ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବାଳିକା ଆଶ୍ରମରେ ଯୌନ ଶୋଷଣ ମାମଲା
  • ବିହାର ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ
  • ଏହି ଘଟଣାକୁ ବିରୋଧ କରି ବାମ ଦଳ ପକ୍ଷରୁ ଗୁରୁବାରଦିନ ବିହାର ବନ୍ଦ
  • ସୁପ୍ରିମକୋର୍ଟ ଇଲେକଟ୍ରୋନିକ ଓ ପ୍ରିଣ୍ଟ ଗଣମାଧ୍ୟମକୁ ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ
  • ରେପ୍‌ ପୀଡ଼ିତାଙ୍କ ଫଟୋ ଏବଂ ନାମ ଠିକଣା ଗୋପନ ରଖିବାକୁ ନିର୍ଦ୍ଦେଶ
  • ଏମିତିକି ବ୍ଲର କରି ମଧ୍ୟ ଫଟୋ ନଦେଖାଇବାକୁ ନିର୍ଦ୍ଦେଶ
  • ପୀଡ଼ିତାଙ୍କ ସାକ୍ଷାତକାର ନେବାକୁ ମଧ୍ୟ ରଦ୍ଦ କଲେ ସୁପ୍ରିମକୋର୍ଟ

ସରକାରୀ ପାଣ୍ଠିରେ ପରିଚାଳିତ ବିହାରର ଏକ ବାଳିକା ଆଶ୍ରମ ଭିତରେ ଘଟୁଥିବା ଲୋମଟାଙ୍କୁରା ଘଟଣା ପ୍ରଘଟ ହେବାପରେ ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାରେ କେନ୍ଦ୍ର ଓ ବିହାର ରାଜ୍ୟ ସରକାର ନୋଟିସ ଜାରି କରି ଜବାବ ମାଗିଛନ୍ତି।

ଗୁରୁବାରଦିନ ସୁପ୍ରିମକୋର୍ଟ ଇଲେକ୍ଟ୍ରୋନିକ ଓ ପ୍ରିଣ୍ଟ ଗଣମାଧ୍ୟମକୁ ଏକ ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଆଗକୁ ରେପ୍‌ ପୀଡ଼ିତାଙ୍କ ଫଟୋ ଏବଂ ନାମ ଠିକଣା ଗୋପନ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏମିତିକି ବ୍ଲର କରି ମଧ୍ୟ ଫଟୋ ନଦେଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହାସହ ପୀଡ଼ିତାଙ୍କ ସାକ୍ଷାତକାର ନେବାକୁ ମଧ୍ୟ ରଦ୍ଦ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ।

ଆଶ୍ରୟ ନାଁରେ ବେସାହାରା ଝିଅଙ୍କୁ ଏଠାରେ ଯୌନ ଶୋଷଣ କରାଯାଉଥିଲା। ୩୦ ଜଣ ଅନ୍ତେବାସୀ ବଳାତ୍କାରର ଶିକାର ହୋଇଥିଲେ। ଜଣଙ୍କୁ ବଳାତ୍କାର ପରେ ଅତି ନିର୍ମମ ଭାବେ ହତ୍ୟା କରି ମୃତଦେହ ପୋତିଦିଆଯାଇଥିବା ଜଣାପଡ଼ିଥିଲା। ଏନେଇ ବାଳିକା ଗୃହର ଜଣେ ଅନ୍ତେବାସୀ ମୁହଁ ଖୋଲିବା ପରେ ବିହାର ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି।

ଏହି ଘଟଣାକୁ ବିରୋଧ କରି ଗୁରୁବାରଦିନ ବାମ ଦଳ ପକ୍ଷରୁ ବିହାର ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ସମର୍ଥନ କରିଛି କଂଗ୍ରେସ ଓ ଅନ୍ୟାନ୍ୟ ରାଜନୈତିକ ଦଳ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ନେତ୍ରୀ ରାବିଡି ଦେବୀ ଏହି ଘଟଣା ତୀବ୍ର ନିନ୍ଦା କରିଛନ୍ତି। ବିହାର ବନ୍ଦବେଳେ ଅନେକ ସ୍ଥାନରେ ହିଂସା ସୃଷ୍ଟି ହୋଇଛି।

ମୁଜାଫରପୁର ରୋଡରେ ସରକାରୀ ପାଣ୍ଠିରେ ପରିଚାଳିତ ହେଉଥିବା ଏକ ବେସରକାରୀ ଆଶ୍ରୟ ସ୍ଥଳ ‘ସେବା ସଂକଳ୍ପ ଏବମ୍ ବିକାଶ ସମିତି’ରେ ୪୦ ରୁ ଊର୍ଦ୍ଧ୍ୱ ନାବାଳିକା ରହୁଥିଲେ। ତେବେ ଆଶ୍ରମ ପରିସରରେ ନାବାଳିକାମାନେ ଦୁଷ୍କର୍ମର ଶିକାର ହେଉଥିବା ଏବଂ ଜଣେ ନାବାଳିକାଙ୍କୁ ଏଠାରେ ମାରି ପୋତି ଦେଇଥିବା ନେଇ ଜଣେ ପୀଡ଼ିତା ପୋଲିସରେ ଅଭିଯୋଗ କରିଥିଲା। ଏହାପରେ ଏହି ଘଟଣାର ଏବେ ଖୋଳତାଡ଼ ଆରମ୍ଭ ହୋଇଥିଲା।

୪୦ରୁ ଊର୍ଦ୍ଧ୍ୱ ନାବାଳିକାଙ୍କ ମଧ୍ୟରୁ ୨୧ ଜଣଙ୍କ ଡାକ୍ତରୀ ମାଇନା ସରିଛି। ତେବେ ସେମାନଙ୍କ ମଧ୍ୟରୁ ୧୬ ଜଣ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି।

ଏହି ହଷ୍ଟେଲରେ ଥିବା ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗରେ ୧୦ଣଙ୍କ ଗିରଫ କରାଯାଇଛି।

Comment