ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଥମ ଐତିହ୍ୟ କ୍ୟାବିନେଟ୍ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ହୋଇଛି ଏହି ବୈଠକ। ଏହି ବୈଠକରେ ୪ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ।

କଳା ଓ ସଂସ୍କୃତି ପୂର୍ଣ୍ଣ ଓଡ଼ିଶାରେ ଐତିହ୍ୟର ସଂରକ୍ଷଣ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ହାତକୁ ନେଇଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ଐତିହ୍ୟର ସଂରକ୍ଷଣ ଓ ସମୃଦ୍ଧି ପାଇଁ ଶୁକ୍ରବାରଦିନ ସନ୍ଧ୍ୟା ୫ଟା ୪୫ରେ ରାଜ୍ୟ ସଚିବାଳାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରଥମ ଐତିହ୍ୟ କ୍ୟାବିନେଟ୍ ବୈଠକ ବସିଛି।

ପ୍ରଥମ ଐତିହ୍ୟ କ୍ୟାବିନେଟ୍‌ରେ ଗୁରୁତ୍ଵପୁର୍ଣ୍ଣ ନିଷ୍ପତ୍ତି

  • ଓଡ଼ିଶା ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ ପାଇଁ ନିଷ୍ପତ୍ତି। ଓଡ଼ିଶା ଭାଷା ଓ ସଂସ୍କୃତି ବିଭାଗକୁ ନୀତି ଡ୍ରାଫ୍ଟ ଦାୟିତ୍ଵ
  • ଆନନ୍ଦ ଭବନ ସଂଗ୍ରହାଳୟ ପାଇଁ ସ୍ଵତନ୍ତ୍ର ଟ୍ରଷ୍ଟ ଗଠନ ହେବ। ଏହି ଟ୍ରଷ୍ଟ ପାଇଁ ରହିବ ସ୍ଵତନ୍ତ୍ର କର୍ପସ ଫଣ୍ଡ।
  • ସାର୍ବଜନୀନ ପାଠାଗାର ନିର୍ଦ୍ଦେଶକ ପଦବୀ ସୃଷ୍ଟିକୁ ମଞ୍ଜୁରୀ
  • ସତ୍ୟବାଦୀରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ଵବିଦ୍ୟାଳୟ। ଓଡ଼ିଆ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୨୫ ଏକର ଜମି ଦେବେ ଓଡ଼ିଶା ସରକାର।

ଗତ ସପ୍ତାହରେ ଏହି ଐତିହ୍ୟ କ୍ୟାବିନେଟ ଗଠନ ପାଇଁ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଥିଲା। ଏହି କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମୋଟ ୮ ଜଣ ସଦସ୍ୟ ଅଛନ୍ତି।

ଅର୍ଥମନ୍ତ୍ରୀ, ଓଡ଼ିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ, ଅନୁସୂଚିତ ଜାତି-ଜନଜାତି ମନ୍ତ୍ରୀ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ବୟନଶିଳ୍ପ ମନ୍ତ୍ରୀ ଓ ଆଇଟି ମନ୍ତ୍ରୀ ସଦସ୍ୟ ଭାବେ ରହିଛନ୍ତି। ସେପଟେ, ରାଜ୍ୟର ମୁଖ୍ୟ ଶାସନ ସଚିବ ଐତିହ୍ୟ କ୍ୟାବିନେଟର ସଚିବ ଭାବେ ଦାୟିତ୍ୱ ନିର୍ବାହ କରିବେ। ୨୦୧୭ ଡିସେମ୍ବର ୨୬ ତାରିଖରେ ରାଜ୍ୟ ସରକାର ଐତିହ୍ୟ କ୍ୟାବିନେଟ ଗଠନ ପାଇଁ ନିଷ୍ପତ୍ତି ନେଇଥିଲେ।

ଐତିହ୍ୟ କ୍ୟାବିନେଟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବ୍ୟାପକତା ଓ ବିବିଧତା ଅକ୍ଷୁଣ୍ଣ ରଖିବା ସହ ଏହାର ପ୍ରଚାର ଓ ପ୍ରସାର ପାଇଁ ଯୋଜନା ପ୍ରସ୍ତୁତି କରିବେ।

LEAVE A REPLY

Please enter your comment!
Please enter your name here