ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ବିଜେଡି ପାଳିଲା ବିଶ୍ୱ ଆଦିବାସୀ ଦିବସ। ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ପ୍ରତିନିଧିମାନେ ଏକାଠି ହୋଇଥିଲେ।

“ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଲୋକପ୍ରିୟ ଯୋଜନା ପ୍ରଣୟନ କରିଛନ୍ତି। ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ସରକାର ଉଦ୍ୟମ ଜାରୀ ରଖିଛନ୍ତି। ଆମ ଦଳ ମଧ୍ୟ ଆଦିବାସୀ ସମ୍ପ୍ରଦାୟକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ଆଗାମୀ ଦିନରେ ଏହା ଜାରି ରହିବ। ଆଦିବାସୀ ସମ୍ପ୍ରଦାୟର ପ୍ରତିନିଧିମାନେ ଭୁବନେଶ୍ୱରରେ ଏକାଠି ହୋଇଥିବାରୁ ମୁଁ ବହୁତ ଖୁସି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱରସ୍ଥିତ ଆଦିବାସୀ ପଡ଼ିଆରେ ଆଜି ବିଜେଡି ପକ୍ଷରୁ ଆୟୋଜିତ ହୋଇଥିଲା ବିଶ୍ୱ ଆଦିବାସୀ ଦିବସ। ଏହି ଅବସରରେ ୯ଟି ଆଦିବାସୀ ଅଧ୍ୟଷିତ ଜିଲ୍ଲାରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏହାକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପାରମ୍ପରିକ ବେଶଭୂଷାରେ ଆଦିବାସୀମାନେ ଆଜି ଭୁବନେଶ୍ୱରରେ ଏକାଠି ହୋଇଥିଲେ। ବାଜାର ତାଳେତାଳେ ନାଚି, ଗୀତ ଗାଇ ସମାବେଶସ୍ଥଳକୁ ଆସିଥିଲେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଜନପ୍ରତିନିଧିମାନେ ମଧ୍ୟ ଏହି ସମାବେଶରେ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଦିବାସୀମାନଙ୍କୁ ଉଦବୋଧନ ଦେଇଥିଲେ।

“ଆଦିବାସୀ ଅଞ୍ଚଳର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଆଦିବାସୀ ବହୁଳ ଜିଲ୍ଲା ମାଲକାନଗିରିରେ ଗୁରୁପ୍ରିୟା ସେତୁ ଲୋକାର୍ପଣ ହୋଇଛି। ରାଜ୍ୟ ସରକାର ଏହି ସେତୁକୁ ଆଦିବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି।

ଅନୁସୂଚିତ ଜାତି, ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି, ବିଧାୟକ ସୁଦାମ ମାର୍ଣ୍ଡି, ସାଂସଦ ଝିନ୍ନ ହିକ୍‌କା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here