ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଉଦଘାଟିତ ହେଲା ଗୁରୁପ୍ରିୟା ସେତୁ
  • ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ
  • ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହେଲା ବିଚ୍ଛିନ୍ନାଞ୍ଚଳର ୧୫୧ ଗାଁ
  • ଗୁରୁପ୍ରିୟାକୁ ବିକାଶର ସେତୁ କହିଲେ ମୁଖ୍ୟମନ୍ତ୍ରୀ
  • ଗୁରୁପ୍ରିୟା ଥିଲା ଜାନକୀଙ୍କ ସ୍ୱପ୍ନ: କଂଗ୍ରେସ
  • ସ୍ୱପ୍ନ ସାକାର କରିବାକୁ କିଏ ମନାକଲା: ବିଜେପି

ଉଦଘାଟିତ ହୋଇଛି ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ। ବିଚ୍ଛିନ୍ନାଞ୍ଚଳ ସହ ଯୋଡ଼ି ହେଲା ନୂଆ ସମ୍ପର୍କ। ଜଳବନ୍ଦୀ ଜୀବନରୁ ମୁକ୍ତି ପାଇଲେ ୧୫୧ ଗାଁର ଲୋକେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ ଏହି ସେତୁ ଉଦଘାଟନ କରିଛନ୍ତି। ହେଲେ ଏହାକୁ ନେଇ ରାଜନୀତି ବୟାନବାଜି ଆରମ୍ଭ ହୋଇଛି।

କଂଗ୍ରେସ, ବିଜେଡି ଏବଂ ବିଜେପିର ବୟାନବାଜିରେ ଗୁରୁପ୍ରିୟା ସେତୁ ରାଜନୀତି ପଶାପାଲିରେ ଛନ୍ଦି ହୋଇଯାଇଛି। ଗୁରୁପ୍ରିୟା ସେତୁ ଉଦଘାଟନ ହେବା ପରେ ଜାନକୀଙ୍କ ସ୍ୱପ୍ନ ପୂରଣ ହୋଇଥିବା କଂଗ୍ରେସ କହିଥିବା ବେଳେ ବିଜେପି କହିଛି ସବୁ ଶ୍ରେୟ ଯବାନମାନଙ୍କର। ଆଉ ଏହି ଦୁଇ ଦଳଙ୍କୁ ଜବାବ ଦେଇଛି ବିଜେଡି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟର୍‌ରେ ଗୁରୁପ୍ରିୟକୁ ବିକାଶର ସେତୁ ବୋଲି ଦର୍ଶାଇଛନ୍ତି। ଗୁରୁପ୍ରିୟା ସେତୁ ପାଇଁ ମାଲକାନଗିରି ନୂଆ ପରିଚୟ ପାଇଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁପ୍ରିୟା ସେତୁରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଫଟୋକୁ ଯୋଡ଼ି ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଆଉ କହିଛନ୍ତି ଯେ ଜାନକୀ ବାବୁଙ୍କ ସ୍ୱପ୍ନ ଆଜି ସାକାର ହୋଇଛି।

ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ଗୁରୁପ୍ରିୟା ସେତୁ ଲୋକାର୍ପଣ ଅବସରରେ ମାଲକାନଗିରି ଏବଂ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଉଛି। ଏହି ସେତୁ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସ୍ୱପ୍ନ ଥିଲା। ସେ ସ୍ୱପ୍ନ ଆଜି ସାକାର ହୋଇଛି। ଜାନକୀ ପଟ୍ଟନାୟକଙ୍କ ଶାସନ ବେଳେ ଗୁରୁପ୍ରିୟା ସେତୁର ପରିକଳ୍ପନା କରାଯାଇଥିଲା। ହେଲେ ପ୍ରତିବନ୍ଧକ ପାଇଁ ସାକାର ହୋଇପାରିଲାନି। କଂଗ୍ରେସ ସବୁବେଳେ ଲୋକଙ୍କ ସହ ରହିଛି।”

ପିସିସି ସଭାପତିଙ୍କ ବୟାନକୁ କାଉଣ୍ଟର କରିଛି ବିଜେପି।

“ଗୁରୁପ୍ରିୟା ସେତୁ ଯଦି ଜାନକୀବଲ୍ଲଭ ପଟ୍ଟନାୟକଙ୍କର ସ୍ୱପ୍ନ ଥିଲା ତାକୁ ସାକାର କରିବା ପାଇଁ କିଏ ମନା କରୁଥିଲା। ୧୦ ବର୍ଷ ଧରି କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର କେନ୍ଦ୍ରରେ ରହିଥିଲା। ସେତେବେଳେ କୁଆଡ଼େ ଯାଇଥିଲେ କଂଗ୍ରେସ ନେତା। ରାଜ୍ୟ ସରକାର ବି ଗୁରୁପ୍ରିୟା ସେତୁକୁ ଠିକ୍ ଢଙ୍ଗରେ କରି ନାହାନ୍ତି। ଆଜି ଯାହା ବି ହୋଇଛି ତାର ଶ୍ରେୟ କେବଳ ଯବାନମାନେ ନେବା ଉଚିତ୍। ଯବାନମାନେ ଗୁରୁପ୍ରିୟାକୁ ସୁରକ୍ଷା ଦେଇଥିବାରୁ ତାହା ଆଜି ସଫଳ ହୋଇଛି”, କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର।

କଂଗ୍ରେସ ଏବଂ ବିଜେପିକୁ ଜବାବ ଦେଇଛି ବିଜେଡି। ଏହାର ଶ୍ରେୟ କିଏ ନେବେ ତାହା ଓଡ଼ିଶାବାସୀ ବିଚାର କରିବେ ବୋଲି କହିଛନ୍ତି ମୁଖପାତ୍ର ଅମର ପ୍ରସାଦ ଶତପଥୀ।

୨୦୦୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପ୍ରିୟା ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ହେଲେ ମାଓବାଦୀ ଭୟ ଯୋଗୁଁ ସେତୁ ନିର୍ମାଣ ସମ୍ଭବ ହୋଇ ନଥିଲା। ୨୦୧୪ରେ କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଥିଲା ଗୁରୁପ୍ରିୟା ସେତୁର ନିର୍ମାଣ କାମ। ୪ ବର୍ଷ ଭିତରେ ଏହି ସେତୁ ସମ୍ପୂର୍ଣ୍ଣ ଶେଷ ହୋଇଛି। ଚିତ୍ରକୋଣ୍ଡ ଜଜଳଭଣ୍ଡାରର ଆର ପାରିରେ ରହୁଥିବା ୧୫୧ ଗାଁକୁ ବିକାଶ ସହିତ ଯୋଡ଼ା ଯାଇଛି।

ଗୁରୁପ୍ରିୟା ସେତୁର ଲମ୍ବ ହେଉଛି ୯୧୦ ମିଟର। ପ୍ରାୟ ୧ କିଲୋମିଟର ଦୈଘ୍ୟ ବିଶିଷ୍ଟ ଏହି ସେତୁ ନିର୍ମାଣ ଦ୍ୱାରା ବିଚ୍ଛିନ୍ନାଞ୍ଚଳର ବିକାଶ ପ୍ରକ୍ରିୟା ତ୍ୱରାନ୍ଵିତ ହୋଇପାରିବ।ଏହା ଫଳରେ ଚିତକୋଣ୍ଡା ବ୍ଲକ୍‌ର ୧୫୧ଟି ଗାଁର ଲୋକେ ଉପକୃତ ହୋଇ ପାରିବେ।

LEAVE A REPLY

Please enter your comment!
Please enter your name here