ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆଦିଲ୍ଲୀର ରାମଲୀଳା ମଇଦାନରେ ମୋଦି ସରକାର ଉପରେ ଗର୍ଜିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।

“ପେଟ୍ରୋଲ ଲିଟର ୮୦ ଟଙ୍କା ଟପିଲାଣି। ଡିଜେଲ ବି ପାଖାପାଖି ୮୦ ଛୁଇଁଲାଣି। ଏଲ୍‌ପିଜି ଗ୍ୟାସ ମଧ୍ୟ ୮୦୦ ଟଙ୍କା ହେଲାଣି। ତେଲ ଦର ବୃଦ୍ଧି ଯୋଗୁଁ ଲୋକେ ଚିନ୍ତାରେ ପଡ଼ିଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୁପ୍ କାହିଁକି? ମୋଦି କେଉଁ ଦୁନିଆରେ ରହୁଛନ୍ତି?” ଏମିତି ପ୍ରଶ୍ନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଆଜି ଭାରତ ବନ୍ଦ ଡାକରା ଦେଇଥିଲା। ନୂଆଦିଲ୍ଲୀରେ କଂଗ୍ରେସ ନେତାମାନେ ଧାରଣାରେ ବସି ମୋଦି ସରକାରଙ୍କୁ ସମାଲୋଚନା କରିଥିଲେ। ଏହି ଧାରଣାରେ ସାମିଲ ହୋଇଥିଲେ ରାହୁଲ ଗାନ୍ଧି। ରାଜଘାଟରେ ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେଇ ରାହୁଲ ରାମଲୀଳା ମଇଦାନକୁ ଆସିଥିଲେ।

ରାହୁଲ ଆହୁରି କହିଥିଲେ ଯେ ମୋଦି ସବୁ କଥାରେ ଚୁପ୍ ରହୁଛନ୍ତି। ବିଜେପି ବିଧାୟକମାନେ ଦୁଷ୍କର୍ମରେ ଲିପ୍ତ ରହୁଥିଲେ ମଧ୍ୟ ମୋଦି କିଛି କହୁ ନାହାନ୍ତି। ଜିଏସ୍‌ଟି ଏବଂ ରାଫେଲ୍ ଦୁର୍ନୀତି ମାମଲାରେ ମୋଦି ଗୋଟିଏ ବି ଶବ୍ଦ କହୁ ନାହାନ୍ତି।

ଏହି ଧାରଣାରେ ସାମିଲ ହୋଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ। ସେ କହିଥିଲେ ସରକାର ବଦଳିବାକୁ ଯାଉଛି।

ମନମୋହନ ସିଂହ କହିଛନ୍ତି, “ଛୋଟ ଛୋଟ କଥାକୁ ଭୁଲି ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ। ମୋଦି ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ। ମୋଦି ସରକାର ସବୁ ପ୍ରସଙ୍ଗରେ ଫେଲ୍ ମାରିଛନ୍ତି।”

LEAVE A REPLY

Please enter your comment!
Please enter your name here