ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଜପେୟୀଙ୍କ ଚିତାଭସ୍ମ ଶୋଭାଯାତ୍ରାରେ ରାଜନୀତିର ରଙ୍ଗ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଲେ କଡ଼ା ସମାଲୋଚନା।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ‘ଚିତାଭସ୍ମ’କୁ ଦେଶର ୧୦୦ଟି ପ୍ରମୁଖ ନଦୀରେ ବିସର୍ଜନ କରିବାକୁ ବିଜେପି ନେଇଛି ନିଷ୍ପତ୍ତି। ଏହି କ୍ରମରେ ବିଭିନ୍ନ ରାଜ୍ୟର ବିଜେପି ସଭାପତିମାନଙ୍କୁ ଚିତାଭସ୍ମ ଦିଆଯାଇଛି। ଚିତାଭସ୍ମକୁ ବିରାଟ ଶୋଭାଯାତ୍ରାରେ ନିଆଯାଇ ବିସର୍ଜନ କରାଯାଉଛି। ଆଜି ଓଡ଼ିଶା, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଆଦି ଅଞ୍ଚଳରେ ଚିତାଭସ୍ମ ବିସର୍ଜନ କରାଯାଇଛି।

ହେଲେ ବିଜେପି ପକ୍ଷରୁ ଆୟୋଜନ କରାଯାଇଥିବା ଶୋଭାଯାତ୍ରାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଡ଼ା ସମାଲୋଚନା କରିଛନ୍ତି। ଏହା ‘ଶୋକସଭା ନା ପିକ୍‌ନିକ୍’ ବୋଲି ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି ନିରଞ୍ଜନ।

“ବାଜପେୟୀଙ୍କ ଚିତାଭସ୍ମକୁ ନେଇ ବିଜେପି ରାଜନୀତି କରିବା ଦୁର୍ଭାଗ୍ୟଜନକ। ରାଜନୀତିକ ଫାଇଦା ନେବା ପାଇଁ ବିଜେପି ଏହି ଶୋଭାଯାତ୍ରା କରୁଛି। ଶୋଭାଯାତ୍ରାରେ ସାମିଲ ହେଉଥିବା ନେତାମାନଙ୍କ ଆଚରଣ କିନ୍ତୁ ଶୋଭନୀୟ ନୁହେଁ। ଏହା ଶୋକସଭା ନା ପିକନିକ?”, ଏହା କହିଛନ୍ତି ନିରଞ୍ଜନ ପଟ୍ଟନାୟକ।

ଏହାସହ ନିରଞ୍ଜନ ଚିତାଭସ୍ମ ବିସର୍ଜନ ବେଳେ ବାଜପେୟୀଙ୍କ ପରିବାର ଲୋକଙ୍କୁ ବିଜେପି ନେତାମାନେ ଉପେକ୍ଷା କରିଥିବା ପ୍ରସଙ୍ଗ ଉଠାଇ ନିନ୍ଦା କରିଛନ୍ତି।

ମଧ୍ୟପ୍ରଦେଶରେ ଆଜି ବାଜପେୟୀଙ୍କ ଚିତାଭସ୍ମ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ହେଲେ ଗ୍ବାଲିୟରରେ ରହୁଥିବା ବାଜପେୟୀଙ୍କ ଝିଆରୀଙ୍କୁ ଏଠାକୁ ନିମନ୍ତ୍ରଣ କରାଯାଇ ନଥିଲା। ନିଜ ଆଡ଼ୁ ବାଜପେୟୀଙ୍କ ଝିଆରୀ କ୍ରାନ୍ତି ମିଶ୍ରା ନିଜ ସ୍ୱାମୀଙ୍କୁ ନେଇ ଶୋଭାଯାତ୍ରାକୁ ଆସିଥିଲେ। ହେଲେ ବିଜେପି ତାଙ୍କୁ ସମ୍ମାନ ଦେଇ ନଥିବା ଆଜି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନିରଞ୍ଜନ ସମାଲୋଚନା କରିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ଆଜି ପୁରୀ ମହୋଦଧିରେ ବିସର୍ଜନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଚିତାଭସ୍ମ ବିସର୍ଜନ କରିଛନ୍ତି।

ଆଜି ସକାଳ ୯ଟାରୁ ବିଜେପି ପାର୍ଟି ଅଫିସ୍‌ରୁ ବାଜପେୟୀଙ୍କ ଚିତାଭସ୍ମକୁ ପୁରୀ ଅଭିମୁଖେ ନିଆଯାଇଥିଲା। ଏକ ସୁସଜ୍ଜିତ ଗାଡ଼ିରେ ଚିତାଭସ୍ମକୁ ରଖାଯାଇ ଶୋଭାଯାତ୍ରା ପୁରୀ ନିଆଯାଇଥିଲା। ବିଜେପିର ବହୁ ବରିଷ୍ଠ ନେତା ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ। ପୁରୀ ଯିବା ବାଟରେ ବିଭିନ୍ନ ଛକରେ ବାଜପେୟୀଙ୍କ ଚିତାଭସ୍ମକୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଗୁରୁବାର ଅପରାହ୍‌ଣରେ ଚିତାଭସ୍ମ ପୁରୀରେ ପହଞ୍ଚିଥିଲା। ପୁରୀ ସହର ଦେଇ ସମୁଦ୍ରକୂଳରେ ପହଞ୍ଚିବା ପରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ମହୋଦଧିରେ ଚିତାଭସ୍ମକୁ ବିସର୍ଜନ କରାଯାଇଥିଲା। ଶହ ଶହ ଲୋକ ବାଜପେୟୀଙ୍କ ଚିତାଭସ୍ମରେ ଶ୍ରଦ୍ଧାଞ୍ଜଳି ଦେବାକୁ ଏକତ୍ରିତ ହୋଇଥିଲେ। ବାଜପେୟୀ ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ସମୁଦ୍ରକୂଳ।

“ବାଜପେୟୀ ଯେତେବେଳେ ଓଡ଼ିଶା ଆସୁଥିଲେ ସେତେବେଳେ ସେ ପୁରୀ ଆସୁଥିଲେ। ପୁରୀ ବେଳାଭୂମିକୁ ବାଜପେୟୀ ବହୁତ ପସନ୍ଦ କରୁଥିଲେ। ଆଜି ସେହି ବାଜପେୟୀଙ୍କ ଚିତାଭସ୍ମ ପୁରୀ ମହୋଦଧିରେ ବିସର୍ଜନ କରାଯାଇଛି”, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

Comment