ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସରକାର ବୁଧବାର ଦିନ ଟ୍ରିପଲ ତଲାକକୁ ଏକ ଦଣ୍ଡନୀୟ ଅପରାଧ ସମ୍ପର୍କିତ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି। ସଂସଦରେ ଲଟକି ପଡ଼ିଥିବା ଏହି ବିଲ୍(ତଲାକ ଏ ବିଦ୍ଦତ)ଏବେ ଆଇନରେ ପରିଣତ ହେବାକୁ ଯାଉଛି।

କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି, “ଏହି ବିଲ୍ ଦ୍ୱାରା ମୁସଲିମ ସମ୍ପ୍ରଦାୟର ମହିଳାଙ୍କୁ ନ୍ୟାୟ ମିଳିବ।”

ତିନି ତଲାକ ବିଲ୍‌ରେ କ’ଣ ଅଛି ଆସନ୍ତୁ ଜାଣିବା :-

ବିଲ୍‌ର ବ୍ୟବସ୍ଥା ଅନୁସାରେ ତଲାକ ସେତେବେଳେ ଧର୍ତ୍ତବ୍ୟ ହେବ ଯେତେବେଳେ ତଲାକ ପାଇଥିବା ମହିଳା ନିଜେ ଅଭିଯୋଗ ଆଣିବେ। ତାଙ୍କର ନିଜ ସମ୍ପର୍କୀୟଙ୍କ ପାଖରେ ବି ପୋଲିସରେ ଅଭିଯୋଗ କରିବାର ଅଧିକାର ରହିବ। ପଡ଼ିଶାର ଲୋକ କିମ୍ବା କୌଣସି ଅଜଣା ଲୋକ ଥାନାରେ ଏତଲା ଦେଇପାରିବେ ନାହିଁ।

ଆଇନ ମନ୍ତ୍ରୀ କହିଲେ ଯେ ମୁସଲିମ ସମ୍ପ୍ରଦାୟର ମହିଳାଙ୍କ ସଶକ୍ତିକରଣ ପାଇଁ ଏହି ବିଲ ଆସିଛି। ତେବେ ବୁଝାମଣାର ବିକଳ୍ପ ମଧ୍ୟ ଏଥିରେ ରଖାଯାଇଛି। ପତ୍ନୀ ଚାହିଁଲେ ହିଁ ତଲାକ ଫେରସ୍ତ ନିଆଯାଇ ପାରିବ। କିନ୍ତୁ ମାଜିଷ୍ଟ୍ରେଟ ସର୍ତ୍ତ ନିରୂପଣ କରିବେ।

ଏହି ବିଲ୍‌ରେ ବ୍ୟବସ୍ଥା ରହିଛି ଯେ ତଲାକ ଦେଇଥିବା ସ୍ୱାମୀକୁ ଜାମିନ ମିଳିପାରିବ। କିନ୍ତୁ ପତ୍ନୀର ପକ୍ଷ ଶୁଣିବା ପରେ। ରବିଶଙ୍କର କହିଲେ ଯେ ଏହା ପତି-ପତ୍ନୀଙ୍କ ଭିତରେ ମାମଲା ହୋଇଥିବା କାରଣରୁ ତଲାକ ଶେଷ କରିବା ବେଳେ ପତ୍ନୀଙ୍କୁ ଶୁଣିବା ଜରୁରୀ।

ତିନି ତଲାକ ପରେ ଛୁଆର ମାଲିକାନା ମା’ କୁ ମିଳିବ ବୋଲି ଏହି ବିଲରେ ବ୍ୟବସ୍ଥା କରାଯାଇଛି। ମାଜିଷ୍ଟ୍ରେଟ ନିର୍ଦ୍ଧାରଣ କରିବେ ପତ୍ନୀ କେତେ ଭରଣ ପୋଷଣ ପାଇବ ଓ ଏହାକୁ ଦେବାକୁ ପତି ବାଧ୍ୟ।

ମନେପକାଇ ଦିଆଯାଇପାରେ ଯେ ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚ୍ ତିନି ତଲାକ ବିଲ୍‌କୁ ନିରସ୍ତ୍ର କରିଦେଇଥିଲେ। ଦୁଇ ଜଣ ବିଚାରପତି ଏହାକୁ ଅସାମ୍ବିଧାନିକ ବୋଲି କହିବା ବେଳେ ଆଉ ଜଣେ ଜଜ୍ ଏହାକୁ ପାପ ବୋଲି କହିଥିଲେ। ଆଉ ଦୁଇ ଜଣ ବିଚାରପତି ତିନି ତଲାକକୁ ନେଇ ଏକ ଆଇନ ପ୍ରଣୟନ ପାଇଁ କେନ୍ଦ୍ର ସରକାରଙ୍କୁ କହିଥିଲେ।

ବାସ୍ତବ ସ୍ଥିତି ହେଉଛି ଯେ ଟ୍ରିପଲ ତଲାକ ବିଲ୍‌ଟି ଲୋକସଭାରେ ଗୃହୀତ ହୋଇସାରିଛି। କିନ୍ତୁ ସଂଖ୍ୟା ଗରିଷ୍ଠତା ନଥିବା କାରଣରୁ ରାଜ୍ୟସଭାରେ ଏହା ଅଟକି ରହିଛି। ଏବେ ଏହି ବିଲ୍‌କୁ ଆଇନର ପୋଷାକ ପିନ୍ଧାଇବା ପାଇଁ ସରକାର ଅଧ୍ୟାଦେଶର ବାଟ ଧରିବାକୁ ବାଧ୍ୟ ହୋଇଛନ୍ତି। ଛଅ ମାସ ମଧ୍ୟରେ ଏହାକୁ ଉଭୟ ଗୃହ ମଞ୍ଜୁରୀ ଦେବାକୁ ହେବ। ଏହା ମୋଦି ସରକାରଙ୍କ ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ ହେବାକୁ ଯାଉଛି।

Comment