖ ମଧ୍ୟରେ କଲିକତାରୁ ଏହି ଯାତ୍ରା ଆରମ୍ଭ ହେବ। ମକ୍କା, ମଦିନାରେ ୪୫ ଦିନ ରହି ସେପ୍ଟେମ୍ବର ୨ରୁ ୧୨ ତାରିଖ ମଧ୍ୟରେ ସ୍ୱଦେଶକୁ ଫେରି ଆସିବେ।
ଓଡ଼ିଶାରୁ ଯୋଗ୍ୟ ବିବେଚିତ ହୋଇଥିବା ୭୩୧ ଜଣ ହଜ୍ ଯାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ହଜ୍ ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା କରିଛନ୍ତି ବୋଲି ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହଜ୍ ଯାତ୍ରୀଙ୍କୁ ହଜ୍ କିଟ୍ ପ୍ରଦାନ କରିଥିଲେ।
“ଭୁବନେଶ୍ୱରରେ ହଜ୍ ଯାତ୍ରୀଙ୍କ ପାଇଁ ଏକ ହଜ୍ ଭବନ ନିର୍ମାଣ ଆରମ୍ଭ ହୋଇଛି। ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ଶିକ୍ଷାର ପ୍ରସାର ପାଇଁ ସରକାର ଉଦ୍ୟମ କରୁଛନ୍ତି। ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଶିକ୍ଷାନୁଷ୍ଠାନରେ ପାଠାଗାର, ପରୀକ୍ଷାଗାର ଏବଂ ଅତିରିକ୍ତ ଶ୍ରେଣୀଗୃହ ପାଇଁ ୬ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି। ସଂଖ୍ୟାଲଘୁ ବର୍ଗର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଦେବା ରାଜ୍ୟ ସରକାର ତତ୍ପର ଅଛନ୍ତି। ୪ ହଜାର ଛାତ୍ରଛାତ୍ରୀ ରହିବା ପାଇଁ ୪୦ଟି ହଷ୍ଟେଲ ନିର୍ମାଣ କରାଯାଉଛି। ଏହାସହ ସେମାନଙ୍କ ପାଇଁ ବହୁମୁଖି କମ୍ୟୁନିଟି ସେଣ୍ଟର ମଧ୍ୟ ନିର୍ମାଣ କରାଯାଉଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
୭୩୧ ହଜ୍ ଯାତ୍ରୀଙ୍କ ମଧ୍ୟରେ ୪୩୩ ଜଣ ପୁରୁଷ ଏବଂ ୨୯୮ ଜଣ ମହିଳା ଅଛନ୍ତି। ହଜ୍ ଯାତ୍ରୀମାନଙ୍କୁ ସହଯୋଗ କରିବା ପାଇଁ ୪ ଜଣ ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ପଠାଇବାର ବ୍ୟବସ୍ଥା କରିଛନ୍ତି।
ହଜ୍ ଯାତ୍ରୀଙ୍କୁ ବିନା ମୂଲ୍ୟରେ ରାଜ୍ୟ ସରକାର ହଜ୍ ସାମଗ୍ରୀ ଓ ଓଡ଼ିଆ ଭାଷାରେ ମୁଦ୍ରିତ ସରଳ ହଜ୍ ଗାଇଡ ପୁସ୍ତକ ଯୋଗାଇ ଦିଆଯାଇଛି।
ଜୟଦେବ ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି, ବିଧାୟକ ଆୟୁବ ଖାଁ, ଦେବାଶିଷ ସାମନ୍ତରାୟ, କାଜୁ ନିଗମ ଅଧ୍ୟକ୍ଷ ମୁନ୍ନା ଖାଁ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ସଚିବ ରଘୁପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ।














