ଓଡ଼ିଶାଲାଇଭ୍ ବ୍ୟୁରୋ
ଲଗାଣ ବର୍ଷାରେ ସାରା ରାଜ୍ୟ ବେହାଲ ହୋଇଯାଇଥିବା ବେଳେ ପ୍ରମୁଖ ପର୍ଯ୍ୟଟନସ୍ଥଳ କୋଣାର୍କ ପାଣିଘେରରେ ରହିଛି। କୋଣାର୍କ ପରିସରରେ ଆଣ୍ଠୁଏ ଉଚ୍ଚାର ପାଣି ଜମି ରହିଥିବାରୁ ପର୍ଯ୍ୟଟକମାନେ ଅସୁବିଧା ଭୋଗିଛନ୍ତି। ବର୍ଷା ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ବାରମ୍ବାର ପାଣି ଜମୁଛି। ଏହାର ସ୍ଥାୟୀ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି।
ନବୀନ ତାଙ୍କ ଚିଠିରେ ଲେଖିଛନ୍ତି, “ତ୍ରୟୋଦଶ ଶତାବ୍ଦୀରେ ଏହି ମନ୍ଦିର ନିର୍ମାଣ ହୋଇଥିଲା। ହେଲେ ଏବେ ବିଭିନ୍ନ ସମସ୍ୟାର ସମ୍ମୁଖିନ କରୁଛି ଏହି ପ୍ରାଚୀନ କୀର୍ତ୍ତିରାଜି। ବାରମ୍ବାର ବର୍ଷାପଣି ଜମି ରହୁଥିବାରୁ ବନ୍ୟାର ଭ୍ରମ ସୃଷ୍ଟି କରୁଛି। ଏଏସ୍ଏଆଇର ଅନୁମତି ନେଇ ସ୍ଥାୟୀ ସମାଧାନ କରାଯାଉ।”
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ୧୯୦୩ ମସିହାରେ କୋଣାର୍କ ମନ୍ଦିର ପରିସରରେ ଏକ ବଡ଼ ଖନନ କାର୍ଯ୍ୟ କରାଯିବା ପରେ ମନ୍ଦିରକୁ ବନ୍ଦ କରି ଦିଆଯାଇଥିଲା। ୧୯୦୫ରେ ଶେଷଥର ପାଇଁ ମୁଖଶାଳା ଓ ନାଟମଣ୍ଡପ ମରାମତି କରାଯାଇଥିଲା। ୨୦୦୩ରେ ପୁଣିଥରେ ଖନନ ଉଦ୍ୟମ ବେଳେ ଏଠାରେ ଡ୍ରେନେଜ ବ୍ୟବସ୍ଥା ଥିବା ଦେଖିବାକୁ ମିଳିଥିଲା। ଏହି ଡ୍ରେନେଜ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି।
ଆଜି ଲଗାଣ ବର୍ଷାରେ କୋଣାର୍କ ପରିସରରେ ଆଣ୍ଠୁଏ ଉଚ୍ଚାର ପାଣି ଲହଡ଼ି ଭାଙ୍ଗିଥିଲା। ମନ୍ଦିରଟି ପୂରା ପାଣିଘେରରେ ରହିଥିଲା। ବର୍ଷା ପାଣି ନିଷ୍କାସନ ହେବାରେ ବିଳମ୍ବ ହୋଇଥିଲା। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି।
















