ଓଡ଼ିଶାଲାଇଭ୍ ବ୍ୟୁରୋ

- ସକାଳ ୮ଟା୫୫ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ ମୋଦି
- ସ୍ୱତନ୍ତ୍ର ହେଲିକପ୍ଟରରେ ଯିବେ ତାଳଚେର
- ସାର କାରଖାନା ପୁନରୁଦ୍ଧାର ପାଇଁ କରିବେ ଶିଳାନ୍ୟାସ
- ବିଶାଳ ଜନସମାବେଶକୁ ଦେବେ ଉଦବୋଧନ
- ଝାରସୁଗୁଡ଼ା ଏୟାରପୋର୍ଟକୁ ଲୋକାର୍ପଣ କରିବେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତା କାଲି ସେ ତାଳଚେର ସାର କାରଖାନା ପୁନରୁଦ୍ଧାର କରିବା ସହ ଝାରସୁଗୁଡ଼ା ଏୟାରପୋର୍ଟ ଲୋକାର୍ପଣ କରିବେ। ଏହାସହ ଏମ୍ସିଏଲ୍ର ନୂଆ ରେଳ ଲାଇନକୁ ଉଦଘାଟନ କରିବେ ମୋଦି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ମୋଦି ଶନିବାର ସକାଳ ୮ଟା୫୫ ମିନିଟରେ ଭୁବନେଶ୍ୱର ଏୟାରପୋର୍ଟରେ ସ୍ୱତନ୍ତ୍ର ବିମାନରେ ଆସି ପହଞ୍ଚିବେ। ଏୟାରପୋର୍ଟରେ ବିଜେପି ନେତାମାନେ ମୋଦିଙ୍କୁ ସ୍ୱାଗତ କରିବେ। ଭୁବନେଶ୍ୱରରୁ ସେ ସ୍ୱତନ୍ତ୍ର ହେଲିକପ୍ଟରରେ ତାଳଚେର ଯିବେ। ପୂର୍ବାହ୍ଣ ୧୦ଟା୧୦ରେ ମୋଦି ତାଳଚେର ସାର କାରଖାନାର ପୁନରୁଦ୍ଧାର ପାଇଁ ଶିଳାନ୍ୟାସ କରିବେ। ଏହାପରେ ତାଳଚେରସ୍ଥିତ ବକ୍ସି ଜଗବନ୍ଧୁ ପଡ଼ିଆରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ।
ତାଳଚେରରୁ ମୋଦି ଝାରସୁଗୁଡ଼ା ଯିବେ। ଜାତି ଉଦ୍ଦେଶ୍ୟରେ ଝାରସୁଗୁଡ଼ା ଏୟାରପୋର୍ଟକୁ ଲୋକାର୍ପଣ କରିବେ। ଏହାପରେ ମୋଦି ଛତିଶଗଡ଼ ଯିବାର କାର୍ଯ୍ୟକ୍ରମ ରହିଛି।
ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଆଜି କାରକେଡ୍ ରିହର୍ସଲ କରାଯାଇଥିଲା। ୩୦ ଜଣ ଅଫିସର ଏବଂ ୧୫ ପ୍ଲାଟୁନ ପୋଲିସ ଫୋର୍ସ ଭୁବନେଶ୍ୱର ଏୟାରପୋର୍ଟ ଆଖପାଖରେ ମୁତୟନ କରାଯିବ।
ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଭିଡିଓ କନଫରେନ୍ସିଂ ଜରିଆରେ ତାଳଚେର ଏବଂ ଝାରସୁଗୁଡ଼ାର ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି। ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ତାଳଚେର ଏବଂ ଝାରସଗୁଡ଼ାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜି।
ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନରେ ବ୍ୟାପକ ପୋଲିସ ମୁତୟନ କରିବା ସହ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜି। ମୋଦିଙ୍କ ସଭାସ୍ଥଳକୁ ସିସିଟିଭି କ୍ୟାମେରାରେ କଏଦ କରିବାକୁ ଜିଲ୍ଲା ପୋଲିସ ଅଧିକାରୀମାନଙ୍କୁ ଡିଜି କହିଛନ୍ତି।


















