ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ବର୍ଷ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ନିମନ୍ତ୍ରଣ କରାଯାଇଛି।
ଆସନ୍ତା ବର୍ଷ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବାକୁ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିମନ୍ତ୍ରଣ କରିଛନ୍ତି ଭାରତ ସରକାର। ବିଭିନ୍ନ କାରଣରୁ ଭାରତ ଓ ଆମେରିକାର କୂଟନୈତିକ ସଂପର୍କ ଉପରେ ପ୍ରଶ୍ନବାଚୀ ଲାଗି ରହିଥିବା ସମୟରେ ଏହି ନିମନ୍ତ୍ରଣ ବେଶ ଗୁରୁତ୍ୱ ବହନ କରୁଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ନିମନ୍ତ୍ରଣ ସ୍ୱୀକାର କରି ଭାରତ ଆସିଲେ ଏହା ଭାରତୀୟ ବୈଦେଶିକ ନୀତିର ଏକ ବଡ଼ ସଫଳତା ରୂପେ ପରିଗଣିତ ହେବ।
ଗତ ଏପ୍ରିଲ ମାସରେ ଭାରତ ପକ୍ଷରୁ ଟ୍ରମ୍ପଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି ନିମନ୍ତ୍ରଣକୁ ଆନୁଷ୍ଠାନିକ ଭାବେ ସ୍ୱୀକାର କରିନାହିଁ ଆମେରିକା। ଔପଚାରିକ ଉତ୍ତର ମଧ୍ୟ ଦେଇନାହିଁ। କିନ୍ତୁ ଏହାକୁ ସକାରାତ୍ମକ ଭାବେ ବିଚାର କରାଯାଉଛି ବୋଲି ଆମେରିକା ପକ୍ଷରୁ ସଙ୍କେତ ଦିଆଯାଇଛି।
ଗତ କିଛିମାସ ହେଲା ଭାରତ ଓ ଆମେରିକାର ସଂପର୍କ ସମାଲୋଚନା ଘେରରେ ରହିଛି। ଭାରତ ପ୍ରତି ଆମେରିକା ପ୍ରତିକୂଳ ମନୋଭାବ ପୋଷଣ କରୁଥିବା କୁହାଯାଉଛି। ଏହାର କାରଣ ରୂପେ ଯେଉଁ ସବୁ ପ୍ରସଙ୍ଗକୁ ଦର୍ଶାଯାଇଛି ସେଗୁଡ଼ିକ ମଧ୍ୟରେ ରହିଛି ଇରାନ ଏବଂ ରୁଷିଆ ସହିତ ଭାରତର ବାଣିଜ୍ୟିକ ସଂପର୍କ। ଇରାନ ସହ ଭାରତର ବନ୍ଧୁତା ଏବଂ ଆମେରିକାର କଟକଣା ସତ୍ତ୍ୱେ ଭାରତ ଇରାନରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ ନ କରିବା ଘଟଣାକୁ ନେଇ ଆମେରିକା କ୍ଷୁବ୍ଧ ବୋଲି କୁହାଯାଉଛି।
ନଭେମ୍ବର ସୁଦ୍ଧା ଇରାନରୁ ସାମଗ୍ରୀ ଆମଦାନୀ ସଂପୂର୍ଣ୍ଣ ରୂପେ ବନ୍ଦ କରିବାକୁ ବନ୍ଧୁ ରାଷ୍ଟ୍ରଗୁଡ଼ିକୁ ଆମେରିକାର ପରାମର୍ଶ ଦେଇଥିଲା। ପରବର୍ତ୍ତୀ ସମୟରେ ଇରାନକୁ ନେଇ ଆମେରିକା କିଛିଟା କୋହଳ ନୀତି ଅବଲମ୍ବନ କରିଥିଲେ ହେଁ ଭାରତପ୍ରତି ଟ୍ରମ୍ପ୍ ସରକାରଙ୍କ ମନୋଭାବରେ ବିଶେଷ ସୁଧାର ଆସି ନଥିଲା।
ଏହାର ଆଉ ଏକ କାରଣ ହେଲା ଭାରତ ଓ ରୁଷିଆ ମଧ୍ୟରେ ଥିବା ନିବିଡ଼ ସଂପର୍କ ଏବଂ ରୁଷିଆରୁ ଏସ୍-୪୦୦ ମିସାଇଲ ସିଷ୍ଟମ୍ କିଣିବା ଲାଗି ଭାରତର ପ୍ରସ୍ତାବ। ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ସଂପର୍କରେ ଅବନତି ସହିତ ଇରାନ ଓ ରୁଷିଆ ସହ ଭାରତର ସୁସଂପର୍କକୁ ଟ୍ରମ୍ପ ସରକାରଙ୍କ ଅସନ୍ତୋଷର କାରଣ ରୂପେ ଅଭିହିତ କରାଯାଇଥିଲା।
ଏହି ପ୍ରେକ୍ଷାପଟ୍ଟରେ ଭାରତ ସହ ଆମେରିକାର ୨+୨ ଆଲୋଚନାକୁ ମଧ୍ୟ ଆମେରିକା ସ୍ଥଗିତ ରଖିଥିଲା। ଜୁଲାଇ ୬ ତାରିଖରେ ହେବାକୁ ଥିବା ଏହି ଆଲୋଚନାରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରଣଙ୍କ ସହିତ ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ ଏବଂ ପ୍ରତିରକ୍ଷା ସଚିବ ଜେମ୍ସ ମାଟିସ୍ ଅଂଶଗ୍ରହଣ କରିଥାଆନ୍ତେ। କିନ୍ତୁ ଜୁନ୍ ମାସରେ ଆମେରିକା ଭାରତକୁ ଜଣାଇ ଦେଲା ଯେ ‘ଅପରିହାର୍ଯ୍ୟ କାରଣ’ ଯୋଗୁଁ ଏହି ଆଲୋଚନାକୁ ସ୍ଥଗିତ ରଖାଗଲା। ଏଥିପାଇଁ ଆମେରିକା ଔପଚାରିକ ଭାବେ ‘ଦୁଃଖ ପ୍ରକାଶ’ କରିଥିଲେ ହେଁ ଏହା ଭାରତ-ଆମେରିକା ସଂପର୍କର ଅବନତି ବୋଲି ବିବେଚିତ ହୋଇଥିଲା।
ଏଭଳି ସ୍ଥିତିରେ ଯଦି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଭାରତର ନିମନ୍ତ୍ରଣ ରକ୍ଷା କରି ନୂଆଦିଲ୍ଲୀ ଆସନ୍ତି ତେବେ ଏହା ଭାରତର ବୈଦେଶିକ ନୀତିରେ ଏକ ବଡ଼ ସଫଳତା ବୋଲି ଧରି ନିଆଯିବ। ପୂର୍ବରୁ ୨୦୧୫ ମସିହାରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମା ଭାରତର ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।
୨୦୧୬ରେ ଫ୍ରାନ୍ସ ରାଷ୍ଟ୍ରପତି ଫ୍ରାଙ୍କୋୟା ହଲାଣ୍ଡେ ଏବଂ ୨୦୧୭ରେ ଆବୁଧାବିର ରାଜକୁମାର ମହମ୍ମଦ ବିନ୍ ଜାୟେଦ ଯୋଗ ଦେଇଥିଲେ। ଏ ବର୍ଷର ଗଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେଇଥିଲେ ସମସ୍ତ ୧୦ଟି ଆସିଆନ୍ ରାଷ୍ଟ୍ରର ନେତୃବୃନ୍ଦ। ୨୦୧୯ରେ ଟ୍ରମ୍ପଙ୍କ ଯୋଗଦାନକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ବେଶ ଆଶାବାଦୀ। ହୁଏତ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଆଗମନରେ ଉନ୍ମୋଚିତ ହେବ ଭାରତ-ଆମେରିକା ସଂପର୍କର ଏକ ନୂତନ ଅଧ୍ୟାୟ।