ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେପି ରାଷ୍ଟ୍ରିୟ ସଭାପତି ଅମିତ ଶାହ ଆଜି ଓଡ଼ିଶା ଆସିଛନ୍ତି। ପୁରୀରେ ହେଉଥିବା ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକରେ ଯୋଗଦେବା ଅବସରରେ ଶାହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନ ତଳେ ଓଡ଼ିଶା ସରକାରଙ୍କ ଉପରେ କଟୁ ମନ୍ତବ୍ୟ ଦେଇ ଯାଇଥିଲେ। ଅମିତ ଶାହ ଉଣା ଅଧିକେ ତାହାକୁ ହିଁ ଦୋହରାଇଛନ୍ତି। ଜାଣନ୍ତୁ ଶାହ କ’ଣ ସବୁ କହିଲେ:

୧. ଆସନ୍ତା ନିର୍ବାଚନ ଏକ ସ୍ୱତନ୍ତ୍ର ନିର୍ବାଚନ ହେବାକୁ ଯାଉଛି। କର୍ମୀମାନେ କଠୋର ପରିଶ୍ରମ କଲେ କେବଳ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବେ ତାହା ନୁହେଁ ଓଡ଼ିଶା ମଧ୍ୟ ଜଣେ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ପାଇବ।

୨. ବିଜୁ ଜନତା ଦଳ ବିରୋଧୀ ଦଳ ସହ ମିଶି ଦେଶକୁ ଭାଙ୍ଗୁଥିବା ବେଳେ ମୋଦି ଦେଶକୁ ଗଢ଼ୁଛନ୍ତି। ମୋଦି ଚାହୁଁଛନ୍ତି ଗରିବୀ, ବେରୋଜଗାର ହଟୁ କିନ୍ତୁ କଂଗ୍ରେସ ଚାହୁଁଛି ମୋଦି ହଟନ୍ତୁ।

୩. ବିଜେଡ଼ି ସମେତ ବିରୋଧୀ ଦଳର ନେତାଙ୍କୁ ମୋଦି ଡର ଘାରିଛି। ସେମାନଙ୍କର କୌଣସି ନୀତି ନାହିଁ କି କାର୍ଯ୍ୟକ୍ରମ ନାହିଁ କି ନେତା ନାହାନ୍ତି।

୪. ଯେତେବେଳେ ଜଣେ ପୁରୁଷ ଆମ ଦଳରେ ଯୋଗ ଦେଉଛନ୍ତି କର୍ମୀଙ୍କ ସଂଖ୍ୟାରେ ଗୋଟିଏ ଅଙ୍କ ବୃଦ୍ଧି ପାଉଛି। ଯେତେବେଳେ ଜଣେ ମହିଳା ସାମିଲ ହେଉଛନ୍ତି ଗୋଟିଏ ପରିବାର ଆମ ସହିତ ଯୋଡ଼ି ହେଉଛନ୍ତି।

୫. ମହିଳାଙ୍କୁ ନିର୍ଯାତନା ଦେବା କ୍ଷେତ୍ରରେ ଓଡ଼ିଶା ପ୍ରଥମ, ଯୌତୁକ ମୃତ୍ୟୁରେ ଚତୁର୍ଥ, ଗଣ ବଳାତ୍କାରରେ ପଞ୍ଚମ ଓ ଏସିଡ୍ ଆକ୍ରମଣରେ ଷଷ୍ଠ ସ୍ଥାନ ଅଧିକାର କରିଛି। ବିକାଶରେ କିନ୍ତୁ ଶୂନ।

୬. ବିଜେପି ଦେଶର ଗରିବଙ୍କ ପାଇଁ ବହୁତ କିଛି କରିଛି। ସାଢ଼େ ପାଞ୍ଚ କୋଟି ଗ୍ୟାସ କନେକ୍ସନ ଦିଆଯାଇଛି। ୧୬ କୋଟି ଜନଧନ ଆକାଉଣ୍ଟ ଖୋଲା ହୋଇଛି।ମୁଦ୍ରା ଯୋଜନାରେ ୧୩ କୋଟି ମହିଳା ହିତାଧିକାରୀ ସାମିଲ ହୋଇଛନ୍ତି, ୭ କୋଟି ମହିଳାଙ୍କ ପାଇଁ ପାଇଖାନା ତିଆରି ହୋଇଛି।

୭. ଯଦି ବିଜେପି ଓଡ଼ିଶାରେ ସରକାର କରେ ଜଣେ ବି ମଦ ମୃତ୍ୟୁର ଶିକାର ହେବେ ନାହିଁ। ବେଆଇନ ମଦ ତିଆରି କରୁଥିବା ବ୍ୟବସାୟୀଙ୍କୁ ଜେଲ ପଠେଇ ଦିଆଯିବ।

୮. ଓଡ଼ିଶାରେ ଜିଲ୍ଲାପାଳ, ସଚିବ ଓ ଆଇପିଏସ ଅଫିସରମାନେ ରାଜା ଭଳି ଚଳୁଛନ୍ତି। ବିଜେଡି ସରକାରକୁ ତେଲ ମାଖିବା ସେମାନେ ଛାଡ଼ନ୍ତୁ। ସରକାରକୁ ଆସିବା ପରେ କୌଣସି ଦୁର୍ନୀତିଗସ୍ତ ଅଫିସରଙ୍କୁ ଆମେ ଛାଡ଼ିବୁ ନାହିଁ।

୯. ଚାଉଳ କଳ ମାଲିକଙ୍କ ସହିତ ହାତ ମିଳାଇ ଚାଷୀମାନଙ୍କୁ ସରକାର ଏଠି ଶୋଷଣ କରୁଛନ୍ତି। ସେମାନଙ୍କୁ ଉଚିତ ଦର ଦିଆଯାଉନାହିଁ। କ୍ଷମତାକୁ ଆସିଲେ ବିଜେପି କର୍ମୀମାନେ ବିଜେଡି ସରକାରର ମୂଳଦୁଆକୁ ଦୋହଲାଇଦେବେ।

୧୦. ଆୟୁଷମାନ ଯୋଜନାରେ ଯୋଗ ଦେବା ପାଇଁ ଓଡ଼ିଶା ଡରୁଛି। କାରଣ ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଲୋକପ୍ରିୟ ହୋଇଯିବେ ଓ ନବୀନଙ୍କୁ ଆଉ କେହି ପଚାରିବେ ନାହିଁ।

LEAVE A REPLY

Please enter your comment!
Please enter your name here