ଓଡ଼ିଶାଲାଇଭ୍ ବ୍ୟୁରୋ
- ହନ୍ତସନ୍ତ ଜନସାଧାରଣ
- ଜୋର୍ ଧରିଛି ତେଲ ତାତି
- ହୁ ହୁ ହୋଇ ବଢୁଛି ତୈଳ ଦର
- ତୈଳ ହୋଇଛି ଚିନ୍ତା କାରଣ
ପୁଣିଥରେ ବଢ଼ିଲା ତେଲ ଦର। ଗୋଟିଏ ପଟେ ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି ସମଗ୍ର ଭାରତ ବନ୍ଦ ଡାକରା ହୋଇଥିବା ବେଳେ ଅନ୍ୟପଟେ ପୁଣି ବଢ଼ିଛି ତୈଳ ଦର। ତୈଳ ଦର ବାରମ୍ବାର ବଢ଼ିବା ଯୋଗୁଁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏହାଛଡ଼ା ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ଏହା ଏବେ ତାଙ୍କର ଚିନ୍ତାର ବିଷୟ ପାଲଟିଛି।
ଆଜି ପେଟ୍ରୋଲ ଦର ଲିଟର ପିଛା ୨୩ ପଇସା ବୃଦ୍ଧି ପାଇଥିତା ବେଳେ ଡିଜେଲ ୩୨ ପଇସା ମହଙ୍ଗା ହୋଇଛି। ଏବେ ଓଡ଼ିଶାରେ ୮୩ ଟଙ୍କା ଟପିଲା ପେଟ୍ରୋଲ ଦର। ଏହାଛଡ଼ା ମାଲକାନଗିରିରେ ପେଟ୍ରୋଲ ଦର ଲିଟର ପିଛା ୮୩.୪୦ ହୋଇଥିବା ବେଳେ ଡିଜେଲ ୮୧.୯୭ ଟଙ୍କା, ସେହିପରି ନବରଙ୍ଗପୁରରେ ପେଟ୍ରୋଲ ଦର ଲିଟର ପିଛା ୮୩ ହୋଇଥିବା ବେଳେ ଡିଜେଲ ବୃଦ୍ଧି ପାଇ ୮୧.୫୬ ଟଙ୍କାକୁ ପହଞ୍ଚିଛି।
ଏହାବ୍ୟତୀତ ଜୟପୁରରେ ପେଟ୍ରୋଲ ଦର ଲିଟର ପିଛା ୮୨.୭୮ ହୋଇଥିବା ବେଳେ ଡିଜେଲ ୮୧.୩୨ଟଙ୍କା ହୋଇଛି ଏବଂ ରାୟଗଡ଼ାରେ ପେଟ୍ରୋଲ ଦର ବୃଦ୍ଧି ପାଇ ଲିଟର ପିଛା ୮୨.୩୩ ହୋଇଥିବା ବେଳେ ଡିଜେଲ ୭୮.୭୮ଟଙ୍କାକୁ ପହଞ୍ଚିଛି। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।