ଓଡ଼ିଶାଲାଇଭ୍ ବ୍ୟୁରୋ
ଟିଟୋର ଓଲିଉଡ ଲିଙ୍କ୍ ନେଇ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍କୁ ମିଳିଛି ସୁରାକ୍।
ଓଲିଉଡ୍ରେ ଲାଗିଛି ଗ୍ୟାଙ୍ଗ୍ଷ୍ଟାର ଟିଟୋର ଟଙ୍କା। ଚିଟ୍ଫଣ୍ଡ ଟଙ୍କାରେ ଓଡ଼ିଆ ଫିଲ୍ମ ନିର୍ମାଣ ହେବାପରେ ଏବେ ଗ୍ୟାଙ୍ଗଷ୍ଟର ଟିଟୋ ଟଙ୍କାରେ ଓଲିଉଡ ଫିଲ୍ମ ନିର୍ମାଣ ହୋଇଛି ବୋଲି ଅଭିଯୋଗ ହୋଇଛି।
ଓଡ଼ିଶା ପୁଲିସ କ୍ରାଇମବ୍ରାଞ୍ଚର ସ୍ପେଶିଆଲ୍ ଟାସ୍କ ଫୋର୍ସ(ଏସ୍ଟିଏଫ୍) ରିମାଣ୍ଡରେ ଥାଇ ଜେରାବେଳେ ଜଣାପଡ଼ିଛି। ଏନ୍କାଉଣ୍ଟର ପରେ ଏବେ ଏସ୍ଟିଏଫ୍ ଟିମ୍ ଟିଟୋକୁ ରିମାଣ୍ଡରେ ନେଇଛି।
ଗ୍ୟାଙ୍ଗଷ୍ଟାର ଟିଟୋ ତା’ର ଜଣେ ସମ୍ପର୍କୀୟ ଭାଇ ମାଧ୍ୟମରେ ଓଡ଼ିଆ ସିନେମା ‘ବିଶ୍ୱନାଥ’ରେ ଅର୍ଥ ଲଗାଇଛି। ନିର୍ଦ୍ଦେଶକ କିରନଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ବିଶ୍ୱନାଥ’ ଏଚ୍ଏମ୍ଟି ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ହେଉଛି। ଜବିରୁଦ୍ଦିନ ଏହାର ପ୍ରଯୋଜନା କରିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ପ୍ରଯୋଜକ ଜବିରୁଦ୍ଦିନ୍ ଓ ନିର୍ଦ୍ଦେଶକ କିରନ୍ ପୂର୍ବରୁ ସାଉଥ୍ ସିନେମାରେ କାମ କରି ସାରିଛନ୍ତି, ଏହା ଦୁହିଁଙ୍କର ପ୍ରଥମ ଓଡ଼ିଆ ଫିଲ୍ମ।
ଫେବ୍ରୁଆରି ୫ ତାରିଖ ଦିନ ‘ବିଶ୍ୱନାଥ’ର ମହୁରତ ଭୁବନେଶ୍ୱରର ହୋଟେଲ୍ ମାରିଅନ୍ରେ ଅନୁଷ୍ଠିତ ହୋଇଥିଲା। ସମ୍ବିତ୍ ଓ ସମ୍ଭାବନା ଅଭିନୀତ ‘ବିଶ୍ୱନାଥ’ର ସୁଟିଂ ଫେବ୍ରୁଆରି ୨୬ରେ ସୁଟିଂ ଆରମ୍ଭ ହୋଇଥିଲା। ଏହାର ୭୦ ପ୍ରତିଶତ ସୁଟିଂ ଶେଷ ହୋଇଥିବାବେଳେ ଗଣେଶ ପୂଜାକୁ ଏହା ରିଲିଜ ହେବ ବୋଲି ଘୋଷଣା କରାଯାଇଥିଲା।
ଟିଟୋର ଏହି ବୟାନ ପରେ ଫିଲ୍ମ ନିର୍ମାଣ ଉପରେ କଟକଣା ଲାଗିପାରେ। ସେହିଭଳି ଅନ୍ୟ ଫିଲ୍ମରେ ଟଙ୍କା ଲାଗିଛି କି ନାହିଁ ସେନେଇ ତଦନ୍ତ କରୁଛି ଏସ୍ଟିଏଫ୍ ଟିମ୍।