ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବାଂଲାଦେଶୀଙ୍କୁ ଭାରତୀୟ ନାଗରିକତ୍ୱରୁ ଆସାମ ସରକାର ବଞ୍ଚିତ କରିବା ପରେ ଏବେ ଓଡ଼ିଶାରେ ଏହି ପ୍ରସଙ୍ଗକୁ ନେଇ ଝଡ଼ ଉଠିଛି। ଓଡ଼ିଶା ବିଜେପି ଏହି ପ୍ରସଙ୍ଗରେ ଚୁପ୍ କାହିଁକି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଚିଠା ନାଗରିକ ପଞ୍ଜିକରଣ ବା ନ୍ୟାସନାଲ ରେଜିଷ୍ଟରକୁ ନେଇ ସୃଷ୍ଟି ହୋଇଥିବା ବିବାଦ ବେଳକୁ ବେଳ ଘନଉଛି। ଭାରତୀୟ ଜନତା ପାର୍ଟି କଂଗ୍ରେସକୁ ତାର ସ୍ଥିତି ସ୍ପଷ୍ଟ କରିବା ପାଇଁ ଦାବି କରିଥିବା ବେଳେ ଓଡ଼ିଶାରେ ବାଂଲାଦେଶୀ ରିଫ୍ୟୁଜିଙ୍କ ବହିଷ୍କାର ସମ୍ପର୍କରେ ରାଜ୍ୟ ବିଜେପି ଚୁପ ରହିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଯେଉଁ ବାଂଲାଦେଶୀ ନାଗରିକମାନେ ଓଡ଼ିଶାରେ ଘର କରି ରହି ଆସିଛନ୍ତି ସେମାନଙ୍କୁ ନିକାଲିବା ପାଇଁ ଅତୀତରେ ବିଜେପି ପକ୍ଷରୁ ଅନେକ ଦାବି ହୋଇଥିଲା। ଏବେ କିନ୍ତୁ ଏହି ପ୍ରସଙ୍ଗରେ ବିଜେପି ଆଦୌ ପାଟି ଖୋଲୁନାହିଁ। ନିକଟରେ ଯେତେବେଳେ ସାମ୍ବାଦିକମାନେ ଏନେଇ ପ୍ରଶ୍ନ କଲେ ବିଜେପିର ରାଜ୍ୟ ଉପସଭାପତି କହିଥିଲେ ଏଥିରେ ଆମର କିଛି କହିବାର ନାହିଁ। ଯେହେତୁ ଏହି ପ୍ରସଙ୍ଗ ଏବେ କୋର୍ଟରେ ବିଚାରାଧୀନ ଅଛି ଏଥିରେ ମନ୍ତବ୍ୟ ଦେବା ଠିକ୍ ହେବ ନାହିଁ।

ମଜା କଥା ହେଉଛି, ୨୦୦୪ରୁ ୨୦୦୯ ମଧ୍ୟରେ ବିଜେପି ବିଜେଡି ସହିତ ମେଣ୍ଟ କରିଥିଲା। ଏହି ମେଣ୍ଟ ସରକାର ସମୟରେ ୨୦୦୨ରୁ ୨୦୦୫ ଭିତରେ ଆସିଥିବା ବାଂଲାଦେଶୀମାନଙ୍କୁ ନେଇ ‘ଦେଶ ଛାଡ଼’ ଆନ୍ଦୋଳନର ଡାକରା ଦିଆଯାଇଥିଲା। ଏହି ଡାକରା ପରେ କିଛି ବାଂଲାଦେଶୀ ଯେଉଁମାନେ ନୋଟିସ ପାଇଥିଲେ ସେମାନେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଭେଟି ଏହାର ସମାଧାନ ଦାବି କରିଥିଲେ।

ଖାଲି ସେତିକି ନୁହେଁ, କିଛି ବାଂଲାଦେଶୀ ଏନେଇ ହାଇକୋର୍ଟରେ ଏ ଆଦେଶ ବିରୋଧରେ ମକଦ୍ଦମା ମଧ୍ୟ ରୁଜୁ କରି ଥିଲେ। ତା’ ପରଠାରୁ ବାଂଲାଦେଶୀଙ୍କୁ ବାହାର କରିବା କଥା ଆଉ ଉଠିନାହିଁ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ୧୫୫୧ ଜଣଙ୍କୁ ୨୦୧୫ ଜାନୁଆରୀ ୧୫ ତାରିଖରେ ଏହି ନୋଟିସ ଦିଆଯାଇଥିଲା।

ଏମାନଙ୍କୁ କୁହାଯାଉଥିଲା ‘ବେଆଇନ ନାଗରିକ ବା ଇଲିଗଲ ସେଟଲର। ବାଂଲାଦେଶୀଙ୍କୁ ତଡ଼ିବା ପାଇଁ ନୋଟିସ ଦିଆଯିବା ଘଟଣାରେ ରାଜ୍ୟର ବିଭିନ୍ନ ବିଜେପି ବିରୋଧୀ ଶକ୍ତି ଓ ସାମାଜିକ କର୍ମୀ ସେମାନଙ୍କ ସପକ୍ଷରେ ଲଢ଼ିଥିଲେ ଯେଉଁମାନଙ୍କୁ ପେଡ଼ି ପୁଟୁଳା ବାନ୍ଧି ଚାଲିଯିବାକୁ କୁହାଯାଇଥିଲା।

କେବଳ ଅଣବିଜେପି ଦଳ ନୁହେଁ ଏପରିକି ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ନରମ ଭାବ ପୋଷଣ କରିଥିଲା। ଉପକୂଳ ଜିଲ୍ଲାମାନଙ୍କରୁ ବାଂଲାଦେଶୀଙ୍କୁ ନିକାଲିବା ଘଟଣାକୁ ବିଜେପି ପକ୍ଷରୁ ନିନ୍ଦା କରାଯାଇଥିଲା। ବିଜେପିର ଯୁକ୍ତି ଥିଲା ଯେ ଏହି ଅନୁପ୍ରବେଶକାରୀମାନେ ସମସ୍ତେ ହିନ୍ଦୁ। ତେବେ ୨୦୦୮ରେ ଏବିଭିପି ପକ୍ଷରୁ ପୁଣି ବହିଷ୍କାର ଦାବି ଉଠାଗଲା।

କେନ୍ଦ୍ରାପଡ଼ା ଜିଲ୍ଲାର ଏବିଭିପି କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏବେ ଚକ ଏମିତି ଘୂରିଛି ଯେ ବାଂଲାଦେଶୀ ନାଗରିକ ପ୍ରସଙ୍ଗରେ ବିଜେପି ଓ ବିଜେଡି ଗୋଟିଏ ଡଙ୍ଗାରେ। ତାହା ନହୋଇଥିଲେ ସମୀର ମହାନ୍ତି ଶାସକ ବିଜେଡିକୁ ତାର ସମର୍ଥନ ପାଇଁ ପ୍ରଶଂସା କରି ନଥାନ୍ତେ କି ଏନଆରସି ରିପୋର୍ଟକୁ ବିରୋଧ କରୁଥିବାରୁ କଂଗ୍ରେସ ଉପରେ ବର୍ଷି ନଥାନ୍ତେ।

LEAVE A REPLY

Please enter your comment!
Please enter your name here