ଓଡ଼ିଶାଲାଇଭ୍‌ ବ୍ୟୁରୋ

“ମୁଁ ଲୋକଙ୍କ ଇତିହାସକୁ ପରଖି ନଥାଏ। ଲୋକମାନଙ୍କ କାମକୁ ପରଖିଥାଏ”, – ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଏହା କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର।

୧୩ ମାସ ୬ ଦିନ ପରେ ଆସନ୍ତା କାଲି ଜଷ୍ଟିସ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ କାଲି ଥିବାରୁ ଆଜି ସୁପ୍ରିମକୋର୍ଟ ବାର୍ କାଉନସିଲ୍ ପକ୍ଷରୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜଷ୍ଟିସ ମିଶ୍ର ଯୋଗଦେଇ ବିଦାୟକାଳୀନ ଅଭିଭାଷଣ ରଖିଥିଲେ।

ଜଷ୍ଟିସ ମିଶ୍ର କହିଥିଲେ ଯେ ବାର୍‌ କାଉନସିଲ୍‌ରେ ଯୁବ ଆଇନଜୀବୀମାନଙ୍କୁ ଦେଖି ଖୁସି ଲାଗୁଛି। ସେମାନେ ହେଉଛନ୍ତି ଆମର ପୁଞ୍ଜି। ନୟାପାଳିକାର କାର୍ଯ୍ୟଧାରାକୁ ବିକଶିତ କରିବା ପାଇଁ ସେମାନଙ୍କ ଭିତରେ ଯଥେଷ୍ଟ କ୍ଷମତା ରହିଛି। ଭାରତୀୟ ନ୍ୟାୟପାଳିକା ସାରା ବିଶ୍ବକୁ ବାଟ ଦେଖାଉଛି। ସାରା ବିଶ୍ୱରେ ଭାରତୀୟ ନ୍ୟାୟ ବ୍ୟବସ୍ଥା ସୁଦୃଢ଼ ହୋଇପାରିଛି।

ଜଷ୍ଟିସ ମିଶ୍ର ଆହୁରି କହିଥିଲେ ଯେ ସେ ସୁପ୍ରିମକୋର୍ଟ ବାର୍ କାଉନସିଲ ପାଖରେ ଋଣି। ହୃଦୟରୁ ବାର୍‌ କାଉନସିଲକୁ ସମ୍ମାନ କରୁଛି ବୋଲି ସେ କହିଥିଲେ।

୨୦୧୧ ଅକ୍ଟୋବର ୧୦ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ଜଷ୍ଟିସ ମିଶ୍ର। ୭ ବର୍ଷ ପରେ ୨୦୧୭ ଅଗଷ୍ଟ ୨୮ରେ ତାଙ୍କୁ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା। ପ୍ରଧାନ ବିଚାରପତି ଭାବେ ୧୩ ମାସର କାର୍ଯ୍ୟକାଳ ଭିତରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ପ୍ରକାଶ କରିଛନ୍ତି।

Comment