କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ

କେନ୍ଦ୍ରାପଡ଼ା ଜିଲ୍ଲାର ବଳଦେବଜୀୟୁ ମନ୍ଦିରରେ ଭୋଗ ଲାଗି ହେଉଥିବା ରସାବଳି ଉପରେ ସ୍ଵତନ୍ତ୍ର ଉପସ୍ଥାପନା।

ରସାବଳି ନା ଶୁଣିଲେ ପାଟିରୁ ଆପେଆପେ ଲାଳ ଝରି ଆସେ। ଖାଇଥିବା ଲୋକ ତ ରସାବଳୀ ନାଶୁଣିଲେ ଲାଳ ଗଡ଼ାଏ, ନ ଖାଇଥିବା ଲୋକ ମଧ୍ୟ ଏକ ମିଠାଯୁକ୍ତ ଖାଦ୍ୟ ଭାବି ଖାଇବାକୁ ଇଛା ପ୍ରକାଶ କରିଥାଏ। ଏହି ରସାବଳି ହେଉଛି କେନ୍ଦ୍ରାପଡା ତୁଳସୀକ୍ଷେତ୍ରାଧୀପତି ଶ୍ରୀଶ୍ରୀ ସିଦ୍ଧ ବଳଦେବଜୀୟୁଙ୍କ ଦୈନ୍ୟଦିନ ପ୍ରିୟ ଖାଦ୍ୟ।

କେନ୍ଦ୍ରାପଡାରେ ମହାପ୍ରଭୁ ବଳଦେବଜୀୟୁଙ୍କ ଆବିର୍ଭାବ ୩ୟ ଶତାବ୍ଦିରୁ ହୋଇଥିଲେ ମଧ୍ୟ ମରହଟ୍ଟା ଶାସନ କାଳରେ ନାଗା ସନ୍ୟାସୀ ରଘୁଜୀ ଭୋନ୍ସଲାଙ୍କ ନାତି ମହନ୍ତ ସଡ୍ ଗୋପୀ ଦାଶ ବଳଦେବଜୀୟୁଙ୍କ ପାଇଁ ସମସ୍ତ ପୂଜା ରୀତିନୀତି ଖଞ୍ଜା କରି ଥିଲେ।

୧୭୮୦ ମସିହାରେ ମହାପ୍ରଭୁଙ୍କ ପାଇଁ ପ୍ରଥମେ ପ୍ରଚଳନ କରାଗଲା ରସାବଳି ଭୋଗ। ମହାରାଷ୍ଟ୍ରିୟ ସନ୍ଥମାନେ ବଳଦେବଜୀୟୁଙ୍କ ସେବାରେ ନିୟୋଜିତ ଥିବାରୁ ଏହି ରସାବଳି ଭୋଗ ମହାରାଷ୍ଟ୍ରରୁ ଆସିଥାଏ ବୋଲି କୁହାଯାଏ।

ଶ୍ରୀଜୀୟୁମାନଙ୍କ ନିକଟରେ କେତେକ ବିଶିଷ୍ଟ ପୂଜା ପାର୍ବଣରେ ରସାବଳି ଭୋଗ କରାଯାଇ ଆସୁଥିଲା। ସ୍ଥାନୀୟ ନାନକାର ଜମିଦାରୀ ବଳଦେବଜୀୟୁଙ୍କ ଅଧୀନକୁ ଆସିବାପରେ ଦାୟିତ୍ଵରେ ଥିବା ପୁରୀ ଏମାର ମଠର ମହନ୍ତ ରାମପ୍ରସନ୍ନ ରାମାନୁଜ ଦାଶ ୧୯୦୨ ମସିହାରେ ଠାକୁରଙ୍କ ନିକଟରେ ରସାବଳି ଭୋଗର ନୀତି ଖଞ୍ଜା କରାଇଥିଲେ।

ମହାପ୍ରଭୁଙ୍କର ବିଭିନ୍ନ ସେବାରେ ବିଭିନ୍ନ ପାଟକର ବ୍ରାହ୍ମଣମାନେ ନିୟୋଜିତ ରହିଛନ୍ତି। ସେମାନେ ହେଲେ ବଡପଣ୍ଡା, ପାଳିଆପଣ୍ଡା, ମଝିପଣ୍ଡା, ସୁଆର, ଚର୍ଚ୍ଚାୟତ, ବର୍ଷାୟତ, ମେକାପ ଆଦି ସେବକ ମାନେ। ହେଲେ ରସାବଳି ଭୋଗ ପ୍ରସ୍ତୁତ କରିଥାନ୍ତି କେବଳ ଗୁଡିଆ ବ୍ରାହ୍ମଣ ବଂଶଧରଙ୍କ ସେବକ ମାନେ। ପ୍ରଭୁଙ୍କର ଏହି ସ୍ଵତନ୍ତ୍ର ଭୋଗ ତିଆରିରେ ବ୍ୟବହାର କରାଯାଏ କେବଳ ଦେଶୀ ଗାଇର କ୍ଷୀର, କ୍ଷୀର ଛେନା, ଘିଅ, ଚିନି ଓ ଚାଉଳ ଚୁନା। ମହାପ୍ରଭୁଙ୍କର ଏହି ସୁସ୍ଵାଦ ରସାବଳି ଭୋଗକୁ ପୁରୀ ସହିତ ପ୍ରତିଦିନ କେବଳ ସନ୍ଧ୍ୟା ଉଠାଣି ଧୂପରେ ସମର୍ପଣ କରାଯାଏ।

କେନ୍ଦ୍ରାପଡା ରସାବଳିର ରହିଥିବା ନିଆରା ସ୍ଵାଦ ପାଇଁ କହିବାକୁ ଗଲେ ଏହା ପୃଥିବୀ ପ୍ରସିଦ୍ଧ ହୋଇପାରିଛି। ମନ୍ଦିରରେ କମ୍ ପରିମାଣରେ ଏହା ତିଆରି ହେଉଥିବାରୁ ଅଧିକ ସଂଖ୍ୟାରେ ଭକ୍ତମାନଙ୍କର ଆବଶ୍ୟକତାକୁ ପୂରଣ କରିପାରୁ ନାହିଁ। ତେଣୁ ବଳଦେବଜୀୟୁଙ୍କ ମନ୍ଦିର ମଧ୍ୟରେ ଏହି ଭୋଗ କେବଳ ପ୍ରସ୍ତୁତ ହୋଇନଥାଏ, କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ ମିଠା କାରିଗରମାନେ ଏହି ରସାବଳି ପ୍ରସ୍ତୁତ କରିଥାନ୍ତି। ସହରର ଇଛାପୁର ରଥଦାଣ୍ଡ, ପୁରୁଣା ମଟରଷ୍ଟାଣ୍ଡ, ତିନି ମୁହାଣି ଆଦି ସ୍ଥାନ ମାନଙ୍କରେ ଏହା ପ୍ରସ୍ତୁତ କରାଯାଉଥିବାବେଳେ ସହରର ଗୋପ ବଜାରରେ ବଷ୍ଣବ ପଣ୍ଡାଙ୍କ ରସାବଳି ପୃଥିବୀ ପ୍ରସିଦ୍ଧ ହୋଇଛି।

ପ୍ରତିଦିନ ଏହି ସ୍ଥାନରୁ ଦେଶର ବିଭିନ୍ନ ରାଜ୍ୟ ତଥା ବାହାର ଦେଶକୁ ରସାବଳି ପଠାଯାଇଥାଏ। କେନ୍ଦ୍ରାପଡାର ବାସିନ୍ଦା ଯେଉଁମାନେ ଦେଶ ତଥା ଦେଶ ବାହାରେ ରହୁଛନ୍ତି ସେମାନେ କେନ୍ଦ୍ରାପଡା ଆସିଲେ ସାଥିରେ ବାହାରକୁ ରସାବଳି ନେବାକୁ ଭୁଲନ୍ତିନି। ତାହାଛଡା କାହାକୁ କିଛି ଉପହାର ଦେବାକୁ ହେଲେ ଲୋକେ ରସାବଳୀ ଉପହାର ଦେବାକୁ ପସନ୍ଦ କରିଥାନ୍ତି। ଏପରିକି ବିବାହ ବ୍ରତ ଆଉ ଭୋଜିଭାତରେ ରସାବଳି ପରିବେଷଣ କରିବାକୁ ପସନ୍ଦ କରିଥାନ୍ତି ଲୋକେ।

କୁଣିଆ ଘରକୁ ଗଲେ ସାଙ୍ଗରେ ଲୋକେ ରସାବଳି ନେବାକୁ ଅଧିକ ପସନ୍ଦ କରିଥାନ୍ତି। କେନ୍ଦ୍ରାପଡା ପ୍ରସିଦ୍ଧ ଏହି ମିଠା ଜାତିର ଖାଦ୍ୟ ରସାବଳିର ଅଧିକ ଚାହିଦା ବଢୁଥିବାରୁ ବ୍ୟବସାୟୀମାନେ ଏହାକୁ ବ୍ୟବସାୟ କରି ଅଧିକ ଲାଭବାନ ହେଉଛନ୍ତି।

Comment