ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ମହାପ୍ରଭୁ ଜଗନ୍ନାଥ ୯ ଦିନ ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ। ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବା ପାଇଁ ସିଂହଦ୍ୱାର ସମ୍ମୁଖରେ ତିନି ରଥ ଅପେକ୍ଷା କରିଛନ୍ତି।
ଭୋର୍ରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ଶେଷ ଚାଲିଛି। ସାଢ଼େ ୯ଟାରୁ ପହଣ୍ଡି ଆରମ୍ଭ ହେବ। ପ୍ରଥମେ ମହାପ୍ରଭୁ ସୁଦର୍ଶନ, ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ପରେ ଜଗନ୍ନାଥଙ୍କ ପହଣ୍ଡିବିଜେ ଆରମ୍ଭ ହେବ। ଅପରାହ୍ଣ ୨ଟାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ତିନି ରଥରେ ଛେରା ପହଁରା କରିବା ପରେ ୪ଟାରୁ ରଥଟଣା ଆରମ୍ଭ ହେବ। ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି।
ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ୧୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ସମେତ ୧୦୦୦ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଏହାସହ ୧୦୦୦ ହୋମଗାର୍ଡ, ୨ ୟୁନିଟ୍ ରାପିଡ ଆକ୍ସନ ଫୋର୍ସ ଏବଂ ୨ ୟୁନିଟ ସ୍ୱିଫ୍ଟ ଆକ୍ସନ ଫୋର୍ସ ମୁତୟନ କରାଯାଇଛି।
ସମୁଦ୍ର କୂଳ, ବଡ଼ଦାଣ୍ଡ, ରେଳ ଷ୍ଟେସନ ଏବଂ ବସ୍ ଷ୍ଟାଣ୍ଡରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁରୀର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ସମେତ ରଥ ଏବଂ ଗୁଣ୍ଡିଚା ମନ୍ଦିର ସିସିଟିଭି ନଜରରେ ରହିବ। ସେହିପରି ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

















