ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋଦି ସରକାରଙ୍କୁ କରିଥିଲେ ଟାର୍ଗେଟ୍। ମୋଦି ସରକାର ଗରୀବଙ୍କ ସରକାର ନୁହେଁ, ସୁଟ୍-ବୁଟ୍ ଲୋକଙ୍କ ସରକାର କହି କଟାକ୍ଷ କରିଥିଲେ ରାହୁଲ୍। ଖାଲି ସେତିକି ନୁହେଁ, ରାଫେଲ୍ ଡିଲ୍‌ଠାରୁ ଆରମ୍ଭ କରି ଭିଡ଼ ହିଂସା ଘଟଣାକୁ ନେଇ ରାହୁଲ ମୋଦିଙ୍କୁ ନିଶାନା କରିଥିଲେ।

ରାହୁଲ୍ ବେରୋଜଗାରୀ ପ୍ରସଙ୍ଗକୁ ପ୍ରଥମେ ଅସ୍ତ୍ର କରି ମୋଦି ସରକାରଙ୍କୁ ଘେରିଥିଲେ। ଜାଣନ୍ତୁ ରାହୁଲ ଲୋକସଭାରେ କ’ଣ କହିଲେ?

-ନିର୍ବାଚନ ପୂର୍ବରୁ ମୋଦି ୨ କୋଟି ଯୁବକଙ୍କୁ ନିଯୁକ୍ତି ଦେବେ ବୋଲି କହିଥିଲେ। କିନ୍ତୁ ୪ ବର୍ଷ ଭିତରେ ମାତ୍ର ୪ ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି। ୨୪ ଘଣ୍ଟାରେ ଚୀନ ୫୦ ହଜାର ଯୁବକଙ୍କୁ ରୋଜଗାର ଦେଉଥିବା ବେଳେ ୨୪ ଘଣ୍ଟାରେ ମୋଦି ସରକାର ୪୦୦ ଯୁବକଙ୍କୁ କର୍ମ ନିଯୁକ୍ତି ଦେଉଛନ୍ତି।

-ନିର୍ବାଚନ ପୂର୍ବରୁ ମୋଦି ପ୍ରତିଶ୍ରୁତି ଦେଇଥିଲେ ଯେ ପ୍ରତି ଭାରତୀୟଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଆସିବ। କିନ୍ତୁ ଏହି ଟଙ୍କା କୁଆଡ଼େ ଗଲା ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

-ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ସହ ରାଫେଲ୍ ଡିଲ୍ କଲେ। ହେଲେ ଏହାପରେ ରାଫେଲ୍ ଅଚାନକ ୧୬୦୦ କୋଟି ଟଙ୍କା ହୋଇଗଲା। ଚୁକ୍ତି ପୂର୍ବରୁ ରାଫେଲ୍ ୫୪୦ କୋଟି ଟଙ୍କା ଥିଲା।

-ପ୍ରଧାନମନ୍ତ୍ରୀ ମୋଦି ୧୦ରୁ ୨୦ ଜଣ ବଡ଼ ବ୍ୟବସାୟୀଙ୍କ କଥା ବୁଝନ୍ତି। ବଡ଼ ବଡ଼ ବ୍ୟବସାୟୀଙ୍କ ସହ ମୋଦିଙ୍କର ସମ୍ପର୍କ କ’ଣ ତାହା ସମସ୍ତେ ଜାଣନ୍ତି।

-ଅଧ ରାତିରେ ମୋଦି ବିମୁଦ୍ରାକରଣ ନୀତି ଘୋଷଣା କରିଥିଲେ। ଅଚାନକ ପୁରୁଣା ନୋଟ୍ ଅଚଳ କରିଦେଇଥିଲେ। କୃଷକ, ଶ୍ରମିକ, ଗରୀବ ଶ୍ରେଣୀର ଲୋକ କେମିତି ଚଳିବେ ତାହା ଚିନ୍ତା କଲେନି ମୋଦି।

-କଂଗ୍ରେସ ପ୍ରଥମେ ଜିଏସ୍‌ଟି ଲାଗୁ କରିବାକୁ ଚାହିଁଥିଲା। ହେଲେ ମୋଦି ଯେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ସେ ଏହାକୁ ବିରୋଧ କରିଥିଲେ।

-ମତେ ମୋଦି ବିଭିନ୍ନ ଭାଷାରେ ସମାଲୋଚନା କରିଛନ୍ତି। ପପୁ ମଧ୍ୟ କହିଛନ୍ତି। ହେଲେ ମୋ ମନରେ ମୋଦିଙ୍କ ପ୍ରତି କୌଣସି ରାଗ ନାହିଁ।

Comment