ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

୨୦୧୯ ନିର୍ବାଚନକୁ ଆଖିଆଗରେ ରଖି ବିଜେପିର ସମରସଜ୍ଜା ଆରମ୍ଭ।

ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ଓ ଚଳିତ ବର୍ଷ ଶେଷ ଆଡ଼କୁ ଯେଉଁ ସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ସେଥିପାଇଁ ବିଜେପି ପୂରାପୂରି ଅଣ୍ଟା ଭିଡ଼ିଛି।

ବିଜେପି ଶାସିତ ରାଜ୍ୟ ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ଡିସେମ୍ବର ମାସରେ ନିର୍ବାଚନ ହେବ। ବିରୋଧୀ ଦଳର ମହାମେଣ୍ଟକୁ ଦେଖି ଦଳ ରଣନୀତିରେ କୌଣସି ପ୍ରକାର ଢିଲା ଦେବାକୁ ଚାହୁଁନାହିଁ।

ଏହି ପୃଷ୍ଠଭୂମିରେ ସକାଳ ୧୦ଟାରେ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଏକ ବଡ଼ ବୈଠକ ଆରମ୍ଭ ହୋଇଛି। ଏହି ଗୁରୁତ୍ତ୍ୱପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସଭାପତି ଅମିତ ଶାହା ଓ ୧୫ ରାଜ୍ୟର ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ ଭାଗ ନେଉଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନର ରଣନୀତି କଣ ହେବ ସେ ନେଇ ଏଥିରେ ଆଲୋଚନା ହେବ।

ବୈଠକର ଆରମ୍ଭରେ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇଥିଲା। ଅନୁମାନ କରାଯାଉଛି ନିର୍ବାଚନରେ ବାଜପେୟୀଙ୍କ ନାମ ବହୁଳ ଭାବରେ ବ୍ୟବହାର କରାଯିବ।

ଦିନ ତମାମ ବିଭିନ୍ନ ଅଧିବେଶନରେ ନିର୍ବାଚନ ସମ୍ପର୍କରେ ଘମାଘୋଟ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଲୋକସଭା ନିର୍ବାଚନ ପାଇଁ ପ୍ରଚାର ରଣନୀତି, ଏନଡିଏ ମେଣ୍ଟ, ସଂଗଠନ କାମ, କେନ୍ଦ୍ରୀୟ ଯୋଜନାର ରାଜ୍ୟ ସରକାରଙ୍କ ଉପରେ ପଡ଼ିଥିବା ପ୍ରଭାବର ପ୍ରଚାର ଓ ପ୍ରସାର ପାଇଁ କୌଶଳ ଉପରେ ମଧ୍ୟ ମନ୍ଥନ ହେବ।

ବୈଠକରେ ବିଶେଷ କରି ତିନି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ଫୋକସ କରାଯିବ। ଏହା ଛଡ଼ା କଂଗ୍ରେସର ସ୍ଥିତି ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ବିଗତ କିଛି ଦିନ ଧରି ମୋଦି ସରକାର ବିରୁଦ୍ଧରେ ଯେଉଁଭଳି ବୟାନବାଜି କରୁଛନ୍ତି ସେ ବିଷୟ ବି ଆଲୋଚନା କରାଯିବ।

ଏନଡିଏ ମେଣ୍ଟ ଉପରେ ବି ନେତା ମାନେ ମତ ଦେବେ।ଦଳର ତୁଙ୍ଗ ନେତାମାନେ ଚିନ୍ତା କରି ଦେଖିଛନ୍ତି ଯେ ଆଗାମୀ ଦିନରେ ଆହୁରି କିଛି ସହଯୋଗୀ ଦଳର ସାହାଯ୍ୟ ଦରକାର ପଡିବ। ବିହାରରେ କଂଗ୍ରେସ ଓ ଆରଜେଡ଼ି, ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ତଥା ଉତ୍ତର ପ୍ରଦେଶରେ ମାୟାବତୀ ଓ ଅଖିଲେଶ ଯାଦବଙ୍କ ଭିତରେ ମେଣ୍ଟର ପ୍ରଭାବ ସମ୍ପର୍କରେ ମଧ୍ୟ ଚର୍ଚ୍ଚା ହେବ।

Comment